ରାସ୍ତା ଉପରେ ମାଳମାଳ ଭାଲୁ

ରଗଡ଼ି  : କୋରେଇ ବ୍ଲକ୍‌ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତ ମଲାରିଆ ଗ୍ରାମ ନିକଟରେ ଭାଲୁ ଆତଙ୍କ ସୃଷ୍ଟି ହୋଇଛି। ଆଜି ଭୋରରୁ ମଲାରିଆ ଗ୍ରାମ ନିକଟ ଜଙ୍ଗଲରୁ ତିନୋଟି ଭାଲୁ ରାସ୍ତା କଡ଼କୁ ବାହାରି ଆସିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। କିଛି ସମୟ ରାସ୍ତା କଡ଼ରେ ରହିବା ପରେ ଭାଲୁ ଗୁଡ଼ିକ ପୁଣି ଜଙ୍ଗଲକୁ ଫେରିଯାଇଥିଲେ। ଏହାକୁ ନେଇ ମଲାରିଆ-ପାଟରଙ୍ଗା ସମେତ ଆଖପାଖ ଗ୍ରାମରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।

ସନ୍ଧ୍ୟା ପରେ ଓ ଭୋରୁ ଏହି ରାସ୍ତାରେ ଯାତାୟାତ ପାଇଁ ଲୋକମାନେ ଭୟ କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ଓ ବର୍ତ୍ତମାନ ଜଙ୍ଗଲରେ ଖାଦ୍ୟ, ପାଣି ମିଳୁନଥିବାରୁ ଭାଲୁଗୁଡ଼ିକ ଗାଁ ମୁହାଁ ହେଉଥିବା ଅଭିଯୋଗ ହୋଇଛି। ମଲାରିଆ ଜଙ୍ଗଲ ଓ ଭାଲୁକାହୁଡ଼ି ଜଙ୍ଗଲରେ ପୂର୍ବରୁ ୧୬ଟି ଭାଲୁ ରହୁଥିଲେ। ରାସ୍ତା ଦୁର୍ଘଟଣାରେ କିଛି ଭାଲୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଅଞ୍ଚଳରେ ୧୦ରୁ ଅଧିକ ଭାଲୁ ରହିଛନ୍ତି। ଖରାଦିନେ ଜଙ୍ଗଲରେ ପାଣି ମିଳୁନଥିବାରୁ ରାତିରେ ଭାଲୁଗୁଡ଼ିକ ଗାଁ ନିକଟରେ ଥିବା ଜଳଉତ୍ସ ନିକଟକୁ ଚାଲିଆସୁଛନ୍ତି। ଏହି ବନ୍ୟପ୍ରାଣୀ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର