ପଣ୍ଡାପଡା: ହରିଚନ୍ଦନପୁର ବ୍ଲକ୍‌ ବକ୍ସିବାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାଇଜାପଡ଼ାରୁ ଶାଳବେଡ଼ା ଗ୍ରାମକୁ ଯାଇଥିବା ମାଟି ରାସ୍ତାରେ ୨ଟି ପୋଲକୁ ବାଲି ବୋଝେଇ ହାଇଓ୍ବା ଟ୍ରକ ଭାଙ୍ଗି ଦେଇଛି। ସାଧାରଣ ଯିବା ଆସିବାରେ ଅସୁବିଧା ଦେଖାଯାଇଛି। ଚାଷ ଜମିକୁ ଟ୍ରାକ୍ଟର, ପାଓ୍ବାର ଟିଲର ନେବା ଆଣିବାରେ ସମସ୍ୟା ଉପୁଜିଛି। ମାସକ ତଳେ ବାଇଜାପଡ଼ା-ଶାଳବେଡ଼ା ରାସ୍ତାର ମଧ୍ୟ ଭାଗରେ ଏଲଏନ୍‌ଟି କଂପାନି ଦ୍ବାରା ତିଆରି କରାଯାଉଥିବା ଏକ ପାଣି ଟାଙ୍କିକୁ ହାଇଓ୍ବା  ଯୋଗେ ବାଲି ନିଆଯାଉଥିଲା। ବାଲି ବୋଝେଇ ହାଇଓ୍ବା ଦୁଇଟି ପୋଲରେ ଫସି ଯାଇଥିଲା।

Advertisment

ଓଜନ ସମ୍ଭାଳି ନ ପାରି ପୋଲଟି ଭାଙ୍ଗି ପଡ଼ିଥିଲା। ବାଲି ଖାଲି କରି ମେସିନ ସାହାଯ୍ୟରେ ଗାଡ଼ିକୁ ଉଠାଇ ନିଆଯାଇଛି। ମାତ୍ର କାମ କରୁଥିବା ଠିକାଦାର ପୋଲ ଗୁଡିକ ମରାମତି କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲ ମରାମତି କରାଯାଉ ନ ଥିବାରୁ ରଙ୍ଗଚର୍ଚ୍ଚିକାଈ ଯୁବକ ସଂଘର କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାଟି ରାସ୍ତାଟି ଆଜକୁ କୋଡ଼ିଏ ବର୍ଷ ପୂର୍ବରୁ ତିଆରି କରାଯାଇଥିଲା। ରାସ୍ତାର ମରାମତି ଓ ଉନ୍ନତୀକରଣ ପାଇଁ ବାରମ୍ବାର ଦାବି ହୋଇଆସିଛି । ହେଲେ ଉନ୍ନତୀକରଣ ତ ଦୂରର କଥା ପ୍ରଶାସନ ଏହି ରାସ୍ତାରେ ମାଟି କି ମୋରମ ଗଣ୍ଡାଏ ମଧ୍ୟ ନ ପକାଇବା ପରିତାପର  ବିଷୟ ବୋଲି ଯୁବକସଂଘ ଅଭିଯୋଗ କରିଛି। ରାସ୍ତାଟି ଚଳପ୍ରଚଳ ଉପଯୋଗୀ ହେଲେ ବାଇଜାପଡାରୁ ଶାଳବେଡାକୁ ଦୂରତା ମାତ୍ର ଦୁଇ କିଲୋମିଟର ହେବ। ହେଲେ ପଣ୍ଡାପଡା ଦେଇ  ଯିବାକୁ ହେଲେ ଆଠ କିଲୋମିଟର ଦୂର ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।