ଖୋର୍ଦ୍ଧା : ଖୋର୍ଦ୍ଧା ଉପକାରାଗାରରେ ମହିଳା ବନ୍ଦୀଙ୍କ ପାଇଁ ସହାୟତା କେନ୍ଦ୍ରକୁ ରାଜ୍ୟ ପୁଲିସ୍ ଡିଜି (କାରାଗାର) ସନ୍ତୋଷ ଉପାଧ୍ୟାୟ ଆଜି ଉଦଘାଟନ କରିଛନ୍ତି । ଏହା ଭୁବନେଶ୍ୱର, ଚୌଦ୍ୱାର ଜେଲ୍ ପରେ ରାଜ୍ୟର ତୃତୀୟ କେନ୍ଦ୍ର ଅଟେ ।
ଆଜି ପୂର୍ବାହ୍ଣରେ ଜେଲ୍ ପରିସର ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୁଲିସ ଡିଜି (କାରାଗାର)ଶ୍ରୀ ଉପାଧ୍ୟାୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମ ଏନଜିଓର ସଭାପତି ନମ୍ରତା ଚଢ଼ା, ଉପାଧ୍ୟକ୍ଷ କାନ୍ତା ମହାନ୍ତି, ସମ୍ପାଦକ ରାଜଲକ୍ଷ୍ମୀ ଦାସ, ନିର୍ଦେଶକ ମହାକେତା ମିଶ୍ର, କୋଷାଧ୍ୟକ୍ଷ ଶ୍ରେୟାଂଜଳି ମହାନ୍ତି, ଜେଲର ମଙ୍ଗଳ ଅଧିକାରୀ ସଂଗ୍ରାମ ମହାନ୍ତି, ଜେଲ୍ ନିରୀକ୍ଷକ କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟିତ ହୋଇଥିବା ସହାୟକତା କେନ୍ଦ୍ର “କିରଣ’ ଜେଲର ମହିଳା ବନ୍ଦୀଙ୍କୁ ଆଇନଗତ ଓ ମନସ୍ତାତ୍ୱିକ ସହାୟତା ପ୍ରଦାନ କରିବ । ଏହା ସହ ସେମାନଙ୍କ ବନ୍ଦୀ ପରବର୍ତୀ ଜୀବନରେ ଆର୍ଥିକ ବିକାଶ ପାଇଁ ମଧ୍ୟ କାମ କରିବ ବୋଲି ଶ୍ରୀମତି ଚଢ଼ା କହିଛନ୍ତି ।
ଏନେଇ ଜେଲ୍ର ତଥା ଜେଲ୍ ନିରୀକ୍ଷକ ଶ୍ରୀ ରାଉତ କହିଛନ୍ତି, ବର୍ତମାନ ଜେଲ୍ରେ ୯ ଜଣ ମହିଳା ଅନ୍ତେବାସୀ ଅଛନ୍ତି । ସେମାନଙ୍କୁ ଆଇନଗତ ସହାୟତା, ଜେଲ୍ ପରେ ସ୍ୱାବଲମ୍ବୀ ହେବା ଭଳି ସହାୟତା ପ୍ରଦାନ କରିବାକୁ ଉକ୍ତ ଏନଜିଓ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।