ରାଉରକେଲା: ଯୁବ ଉଦ୍ୟୋଗୀ ସୃଷ୍ଟି କରିବାରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ୍‌ ବିଜିନେସ ଇନ୍‌କ୍ୟୁବେସନ(ଏଫ୍‌ଟିବିଆଇ) ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅନ୍ତର୍ଗତ ଟେକ୍ନୋଲୋଜି ଡିଏସ୍‌ଟି ନିଧୀ ପ୍ରୟାସ, ଡିଏସ୍‌ଟି ନିଧୀ ଇଆଇଆର୍‌ ଆଦି ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଷ୍ଟାର୍ଟ​ଅପ୍‌ଗୁଡ଼ିକ ଏଫ୍‌ଟିବିଆଇରେ ସ୍ବତନ୍ତ୍ର ସୁବିଧା ସମେତ ଉପାଦେୟ ପରାମର୍ଶ ମାଧ୍ୟମରେ ଫଳପ୍ରଦ ଷ୍ଟାର୍ଟଅପ୍‌ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦିଆଯାଉଛି।
ଏହି କ୍ରମରେ ମୋଟ୍‌ ୩୨ଟି ଷ୍ଟାର୍ଟଅପ୍‌କୁ ଦେଢ଼ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Advertisment

ଏହି ଅବସରରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଏଫ୍‌ଟିବିଆଇ ଅଧ୍ୟକ୍ଷ କେ. ଉମାମହେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ର ସିଇଓ ସୁଷମା ବିଲୁଙ୍ଗ ଯୋଗଦେଇ କହିଲେ, ଯେ ପର୍ଯ୍ୟନ୍ତ ସମସ୍ୟାକୁ ଚିହ୍ନଟ କରି ଲୋକଙ୍କର ସ୍ଥିତିକୁ ବୁଝିପାରିନାହୁଁ; ସେ ପର୍ଯ୍ୟନ୍ତ ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା ନାହିଁ। ସମାଜ ପ୍ରତି ନିଜର ଅବଦାନ ଦେବାକୁ ଯୁବ ଉଦ୍ୟୋଗୀ ସ୍ବେଚ୍ଛାକୃତଭାବେ ଆଗଇେ ଆସନ୍ତୁ। ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ସ୍ବାବଳମ୍ବୀ କରିବାର ମହତ୍‌ ଉଦ୍ଦେଶ୍ୟ ନେଇ ନିଜ ନିଜ ଷ୍ଟାର୍ଟଅପ୍‌କୁ ବିକଶିତ ତଥା ପ୍ରତିଷ୍ଠିତ କରନ୍ତୁ। ପ୍ରଫେସର ଆର.କେ. ସାହୁ, ଏଫ୍‌ଟିବିଆଇ ମୁଖ୍ୟ ପ୍ରଫେସର ଏମ.କେ. ମିଶ୍ର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୋଟ୍‌ ୨୦ଟି ଷ୍ଟାର୍ଟଅପ୍‌କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ୧୦ଟି ଷ୍ଟାର୍ଟ​ଅପ୍‌କୁ ୩ ଲକ୍ଷ ୬୦ ହଜାର ଓ ୨ଟି ଷ୍ଟାର୍ଟଅପ୍‌କୁ ୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା।