ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ାରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ଦୁଇ ଘଣ୍ଟାର ବର୍ଷା, ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜେକେପୁର ଅଞ୍ଚଳରେ ୩ଟି ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡିବା ଯୋଗୁ ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏକ ଘଣ୍ଟା ଧରି ରାଜପଥରେ ଚଳାଚଳ ବନ୍ଦ ଯୋଗୁ ଆମ୍ବୁଲାନସ୍ ସମେତ ମାଲବାହୀ ଓ ଯାତ୍ରୀବାହୀ ଯାନବାହନ ଅଟକି ରହିଥିଲା। ଜେକେପୁର ଭେଙ୍କେଟଶ୍ବ ମନ୍ଦିର ନିକଟରେ ଏକ ଶୁଖିଲା ଗଛ ରାସ୍ତାରେ ପଡ଼ିଯିବା ଯୋଗୁ ଚଳାଚଳ ବନ୍ଦ ରହିଥିଲା। କୋଲନରା ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ଉପରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ବର୍ଷାମାଡ଼ରେ ପେଣ୍ଟା ପଞ୍ଚାୟତ ଡୁଙ୍ଗୁରିପଡ଼ାରେ ବିଦ୍ୟୁତ୍ ଖୁଣ୍ଟ ସହ ଏକ ବିରାଟ ଗଛ ଧରାଶାୟୀ ହୋଇ ପଡିଥିଲା।
୩୬୦ କେଭି ବିଦ୍ୟୁତ୍ ଖୁଣ୍ଟ ଡୁଙ୍ଗୁରିପଡ଼ା ବସ୍ତିରେ ରହୁଥିବା ଯୁଧୀଷ୍ଠିର କରୁଆଁଙ୍କ ଘର ଉପରେ ଉପୁଡ଼ି ପଡିଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ପରିବାର ଲୋକ ବର୍ତ୍ତି ଯାଇଥିଲେ। ଯୁଧୀଷ୍ଠିରଙ୍କ ଘରର ଛାତ ଭାଙ୍ଗି ଚୁରମାର୍ ହୋଇଯିବା ସହ କାନ୍ଥ ମଧ୍ୟ ଭୁଷୁଡି ପଡ଼ିଛି । ସେହିପରି ଉକ୍ତ ବସ୍ତିରେ ରହୁଥିବା ମିଲନ ତାଣ୍ଡିଙ୍କ ଘର ଉପରେ ଏକ ବିରାଟ ତେନ୍ତୁଳି ଗଛ ପଡିଯିବାରୁ ଘରର ଛପର ସମ୍ପୂର୍ଣ ଭାଙ୍ଗିଯିବା ସହ କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜିଞ୍ଜିଲିବାଡ଼ି ଅଞ୍ଚଳରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତା ଉପରେ ଗଛ ପଡି ରହିବା ଯୋଗୁ ରାସ୍ତା ଅବରୋଧ ହୋଇଛି। ଥେରୁବାଲି, କୋଲନରା ଅଞ୍ଚଳରେ ମଧ୍ୟ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କୁଆପଥର ମାଡ଼ ସହ ପ୍ରବଳ ବେଗରେ ପବନ ବହିବା ଯୋଗୁ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ସହର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। ସହରର ବିଭିନ୍ନ ୱାର୍ଡରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡିବା ଯୋଗୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇପାରିନି।