ବାତ୍ୟା ଗୁଲାବ୍ ମୁକାବିଲା ପାଇଁ ସଜାଗ ପ୍ରଶାସନ: ରାୟଗଡ଼ାରେ ହାଇଆଲର୍ଟ 

ରାୟଗଡ଼ା: ବାତ୍ୟା ଗୁଲାବକୁ ନେଇ ରାୟଗଡ଼ାରେ ହାଇଆଲର୍ଟ ଜାରି କରିଛି ପ୍ରଶାସନ। ଜିଲ୍ଲାର ୧୦୧ ଗାଁ ଅତି ସମ୍ବେଦନଶୀଳ ଚିହ୍ନଟ ପରେ ସଂଧ୍ୟା ସୁଦ୍ଧା ୧୧ ବ୍ଲକରୁ ୧୦୧୧ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଏବଂ ୧୦୫ ଗର୍ଭବତୀ/ଆସନ୍ନ ପ୍ରସବାଙ୍କୁ ମା’ ଗୃହ ଓ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନାଗାବଳୀ, କଲ୍ୟାଣୀ ଜଳସ୍ତର ସ୍ଥିର ଥିବା ବେଳେ ହରଭଙ୍ଗୀ ଡ୍ୟାମର ୩ଟି ଗେଟ୍ ଖୋଲିବା ପରେ ବଂଶଧାରା ଜଳସ୍ତର ବଢ଼ିବାରେ ଲାଗିଛି।

ରବିବାର ସଂଧ୍ୟାରେ ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ପରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦିନ ତମାମ ଆକାଶ ମେଘାଚ୍ଛନ୍ନ ଥିଲେ ମଧ୍ୟ ମାତ୍ର ୩୧.୪ ମିମି ବର୍ଷା ରେକର୍ଡ ହୋଇଛି। ରାତିରେ ଏବଂ ସୋମବାର ସକାଳେ ବର୍ଷା ପରିମାଣ ବଢ଼ିବାର ଆଶଙ୍କା ଥିବାରୁ ପାହାଡ଼ ତଳି, ନଈକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସଂଧ୍ୟା ସୁଦ୍ଧା ବଂଶଧାରା ଜଳସ୍ତର ସତର୍କ ସଙ୍କେତ ତଳେ ୮୧.୭୩ ମିଟରରେ ପ୍ରବାହିତ ହେଉଛି। ସେହିପରି ନାଗାବଳୀ ଜେକେପୁରଠାରେ ୨୧୨.୦୬ ମିଟର, କଲ୍ୟାଣସିଂହପୁରରେ ୩୪୪.୭୨ ମିଟରରେ (ସତର୍କ ସଙ୍କେତ ତଳେ) ପ୍ରବାହିତ ହେଉଛି। ନାଗାବଳୀ ଓ ବଂଶଧାରା ତଳମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ଓ ତୋଟାପଲ୍ଲୀ ବ୍ୟାରେଜ୍ ଉପରେ ତୀକ୍ଷଣ୍ ନଜର ରଖିଛି ପ୍ରଶାସନ। ବଂଶଧାରା ତଳମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ବ୍ୟାରେଜକୁ ଘଣ୍ଟାକୁ ୮୬୧୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ୍ ପରିମାଣର ଜଳ ଡ୍ୟାମରୁ ଛଡ଼ାଯାଉଛି।

ନାଗାବଳୀ ତଳମୁଣ୍ଡରେ ଥିବା ତୋଟାପଲ୍ଲୀ ବ୍ୟାରେଜକୁ ଘଣ୍ଟାକୁ ୨୨୭୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ଆଶଙ୍କା ଦୃଷ୍ଟିରୁ ଡ୍ୟାମରୁ ୧୦୬୧୯ କ୍ୟୁସେକ୍ ଜଳ ଛଡ଼ାଯାଉଛି। ହରଭଙ୍ଗୀ ଡ୍ୟାମକୁ ଘଣ୍ଟାକୁ ୨୩.୯୨୫ କ୍ୟୁବିକ୍ ମିଟର ଜଳ ପ୍ରବେଶ କରୁଥିବା ବେଳେ ଛଡ଼ାଯାଉଛି ୩୪.୪୫୨ କ୍ୟୁବିକ ମିଟର ଜଳ। ଗଜପତି-ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଥିବାରୁ ଆଗୁଆ ପଦକ୍ଷେପ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ୩ଟି ଗେଟ୍ ଖୋଲିଛନ୍ତି। ବଂଶଧାରା, କଲ୍ୟାଣୀ, ନାଗାବଳୀ ନଈକୂଳିଆ ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ବ୍ଲକରୁ ୨୯, କଲ୍ୟାଣସିଂହପୁରରୁ ୬୩, କୋଲନରାରୁ ୪୯, ମୁନିଗୁଡ଼ାରୁ ୧୦୭, ବିଷମକଟକରୁ ୧୫୫, ଗୁଣପୁରରୁ ୩୭୫, ପଦ୍ମପୁରରୁ ୧୪୯, ରାମନାଗୁଡ଼ାରୁ ୪୦, ଗୁଡ଼ାରିରୁ ୪୭ ଜଣଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ସ୍ଥାନାନ୍ତର କରିଛି। ବନ୍ୟା ପ୍ରବଣ ଅଞ୍ଚଳ ଗୁଣପୁରରେ ୪ଟି ଓଡ଼୍ରାଫ୍ ଟିମ୍, ୨ଟି ଏନଡିଆରଏଫ୍ ଟିମ୍, କଲ୍ୟାଣସିଂହପୁରରେ ଗୋଟିଏ ଓଡ଼୍ରାଫ୍ ଟିମ ଏବଂ ରାୟଗଡ଼ାରେ ଗୋଟିଏ ଓଡ଼୍ରାଫ୍ ଟିମକୁ ମୁତୟନ କରି ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ।

ସେହିପରି ଜିଲ୍ଲାରେ ୧୨ଟି ଅଗ୍ନିଶମ ବାହିନୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ବର୍ଷା ପ୍ରଭାବରେ ମାଟି ଅତଡ଼ା ଧସିବା ସହ ରେଳ ଲାଇନରେ ପାଣି ଜମିବାର ଆଶଙ୍କା ଥିବାରୁ ଅଘଟଣ ଏଡ଼ାଇବା ପାଇଁ ରେଳ ବିଭାଗ ୨୬ ଓ ୨୭ ତାରିଖ ଦୁଇ ଦିନ ପାଇଁ ଉଭୟ ପାର୍ଶ୍ବରୁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ, ଜୁନାଗଡ଼-ଭୁବନେଶ୍ବର, ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳକୁ ବାତିଲ୍ କରିଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସପି ବିବେକାନନ୍ଦ ଶର୍ମା, ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ ଜେନା ବିଭିନ୍ନ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଡ଼ିଓ-ତହସିଲଦାର-ଥାନା ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହେବା ସହ ଜିଲ୍ଲା ସଦର ମହକୁମାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି।

ସମ୍ବନ୍ଧିତ ଖବର