ବାରିପଦା: ରେଳ ଚଳାଚଳ କ୍ଷେତ୍ରରେ ବାରିପଦାର ରହିଛି ଗୌରବମୟ ଐତିହ୍ୟ। ରାଜ୍ୟରେ ଅଗ୍ରଣୀ ଧାରକ ଭାବେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ ଜାନୁଆରୀ ୨୦ରେ ରୁପ୍ସା-ବାଙ୍ଗିରିପୋଷି ୫୨ କି.ମି. ନ୍ୟାରୋଗେଜ୍ ରେଳ ଲାଇନ ବିଛାଇ ଥିଲେ । ଏହି ଇତିହାସକୁ ସମୃଦ୍ଧ କରିବାକୁ ବାରିପଦା ରେଳ ଷ୍ଟେସନରେ ଏକ ହେରିଟେଜ୍ ରେଳ ମ୍ୟୁଜିୟମ ଓ ସଂଯୁକ୍ତ ଇଞ୍ଜିନିୟରିଂ ବ୍ୟବସ୍ଥା ନିର୍ମାଣ ନିମନ୍ତେ ରେଳ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଏନେଇ ଦକ୍ଷିଣ - ପୂର୍ବ ରେଳ ପକ୍ଷରୁ ୧କୋଟି ଟଙ୍କାରୁ ଊର୍ଧ୍ବ ମୂଲ୍ୟର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ହେରିଟେଜ୍ ରେଳ ମ୍ୟୁଜିୟମ୍ରେ ବାରିପଦା ରେଳ ଷ୍ଟେସନ ସମ୍ମୁଖ ଓ ବିପରୀତ ପାର୍ଶ୍ବରେ ଥିବା ରାଜତନ୍ତ୍ର ଶାସନ ସମୟର ଦୁଇଟି ରେଳ ଇଞ୍ଜିନକୁ ବିଦ୍ୟୁତଚାଳିତ ଡିସ୍ପ୍ଲେରେ ପ୍ରଦର୍ଶନ କରାଯିବା ସହିତ, ରେଳ ଡବା ଓ ମୟୂରଭଞ୍ଜ ମହାରାଜାଙ୍କ ସମୟରେ ରେଳଚଳାଚଳର ଇତିହାସ ଆଦି ସ୍ଥାନ ପାଇବାନେଇ ସୂଚନା ମିଳିଛି। ଏହାକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ଏହା ଫଳରେ ଯୁବଗୋଷ୍ଠୀଙ୍କୁ ମୟୂରଭଞ୍ଜର ସମୃଦ୍ଧ ପରମ୍ପରା ବିଷୟରେ ସୂଚନା ମିଳିପାରିବ। ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ମୟୂରଭଞ୍ଜ ସେତେବେଳେ ମଧ୍ୟ ରେଳ ଚଳାଚଳ କ୍ଷେତ୍ରରେ ବିକଶିତ ଥିବା ଜାଣିପାରିବେ।
ଉଲ୍ଲେଖଯୋଗ୍ୟଯେ ତତ୍କାଳୀନ ମୟୂରଭଞ୍ଜ ମହାରାଜାଙ୍କ ପକ୍ଷରୁ ୧୯୧୮ ଡିସେମ୍ବର ୨ରେ ମୟୂରଭଞ୍ଜ ମହାରାଜା ଓ ବିଏନଆରଙ୍କ ମଧ୍ୟରେ ବାଙ୍ଗିରିପୋଷିରୁ ତାଳବନ୍ଧ ପର୍ଯ୍ୟନ୍ତ ୯.୫ କି.ମି ରେଳପଥ ସମ୍ପ୍ରସାରଣ ନିମନ୍ତେ ଏକ ଚୁକ୍ତିମାନା ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟ ୧୯୨୦ ଜୁଲାଇ ୧୫ରେ ଶେଷ ହୋଇଥିଲା ।
ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ୨ରେ ମୟୂରଭଞ୍ଜ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେଲା । କିନ୍ତୁ ମହାରାଜା ଶ୍ରୀରାମ ଚନ୍ଦ୍ର ନିର୍ମାଣ କରିଥିବା ରୁପ୍ସା – ବାଙ୍ଗିରିପୋଷି ନ୍ୟାରୋଗଜ ରେଳପଥରୁ ବ୍ରଡ୍ଗଜକୁ ରୂପାନ୍ତରିତ କାର୍ଯ୍ୟ ୨୦୦୫ ଡିସେମ୍ବର ୧୭ ଅର୍ଥାତ୍ ହେବାକୁ ଶହେ ବର୍ଷ ଲାଗି ଗଲା । ଏହାର ୧୫ ବର୍ଷ ପରେ ଅର୍ଥାତ୍ ୨୦୨୦ରେ ବାରିପଦା ରେଳ ଷ୍ଟେସନରେ ହେରିଟେଜ୍ ରେଳ ମ୍ୟୁଜିୟମ୍ ନିର୍ମାଣ ପଦକ୍ଷେପ ସ୍ବାଗତଯୋଗ୍ୟ। ଏହା ଆହୁରି ଶୀଘ୍ର କରିବାର ଥିଲା ବୋଲି ମତପ୍ରକାଶ ପାଇଛି। ସେହିପରି ମୟୂରଭଞ୍ଜବାସୀଙ୍କ ସାମୂହିକ ସ୍ୱାର୍ଥ ସହିତ ଜଡ଼ିତ ଥିବା ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଢ଼ାମରା ଚାକୁଳିଆ, ବାଦାମପାହାଡ଼- କେନ୍ଦୁଝରଗଡ଼ ରେଳପଥ ସମ୍ପ୍ରସାରଣ ନିମନ୍ତେ ତୁରନ୍ତ ଅର୍ଥ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/baripada-rail.jpg)