ଓଲଟିଲା ଟ୍ରକ, ହେଲପର୍ ଆହତ

ବୈପାରିଗୁଡା:  ଦୁର୍ଘଟଣା ପ୍ରବଣ ସ୍ଥାନ ରୂପେ ପରିଚିତ ମନ୍ତ୍ରୀଆମ୍ବ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଆଜି ସକାଳ ନଅଟା ସମୟରେ ଏପି ୦୭ ଟିଏଚ୍ ୨୨୨୮ ନମ୍ବର ବିଶିଷ୍ଟ ଟ୍ରକ କୁଣ୍ଡା ବୋଝେଇ କରି ଭଦ୍ରାଚଲମ୍ ଯାଉଥିବା ବେଳେ ମନ୍ତ୍ରୀଆମ୍ବ ଘାଟିରେ ଓଲଟି ପଡ଼ିଛି। ଟ୍ରକର ହେଲପରର ମୁଣ୍ଡ ଫାଟି ଯିବା ସହ ହାତରେ ଆଘାତ ଲାଗିଛି। ବୈପାରିଗୁଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ମନ୍ତ୍ରୀଆମ୍ବ ଘାଟି ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟି ଯିବା ସହ ବାରମ୍ବାର ଦୁର୍ଘଟଣା ଘଟିଚାଲିଛି।

ସପ୍ତାହକ ତଳେ ଗତ ୧୦ ତାରିଖ ଦିନ ଏକ ଲୁହା ପ୍ଲେଟ ବୋଝେଇ ଟ୍ରକ ହାଇଦ୍ରାବାଦ ଯାଉଥିବା ବେଳେ ଏହି ଘାଟିରେ ଓଲଟି ପଡିଥିଲା। ଦୀର୍ଘ ଚାରି ଘଣ୍ଟାର କସରତ ପରେ ଡ୍ରାଇଭରକୁ ଟ୍ରକ ଭିତରୁ ଉଦ୍ଧାର କରାଯାଇଥିଲା। କୁମାଗତ ଭାବେ ଏହି ଘାଟିରେ ଦୁର୍ଘଟଣା ଘଟୁଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ଉପରିସ୍ଥ ଅଧିକାରୀ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନକରି ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର