ବ୍ରହ୍ମପୁର,: ଜାନୁଆରି ମାସରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ବାଇକ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିକୁ ମଧ୍ୟ ପିନ୍ଧିବାକୁ ପଡ଼ିବ ହେଲମେଟ୍। ନଚେତ ତଣ୍ଡ ଗଣିବା ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରି ଦିଆଯିବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି। କିନ୍ତୁ ବ୍ରହ୍ମପୁର ସହରରେ ନୂଆ ବର୍ଷରେ ଏହି ନିୟମକୁ କେତେ ମାନିବେ ଜନତା ତାହା ଦେଖିବାକୁ ବାକି ରହିଛି। ଦୁଇ ଜଣ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ପରେ ବଜାରରେ କିଛି ବ୍ୟକ୍ତି ହେଲେମେଟ୍ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। କରୋନା କଟକଣାରେ ବେପାର ମାନ୍ଦା ରହିଥିବା ବେଳେ ଏବେ ବ୍ୟବସାୟ ବଢ଼ିଥିବା ଜଣାପଡ଼ିଛି।
କରୋନା ପାଇଁ ଟ୍ରାଫିକ୍ ନିୟମ କିଛିଟା କୋହଳ ରହିଥିବା ବେଳେ ଆଗକୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନ କଠୋର ହେବ।
ହେଲମେଟ୍ ଚେକିଂ ସହ ଡ୍ରାଇଭିଂ ଲାଇସେନ୍ସ୍, ଗାଡ଼ି ପଞ୍ଜୀକରଣ କାଗଜପତ୍ର, ପ୍ରଦୂଷଣ ଓ ସିଟ୍ ବେଲ୍ଟକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ବାଇକ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଉଥିବା ବେଳେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯିବ। ଏ ନେଇ ରାସ୍ତା କଡ଼ରେ ବହୁ ବ୍ୟକ୍ତି ହେଲମେଟ୍ ବ୍ୟବସାୟ ଆରମ୍ଭ କରି ଦେଲେଣି। ସହରର ପ୍ରମୁଖ ରାସ୍ତା କଡ଼ରେ ବିଭିନ୍ନ କ୍ବାଲିଟିର ହେଲମେଟ୍ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କୁ ସୁହାଇଲା ଭଳି ତାହାର ଦର ମଧ୍ୟ ଭିନ୍ନଭିନ୍ନ ପ୍ରକାର ରହିଛି। ସହରରେ ପାଖାପାଖି ୪୦ରୁ ଅଧିକ ପ୍ରକାରର ହେଲମେଟ୍ ମିଳୁଥିବା ନେଇ ଦେଖିବାକୁ ମିଳୁଛି। ସେ ଭିତରେ କେଉଁଟା ଆଇଏସ୍ଆଇ ମାର୍କ ରହିଛି ତ ଅନ୍ୟ କେଉଁଟା କାମଚଳା ପାଇଁ ରହିଛି। ସେ ଭିତରୁ ଗ୍ରାହକ ନିଜ ପସନ୍ଦର ହେଲମେଟ୍ ବାଛି ନେଉଛନ୍ତି। ହେଲମେଟ୍ର ଚାହିଦାକୁ ଦେଖି ଏହାକୁ ରୋଜଗାର ପନ୍ଥା ଭାବେ ଗ୍ରହଣ କରି ଗୁଜୁରାଣ ମେଣ୍ଟାଉଥିବା କହିଛନ୍ତି କିଛି ବ୍ୟବସାୟୀ।
ସେମାନେ ଯାହା କହନ୍ତି...
ଏସ୍. ନାରାୟଣ ରାଓ
ଆଜିକୁ ୬ ବର୍ଷ ଧରି ହେଲମେଟ୍ ବିକ୍ରି କରୁଛି। ତା’ ସହିତ ବେଲ୍ଟ୍ ଓ ଟୋପି ମଧ୍ୟ ବିକୁଛି। ପୂର୍ବରୁ ଦିନକୁ ୩ ହଜାରରୁ ୪ ହଜାର ଟଙ୍କାର ବେପାର ହେଉଥିଲା। ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରଠାରୁ ବେପାର ବଢ଼ି ଯାଇଥିଲା। ଲୋକେ ସଚେତନ ହେବା ସହ ଜରିମାନା ଭୟରେ ହେଲମେଟ୍ କିଣୁଥିଲେ। ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଭଲ ବ୍ରାଣ୍ଡ୍ର ହେଲମେଟ୍ ଭୁବନେଶ୍ବର ଓ କଟକରୁ ଆଣି ବିକୁଥିଲି। କରୋନା ସମୟରେ ଦୋକାନ ବନ୍ଦ ପଡ଼ିଯାଇଥିଲା। ନିୟମକୁ କଡ଼ାକଡ଼ି କରିବା ପରେ ଭଲ ବେପାର ହେବ ବୋଲି ଆଶା ରଖିଛି।
ଶେଖ୍ ମିହିର
ସିଟି ହସ୍ପିଟାଲ୍ ରାସ୍ତାରେ ୧୦ ବର୍ଷ ଧରି ହେଲମେଟ୍ ବିକ୍ରି କରୁଛି। ପୁରୁଷ ଓ ମହିଳାଙ୍କ ପାଇଁ ବିଭିନ୍ନ ରକମର ହେଲମେଟ୍ ରହିଛି। ତାହାର ଦର ମଧ୍ୟ ୬ ଶହ ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଯୁବପିଢ଼ିଙ୍କ ଚାହିଦା ଅନୁସାରେ ଉତ୍ତମଧରଣର ସନ୍ ଗ୍ଲାସ୍ଯୁକ୍ତ ଓ ଭଲ କ୍ବାଲିଟିର ଫାଇବର୍ ହେଲମେଟ୍ ରହିଛି। ଏଥିସହ ନିୟମ ଅନୁଯାୟୀ, ଆଇଏସ୍ଆଇ ମାର୍କ ହେଲମେଟ୍ ବିକ୍ରିକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଭଲ ହେଲମେଟ୍ ଗୁଡ଼ିକ ଜୀବନ ରକ୍ଷାକାରୀ କବଚ। ଗ୍ରାମାଞ୍ଚଳର ଲୋକେ ମଧ୍ୟ ସଚେତନ ହୋଇ ଏବେ ହେଲମେଟ୍ କିଣିବାକୁ ଆସୁଛନ୍ତି |