କଟକ: ବାହୁଡ଼ା ଓ ସୁନାବେଶ ସମୟରେ ପୁରୀକୁ ଟ୍ରେନ୍ ଯୋଗେ ଯାତାୟାତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଯେପରି କୌଣସି ସମସ୍ୟା ନ ହେବ ତାହା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଠିକ ସମୟରେ ଚଳାଚଳ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ପୁରୀ ରୁଟ୍‌ରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବା ପାଇଁ ରେଳ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଘୋଷଣା କରାଯାଇଥିବା ସମୟ ନିର୍ଘଣ୍ଟ ଅନୁସାରେ ଟ୍ରେନ୍ ଗୁଡିକ ଯେପରି ଚାଲିବ ସେଥିପାଇଁ ରେଳବାଇ ପଦକ୍ଷେପ ଗ୍ରହଣ କରିବ।

Advertisment

ଯଦି କିଛି ସମସ୍ୟା ଦେଖାଦିଏ ତେବେ ତାହା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ସମୟରେ ଟ୍ରେନ୍ ଗୁଡିକ ଯେପରି ଗନ୍ତବ୍ୟସ୍ଥଳରେ ପହଞ୍ଚିବ, ତାହା ରେଳବାଇ ସୁନିଶ୍ଚିତ କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସରସ୍ବତୀ ବେହେରାଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ହାଇକୋର୍ଟ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମାମଲାରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ, ଖୋର୍ଦ୍ଧାରୋଡ୍ ଡିଆରଏମ, ପୁରୀ ଷ୍ଟେସନ ମାଷ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କେ‌.କେ.ସ୍ବାଇଁ ମାମଲା ପରିଚାଳନା କରୁଥିଲେ।