ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ, ଘଣ୍ଟାଏ ଛେଚିଲା, ଅଧା ଜିଲ୍ଲା ଅନ୍ଧାରରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। ଘଣ୍ଟାଏ ଧରି ସାରା ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ଯାତାୟାତ ଓ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ମୁନିଗୁଡ଼ା, ଗୁଣପୁର, କୋରାପୁଟ ରାସ୍ତାରେ ବିରାଟକାୟ ଗଛ ଧରାଶାୟୀ ଯୋଗୁ ଯାତାୟାତ ଠପ୍ ହୋଇ ପଡ଼ିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ପଡ଼ିବା କାରଣରୁ ଅଧା ଜିଲ୍ଲା ଅନ୍ଧାରରେ ରହିଛି। ଦିନରେ ପାଗ ଶୁଖିଲା ଥିବା ବେଳେ ଅପରାହଣ୍ ୩ଟା ପର୍ଯ୍ୟନ୍ତ ବର୍ଷାର କୌଣସି ସଙ୍କେତ ନଥିଲା। ୪ଟାରେ ପାଗ ମେଘୁଆ ହେବା ସହ ୫ଟାରେ ଆରମ୍ଭ ହୋଇଥିଲା ବର୍ଷା। କିଛି ସମୟ ଝିପିଝିପି ବର୍ଷା ପରେ ପବନ ବହିବା ଆରମ୍ଭ ହୋଇଥିଲା। ଘଡଘଡ଼ି ସହ ପବନର ବେଗ ତୀବ୍ର ହେବା ପରେ ବର୍ଷା ମଧ୍ୟ ବଢ଼ିଥିଲା। ସଂଧ୍ୟା ୬ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ପୁଣି ରାତି ୮ଟାରେ କିଛି ସମୟ ପାଇଁ ବର୍ଷା ହୋଇଥିଲା। ବର୍ଷା ଓ ପବନର ପ୍ରଭାବ ସାରା ଜିଲ୍ଲାରେ ରହିବା ଯୋଗୁ ବିଭିନ୍ନ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଥେରୁବାଲି ନିକଟରେ ବିରାଟ ଗଛ ରାଜପଥ ଉପରେ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ମାଲବାହୀ-ଯାତ୍ରୀବାହୀ ଯାନବାହନ ଅଟକି ରହିଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ରାସ୍ତା ଉପରୁ ଗଛ ହଟାଇବା କାମରେ ଲାଗି ପଡ଼ିଛି। ସେହିପରି ରାମନାଗୁଡ଼ା-କୁଜେନ୍ଦ୍ରୀ ରାସ୍ତାରେ ମଧ୍ୟ ଗଛ ଉପୁଡ଼ିବା ଯୋଗୁ ଯାତାୟାତ ବନ୍ଦ ରହିଥିଲା। ରାତି ସାଢ଼େ ୮ଟା ପର୍ୟ୍ୟନ୍ତ ରାସ୍ତାରୁ ଗଛ ହଟାଇବା କାମରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଲାଗିଛନ୍ତି। ରାୟଗଡ଼ା ସହରର କୋଟଲାଗୁଡ଼ା ସମେତ ସହରର ୧୨ରୁ ୧୫ ସ୍ଥାନରେ ଗଛ ଉପୁଡ଼ି ବିଦ୍ୟୁତ୍ ଖୁଣ୍ଟ୍ ଉପରେ ପଡିଛି। ରାତି ୮ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇ ପାରିନଥିବା ବେଳେ ଗ୍ରାମାଞ୍ଚଳରେ କାଳବୈଶାଖୀ ତାଣ୍ଡବ ଯୋଗୁ ବିଦ୍ୟୁତ୍ ସେବା ଠପ୍ ହୋଇ ପଡିଛି।

Sambad

ଅଧା ଜିଲ୍ଲା ଅନ୍ଧାରରେ ଥିବା ବେଳେ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ରାୟଗଡ଼ା ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ନାଳ, ନର୍ଦମା ଜାମ୍ ଯୋଗୁ ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗିଥିଲା। ସହରର ବିଦ୍ୟାନଗର, ନ୍ୟୁ କଲୋନି, ମୁଖ୍ୟବଜାର, ଗାୟତ୍ରୀ ନଗର, ଇନ୍ଦିରା ନଗର, କସ୍ତୁରୀ ନଗର ଅଞ୍ଚଳରେ ବର୍ଷା ଛାଡ଼ିବାର ବହୁ ସମୟ ପର୍ଯ୍ୟନ୍ତ ନର୍ଦମା ପାଣି ଜମି ରହିଥିଲା। ବର୍ଷା ଜଳ ନିଷ୍କାସନରେ ଅସୁବିଧା ଯୋଗୁ କିଛି ସ୍ଥାନରେ ଘର ଭିତରେ ମଧ୍ୟ ପାଣି ପଶିଛି। ବସ୍ତି ଇଲାକାରେ ସ୍ଥିତି ସଙ୍ଗୀନ୍ ହୋଇ ପଡିଛି। ବର୍ଷା ଜଳ ସହ ନର୍ଦମାର ମଇଳା ରାସ୍ତା ଉପରେ ପଡ଼ି ରହିଥିବାରୁ ବିଭିନ୍ନ କାମରେ ଯାତାୟାତ କରୁଥିବା ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର