ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆଶଙ୍କା: ୨୩ ଯାଏ ୟେଲୋ ଓ୍ଵାର୍ଣ୍ଣିଂ, ୨୨ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ମନା

ସବୁ ଜଳଭଣ୍ତାର ଜଳସ୍ତର ହ୍ରାସ, ଭୁବନେଶ୍ବରରୁ ଦୁଇ ଜିଲ୍ଲା ଲାଗି ଆସିଲେ ଦୁଇ ମୁଖ୍ୟଯନ୍ତ୍ରୀ

ବ୍ରହ୍ମପୁର:  ଆସନ୍ତାକାଲି ଠାରୁ ପୁଣି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ନଦୀ, ନାଳ, ଡ୍ୟାମ୍‌ ସବୁ ଜଳ ଭର୍ତ୍ତି ହୋଇଥିବାରୁ ଅଧିକ ବର୍ଷା ହେଲେ ତିତିଲି ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଗଲାଣି। ତିତିଲିରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିବା ବେଳେ ଏହା ପ୍ରଚାରିତ ହେବା ପରେ ଜିଲ୍ଲାବାସୀଙ୍କ ଛାତି ଧଡ଼ଧଡ଼।  ସମ୍ଭାବ୍ୟ ବନ୍ୟା ସ୍ଥିତିରେ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି।

ଗୋପାଳପୁର ଡପଲାର ରାଡ଼ାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତନ ଠାରୁ ୨.୧ କିମି ଏବ˚ ୫.୮ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବ। ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୯ତାରିଖ ଠାରୁ ୨୩ ତାରିଖ  ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବ। ଏଥିସହ ସମୁଦ୍ର ମଧ୍ୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ମାଛ ମାରିବା ଲାଗି ୧୯ତାରିଖ ଠାରୁ ୨୨ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗୋପାଳପୁର ଆଜି ସର୍ବାଧିକ ତାପମାତ୍ରା ୩୩.୨ ରହିଥିବା ବେଳେ ସର୍ବ ନିମ୍ନତାପମାତ୍ର ୨୫.୫ ରହିଥିଲା। ଗୋପାଳପୁରରେ ଆଜି ୬.୮ ମିମି ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନୀ ରଥ ମାରାଣ୍ତି ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି। ସଫଳ ମୁକାବିଲା ଦୁଇଟି ବ୍ଲକ ଲାଗି ଜଣେ ଲେଖାଏ ବରିଷ୍ଠ ଅଧିକାରୀ ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ସାମଗ୍ରିକ ତଦାରଖ କରିବେ। ଜିଲ୍ଳାର ସମୁଦାୟ ୧୪ଜଣ ବରିଷ୍ଠ ଅଧିକାରୀ ଏହି ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବଙ୍କୁ ସମୁଦାୟ ଜିଲ୍ଲାର କାର୍ଯ୍ୟକୁ ତଦାରଖ କରିବେ। ବ୍ରହ୍ମପୁର ବିଏମ୍‌ସି କମିସନର ଏବ˚ ପ୍ରତି ବ୍ଲକ ବିଡ଼ିଓମାନଙ୍କୁ ଫ୍ଲଡ ସର୍କଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

ଓଡ଼ିଶା ରିଲିଫ କୋର୍ଡ ଅନୁଯାୟୀ ଏହା କରାଯାଇଛି। ସରକାରୀ ଅଫିସରମାନଙ୍କ ହେଡକ୍ବାର୍ଟର ନ ଛାଡ଼ିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (୦୬୮୧୧-୨୬୩୯୭୮) ଖୋଲାଯାଇଛି।  ସେହିପରି ଜଳସେଚନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବନ୍ୟାର ମୁକବିଲା ଲାଗି ସଜାଗ ରହିଛି। ମୁଖ୍ୟଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ଲାଗି ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଭୁବନେଶ୍ବରରୁ ଦୁଇ ଜଣ ମୁଖ୍ୟଯନ୍ତ୍ରୀ ଆସି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପହଞ୍ଚିଛି। ମୁଖ୍ୟଯନ୍ତ୍ରୀ ଲଡ଼ୁ କିଶୋର ସାବତଙ୍କୁ ଗଞ୍ଜାମ ଏବ˚ ମୁଖଯନ୍ତ୍ରୀ ଦୀପ୍ତି ପଣ୍ତା ଗଜପତିରେ ପହଞ୍ଚିଛନ୍ତି। ଜିଲ୍ଲାର ସମସ୍ତ ଜଳଭଣ୍ତାର ତଥା ଡ୍ୟାମ୍‌ର ଜଳସ୍ତରକୁ ହ୍ରାସ କରାଯାଇଛି। ଜଳଭଣ୍ତାର ଗୁଡ଼ିକର ଜଳସ୍ତର ଏବେ ୭୦ ରୁ ୭୫ ପ୍ରତିଶତ ରହିଛି। ଗତ ଲଗାଣ ବର୍ଷାରେ ଜିଲ୍ଲାରେ କୌଣସି ନଦୀ ବନ୍ଧ କ୍ଷତିଗ୍ରସ୍ତ ହୋଇନାହିଁ। ସବୁ ନଦୀ ବନ୍ଧ ସୁଦୃଢ ରହିଛି। ତଥାପି ସବୁ ନଦୀ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର