କ୍ଷୟକ୍ଷିତ ରିପୋର୍ଟ ପରେ ବି ମିଳିଲାନି ସହାୟତା, ଫସଲ ବୀମା ଅର୍ଥ ପ୍ରଦାନରେ ବାଧା କେଉଁଠି?

ରାଜନଗର: ‘ଜୱାଦ’ ପ୍ରଭାବରେ ରାଜନଗରରେ ୩ଦିନରେ ୨୧୦ ମିଲିମିଟର ବର୍ଷା ହେଲା । ପ୍ରବଳ ବର୍ଷା ଓ ପବନ ଯୋଗୁଁ ପାଚିଲା ଓ କଂଚା ଧାନ ଫସଲ ବିଲରେ ଶୋଇଲା। ଧାନ ଫସଲ ଉପରେ ପାଣି ଦୀର୍ଘଦିନ ଧରି ଜମି ରହିଲା। ଅଧିକାଂଶ ବିଲରେ ଧାନ ପଚିଯିବା ସହ ଆଉ କିଛି ସ୍ଥାନରେ ବିଲରେ ପାଚିଲା ଧାନ ଗଜା ହୋଇଗଲା। ସୁନାର ଫସଲକୁ ହରାଇ ଚାଷୀର ଆଖିରୁ ଏଯାଏ ଲୁହ ଶୁଖିନି। ସବୁଠୁ ଆଶା ହରାଇ ସରକାରୀ ସହାୟତା ଓ ବୀମା ଅର୍ଥକୁ ଚାଷୀ ଚାହିଁ ରହିଥିଲା। ରାଜ୍ୟ ସରକାର ଓ ବୀମା କମ୍ପାନି ପକ୍ଷରୁ ପୃଥକ ଭାବରେ କ୍ରପ୍‌ କଟିଂ ସର୍ଭେ କରାଯାଇ ରିପୋର୍ଟ ଦିଆଗଲା। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଫସଲ ହେକ୍ଟର ପିଛା ଅଣଜଳସେଚିତ ଜମି ପାଇଁ ୬ହଜାର ୮ଶହ ଟଙ୍କା ଲେଖାଏ ପ୍ରଦାନ କରିସାରିଛନ୍ତି। ମାତ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା କମ୍ପାନି ଆଜିଯାଏ ଅର୍ଥ ଦେବାର ନାଁ ଧରୁନି। ଫସଲ କ୍ଷୟକ୍ଷତି ରିପୋର୍ଟ ପରେ ବି ଚାଷୀ ବୀମା ଅର୍ଥ ପାଉ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବାତ୍ୟା ‘ଜୱାଦ’ରେ ରାଜନଗର ଅଂଚଳରେ ବ୍ୟାପକ ଖରିଫ ଧାନ ଫସଲ କ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫସି ଏର୍ଗୋ ବୀମା କମ୍ପାନି ପକ୍ଷରୁ ରାଜନଗର ଅଂଚଳରେ କ୍ରପ୍‌ କଟିଂ ସର୍ଭେ କରାଯାଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ବୀମା କମ୍ପାନିର କର୍ମଚାରୀଙ୍କ ସହିତ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷିବିଭାଗ ଓ ରାଜସ୍ବ ନୀରିକ୍ଷକମାନେ ମିଳିତ ଭାବେ କ୍ରପ୍‌ କଟିଂ କରିଥିବା ରିପୋର୍ଟରେ କୁହାଯାଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ କେବଳ ବୀମା କମ୍ପାନିର କର୍ମଚାରୀମାନେ ଯାଇଁ କ୍ରପ୍‌ କଟିଂ କରିଥିଲେ। ସେତେବେଳେ ଯେଉଁ ଅଂଚଳକୁ ବୀମା କମ୍ପାନିର କର୍ମଚାରୀ ସେଠାରେ କ୍ଷତିଗ୍ରସ୍ତ ଜମି ବଦଳରେ ଅଧିକ କ୍ଷତି ହୋଇ ନ ଥିବା ଜମିରେ କ୍ରପ କଟିଂ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀମାନେ କ୍ଷତିଗ୍ରସ୍ତ ଜମି ଦେଖାଇ କ୍ରପ୍‌ କଟିଂ କରିବାକୁ କହିଲେ ମଧ୍ୟ ବୀମା କମ୍ପାନିର କର୍ମଚାରୀମାନେ ଶୁଣୁନଥିଲେ। ବୀମା କମ୍ପାନିର ମନମାନି ପରେ ସେମାନେ ସର୍ଭେ କରୁଥିବା ସମୟରେ ଚାଷୀମାନେ ସେମାନଙ୍କୁ ଜଗି ରହି ସଠିକ୍ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସେହି ସମୟରେ ରାଜନଗର ବ୍ଲକ୍‌ର ଅଧିକାଂଶ ପଂଚାୟତରେ ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିଥିଲା। ଉଦାହରଣ ସ୍ବରୂପ ରାଜନଗର ପଂଚାୟତରେ ୪୦ ରୁ ୫୦ ପ୍ରତିଶତ ଧାନ ଫସଲ କ୍ଷୟକ୍ଷତି ହୋଇଥିବା ନେଇ ବୀମା କମ୍ପାନିର ସର୍ଭେ ରିପୋର୍ଟ ଆସିଥିଲା। ଏହାସତ୍ତ୍ବେ ଫସଲ କ୍ଷୟକ୍ଷତି ହେବାର ୧୦ ମାସ ବିତିବାକୁ ବସିଥିବା ବେଳେ ଆଜିଯାଏ ବୀମା ଅର୍ଥ ମିଳି ପାରିନାହିଁ।

ପୂର୍ବରୁ ଋଣ ପ୍ରଦାନ ବେଳେ ସବୁ ଚାଷୀଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଉଥିଲା। ୨ ବର୍ଷ ହେଲା ଫସଲ ବୀମା ପାଇଁ ଇଚ୍ଛା କରୁଥିବା ଚାଷୀଙ୍କର ବୀମା କରାଯାଉଛି। ଋଣ ଅର୍ଥର ୨ ପ୍ରତିଶତ ଫସଲ ବୀମା ପାଇଁ ନିଆଯାଉଛି। ଚାଷୀ ସୁନାର ଫସଲକୁ ହରାଇ ମୁଣ୍ତରେ ହାତ ଦେଇ ବସିଛି। ସରକାରୀ ସହାୟତା ଓ ବୀମା ସହାୟତାକୁ ଅନାଇ ରହିଛି। ଏପରିସ୍ଥଳେ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ ନକରି ବୀମା କମ୍ପାନୀ ନଦେବାର ମସୁଧା କରୁଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି। ତୁରନ୍ତ ରାଜ୍ୟ ସରକାରଙ୍କର କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ କିପରି ଚାଷୀ ଜୱାଦ କ୍ଷୟକ୍ଷତିର ବୀମା ଅର୍ଥ ପାଇବେ ସେ ନେଇ ପଦକ୍ଷେପ ନେବାକୁ ରାଜନଗର ସରପଂଚ ସୁଶ୍ରୀ ସଂଗୀତା ମିଶ୍ର, ପ୍ରାଥମିକ କୃଷି ସେବା ସମବାୟ ସମିତିର ନିେର୍ଦ୍ଦଶକ ରବି ନାରାୟଣ ଲେଙ୍କା, ଅକ୍ଷୟ କୁମାର ନାୟକ, ଚାଷୀ ଅରକ୍ଷିତ ପ୍ରଧାନ, ନିତ୍ୟାନନ୍ଦ ସେଠୀ, ବୈକୁଣ୍ଠ ସ୍ବାଇଁ, ରମେଶ ଦାସ ପ୍ରମୁଖ ଶତାଧିକ ଚାଷୀ ଦାବୀ କରିଛନ୍ତି। ସୂଚନାଯୋଗ୍ୟ ଯେ, କେବଳ ଖରିଫ ଧାନ ଫସଲ ଉପରେ ରାଜନଗରର ଚାଷୀ ନିର୍ଭରଶୀଳ । ରାଜନଗର ବ୍ଲକ୍‌ରେ ଚଳିତ ବର୍ଷ ପ୍ରାୟ ୨୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ରାଜନଗର ଅଣଜଳସେଚିତ ଅଂଚଳ ହୋଇଥିବାରୁ ଏଠାକାର ଚାଷୀ କେବଳ ଖରିଫ ଧାନ ଚାଷ କରିଥାନ୍ତି। ବ୍ଲକର ୪୦ହଜାର ଚାଷୀ ପରିବାର ଧାନ ଚାଷ କରିଥାନ୍ତି। ସବୁ ପଂଚାୟତର ସବୁ ଗାଁରେ ଗତ ଖରିଫ ଋତୁରେ ପାଚିଲା ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ଖରିଫ ଋତୁରେ ପ୍ରଥମେ ମରୁଡି ଯୋଗୁଁ ଚାଷ କାମ ବିଳମ୍ବରେ ହୋଇଥିଲା। ଏଥିପାଇଁ ଅଧିକାଂଶ ଚାଷୀ ଶୀଘ୍ର ଅମଳକ୍ଷମ କିସମର ଧାନ ଚାଷ କରିଥିଲେ। ରାଜନଗର ଅଂଚଳରେ ପ୍ରାୟ ଶହେ ପ୍ରତିଶତ ଧାନ ଫସଲ ପାଚି ସାରିଥିଲା। ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ବିଲରେ ଶୋଇ ଯାଇ ପାଣିରେ ବୁଡି ରହିଥିଲା। ବର୍ଷକର ଦାନା ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏପରିସ୍ଥଳେ ଫସଲ ବୀମା କମ୍ପାନି ଚାଷୀଙ୍କୁ ବୀମା ସହାୟତା ରାଶି ପ୍ରଦାନରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର