ଆନ୍ଧ୍ର ଉପୂକଳମୁହାଁ ବାତ୍ୟା ଅସାନି, ରାୟଗଡ଼ାରେ ହାଇଆଲର୍ଟ ଜାରି

ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼୍ରାଫ୍ ଓ ୧୦ ଅଗ୍ନିଶମ ବିଭାଗ ଟିମ୍, ୩ ସ୍ଥାୟୀ ଓ ୫୬ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ

ରାୟଗଡ଼ା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମ୍ରୁଦିକ ବାତ୍ୟା ଅସାନି ଆନ୍ଧ୍ର ଉପକୂଳ ମୁହାଁ ହୋଇଛି। ଆନ୍ଧ୍ରର କାକିନାଡ଼ାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ରାୟଗଡ଼ାରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସାରିଥିବା ବେଳେ ଆଜି ଅପରାହ୍ନରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜରୁରି ବୈଠକ ଡାକି ୧୧ ବିଡିଓ, ତହସିଲଦାର ଓ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ୍ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ବାତ୍ୟା ଅସାନିର ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍, ୩ଟି ସବ୍ ଟିମ୍,  ୧୦ଟି ଅଗ୍ନିଶମ ବିଭାଗ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ଭାମିନରେ ଓଡ଼୍ରାଫ୍ ଟିମ୍ ରହିଥିବା ବେଳେ ଆବଶ୍ୟକ ପଡ଼ିଲେ ଟିମକୁ ଗୁଡାରି ଓ ଗୁଣପୁରରେ ମୁତୟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେହିପରି ବନ୍ୟା ପ୍ରବଣ ଅଞ୍ଚଳ କଲ୍ୟାଣସିଂହପୁର ଓ ଶେଷଖାଲରେ ଅଗ୍ନିଶମ ଦଳକୁ ମୁତୟନ କରାଯିବ। କ୍ଷେତରେ ଥିବା ଫସଲକୁ ବାତ୍ୟା ପୂର୍ବରୁ ଅମଳ ଏବଂ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ହୋଇଛି। ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ରାୟଗଡ଼ାରେ ମଧ୍ୟମ ଧରଣର ବର୍ଷା ହେବ। ବର୍ଷା ପରିମାଣ ବଢ଼ିଲେ ହିଁ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ନଚେତ୍ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ଥିବା ୩ ସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ୫୬ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ସମସ୍ତ ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଡ଼ିଓ, ତହସିଲଦାର ପୂର୍ବ ପ୍ରସ୍ତୁତି ଶେଷ କରିଛନ୍ତି।

ସମ୍ବନ୍ଧିତ ଖବର