ଝାରସୁଗୁଡ଼ା: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ହାଇକୋର୍ଟଙ୍କ ବିଲଡିଂ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଡ. ବି.ଆର୍‌. ଷଡଙ୍ଗୀ ଗୁରୁବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ଆଦର୍ଶ ବାର୍‌ କୋଠାର ଶିଳାନ୍ୟାସ କରିଛନ୍ତି। ୫ କୋଟି ଟଙ୍କାରେ ୩ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥିରେ ଡିସ୍‌ପେନ୍‌ସରି, ଲାଇବ୍ରେରି, ପୋଷ୍ଟ ଅଫିସ୍‌, କ୍ୟାଣ୍ଟିନ୍‌ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ରହିବ। ନିଜ ବକ୍ତବ୍ୟରେ ଜଷ୍ଟିସ୍‌ ଷଡ଼ଙ୍ଗୀ କହିଥିଲେ, ଏକଦା ଝାରସୁଗୁଡ଼ା ଓକିଲ ସଂଘ ନିଜ ପାଖରେ ଥିବା ୫ ଲକ୍ଷ ଟଙ୍କାକୁ ଭିତ୍ତିଭୂମି ବିକାଶରେ ବିନିଯୋଗ କରିବାକୁ ଅନୁମତି ମାଗିଥିଲା। କିନ୍ତୁ ସେତେବେଳେ ସେ ମନା କରିଥିଲେ। ଏବେ ସମୟ ଆସିଯାଇଛି ଉକ୍ତ ଟଙ୍କାକୁ ବିନିଯୋଗ କରିବାର। ସେହି ଟଙ୍କାରେ ବାର୍‌ କୋଠାରେ ଏକ ଉତ୍ତମ ପାଠାଗାର ନିର୍ମାଣ କରିବାକୁ ଜଷ୍ଟିସ୍‌ ଷଡ଼ଙ୍ଗୀ ଜିଲ୍ଲା ଓକିଲ ସଂଘକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ, ଝାରସୁଗୁଡ଼ା ହେଉଛି ଧନୀ ଓକିଲ ସଂଘ। ଲାଇବ୍ରେରି ହେଉଛି ଜିଲ୍ଲା ଓକିଲ ସଂଘର ସବୁଠୁ ବଡ଼ ସମ୍ପତ୍ତି। ରାଜ୍ୟର ଅନେକ ସ୍ଥାନରେ ଭଲ ପାଠାଗାରଟିଏ ନାହିଁ। ତେଣୁ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ଏହି ପଦକ୍ଷେପ ନେଇ ନିଜ ତଥା ଅଞ୍ଚଳର ଲୋକଙ୍କ ଜ୍ଞାନବୃଦ୍ଧି ପାଇଁ ଉଦ୍ୟମ କରିବ ବୋଲି ଜଷ୍ଟିସ୍‌ ଷଡ଼ଙ୍ଗୀ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର, ଜିଲ୍ଲା ଦୌରା ଜଜ୍‌ ଦିଗମ୍ବର ପୃଷ୍ଟି, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପରମାର ପି, ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ୍‌ କମାଣ୍ଡାଣ୍ଟ ଆଶିଷ ଦୁବେ, ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ଉପସ୍ଥିତ ଥିଲେ।