୨୫ ଦିନ ହେଲା ଦୁଇ କୁକୁଡ଼ା ଜେଲରେ; ଜାମିନରେ ନେବାକୁ କେହି ଆସୁନାହାନ୍ତି !

ମାଲକାନଗିରି: ଗତ ୨୫ ଦିନରୁ ଉର୍ଦ୍ଧ୍ବ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ୨ କୁକୁଡ଼ା। ଅଜବ ଲାଗିଲେ ବି ଏହା ସତ୍ୟ। କିଏ ଦୋଷ କରିବ ଆଉ କିଏ ତାର ଦଣ୍ଡ ଭୋଗିବ। ଆଜ୍ଞା ହଁ ଆପଣ ଜାଣିଥିବେ ଏ ପୃଥିବୀର ଦଣ୍ଡ ଭୋଗିବା ନିୟମ କେବଳ ମଣିଷଙ୍କ ପାଇଁ ହିଁ ତିଆରି ହୋଇଛି। କିନ୍ତୁ ଅଜବ କଥା ଯେ ଏହି ନିୟମରେ କେବେ କୌଣସି ପଶୁପକ୍ଷୀ ଦଣ୍ଡ ପାଇବା ଆମ ନଜରକୁ କେବେ ଦେଖିବା ସ୍ୱପ୍ନ। କିନ୍ତୁ ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ। ୨୫ ଦିନରୁ ଉର୍ଦ୍ଧ୍ୱ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ଦୁଇ କୁକୁଡ଼ା। କୋର୍ଟ ନିର୍ଦେଶ ନ ଆସିବା ଯାଏଁ ହାଜତରେ ରହିବେ। ତାର ଦେଖାରେଖା କରୁଛନ୍ତି ମୁଦିଗଣ୍ଡା ପୁଲିସ।

ତେଲେଙ୍ଗାନା ଖମାମ ଜିଲ୍ଲା ଅନ୍ତର୍ଗତ ବାନାପୁରମ୍ ଗାଁରେ ମକର ସଂକ୍ରାନ୍ତି ପୂର୍ବରୁ ପଙ୍ଗଲ ଉପଲକ୍ଷେ କୁକୁଡ଼ା ଲଢେ଼ଇ ଖେଳ ହୁଏ। ଗତ ଜାନୁଆରି ୧୦ ତାରିଖରେ କୁକୁଡ଼ା ଗାଲିରେ ଜୁଆ ଖେଳରେ ପୁଲିସ ହାତରେ ଧରା ପଡିଥିଲେ ଦୁଇ ଜୁଆଡ଼ିଆ। ଦୁଇଟି ଗଞ୍ଜା କୁକୁଡ଼ାକୁ ଲଢେଇ କରି ବାଜି ଲାଗିଥିଲା କିଛି ଟଙ୍କା। ଯେଉଁ କୁକୁଡ଼ା ଜିତିବ ସେଇ କୁକୁଡ଼ା ମାଲିକ ବାଜି ଲାଗିଥିବା ଟଙ୍କା ନେବ। ହେଲେ ପୁଲିସ ଏହି ଖବର  ଜାଣି କୁକୁଡ଼ା ଲଢେ଼ଇ ଜୁଆ ଖେଳ ଉପରେ ଚଢ଼ାଉ କରିଥିଲା। ଧରାପଡିଲେ ଲଢେଇ ଲାଗୁଥିବା ଦୁଇ କୁକୁଡ଼ା ଆଉ ଦୁଇ ଜୁଆଡ଼ିଆ। କଥା କୋର୍ଟକୁ ଗଲା। ଜାମିନ ବଦଳରେ ଖସିଗଲେ ଦୁଇ ଜୁଆଡ଼ିଆ। କିନ୍ତୁ ଦୁଇ କୁକୁଡ଼ାକୁ ଜାମିନରେ କେହି ଆଣିବାକୁ ନାରାଜ। ନିରୀହ ପକ୍ଷୀ ନିଜ ଜୀବନକୁ ଦାଉ ଲଗେଇ ମାଲିକର ପକେଟ ଗରମ କରୁଥିଲେ। କିନ୍ତୁ କୁକୁଡ଼ା ଏବେ ଦୁହେଁ ଅଲୋଡ଼ା ହୋଇଯାଇଛନ୍ତି ସେହି ମାଲିକର। ନିଜେ ବଞ୍ଚିଲେ ବାପର ନାଁ ଭଳି ନିଜେ ଜେଲରୁ ମୁକୁଳିଲା ପରେ କୁକୁଡ଼ାକୁ କିଏ ପଚାରେ। ପୁଲିସ କହିଛି କୋର୍ଟ ନିର୍ଦ୍ଦେଶ ପରେ ଦୁଇଟି କୁକୁଡ଼ାକୁ ନିଲାମ କରାଯିବ। ଯିଏ ଅଧିକ ବୋଲି ଲାଗେଇବ ସିଏ ଏହି କୁକୁଡ଼ାକୁ ନେବ। ଏଭଳି ଏକ ଅଜବ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର