ବାଲିଅନ୍ତା :ସ୍ଥାନୀୟ ବଇଁଚୁଆ ପଞ୍ଚାୟତ ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ମାଡ଼ିଥିବା ୫୨ ଜଣ ବ୍ୟକ୍ତିଙ୍କର ବେଆଇନ ନିର୍ମାଣ କାର୍ଯ୍ୟ ଭାଙ୍ଗିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଅର୍ଡ଼ର ନମ୍ବର ୨୫୦୦୦୩୦୩/୧୪ ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ବାଲିଅନ୍ତା ତହସିଲଦାରଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ଶେ‌ଷ ସପ୍ତାହ ସୁଦ୍ଧା ଜବରଦଖଲ କାର୍ଯ୍ୟ ଉଚ୍ଛେଦ କାର୍ଯ୍ୟ ଶେଷ କରି ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଗତ  ୨୦୧୫ ରେ ଜବରଦଖଲ ଉଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦପ୍ତରରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ହେଲେ ଜବରଦଖଲକାରୀ ଜିଲ୍ଲା ପ୍ରଶାସନକୁ ଅସହଯୋଗ କରିବାରୁ ଉଚ୍ଛେଦ କାର୍ଯ୍ୟ ହୋଇପାରିନଥିଲା। ତେଣୁ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା। ରାସ୍ତାର ଅବସ୍ଥିତି ଯେତିକି ଥିଲା ସେତିକି ଅଂଶରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା। ବେଆଇନ ନିର୍ମାଣ କାର୍ଯ୍ୟ ନ ଭଙ୍ଗାଯିବା ପାଇଁ ଜବରଦଖଲକାରୀ ବ୍ୟକ୍ତିବିଶେ‌ଷ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। କୋର୍ଟ ନିର୍ଦ୍ଦେଶ ଆଧାରରେ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ତ୍ବରିତ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ୫୨ ଜଣଯାକ ଜବରଦଖଲକାରୀଙ୍କ ପାଖକୁ ୭ ଦିନିଆ ନୋଟିସ ପଠାଇବା ପାଇଁ  କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଇଁଚୁଆ ଆରଆଇଙ୍କୁ ଜବରଦଖଲକାରୀ ସୀମା ଚିହ୍ନଟ କରି ରଙ୍ଗ ଦେବା ପାଇଁ କହିଛନ୍ତି । ଆସନ୍ତାକାଲି ଠାରୁ ରାସ୍ତା ଜବରଦଖଲ ଅଂଶରେ ଚିହ୍ନଟ କାର୍ଯ୍ୟ ଆରମ୍ଭ ହେବ ବୋଲି ତହସିଲଦାର କହିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୫ ମସିହାରେ ବଇଁଚୁଆ –ଗୋତଳବିନ୍ଧା ପର୍ଯ୍ୟନ୍ତ ୩ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ନବୀକରଣ ଓ ସଂପ୍ରସାରଣ କାର୍ଯ୍ୟ କରାଯାଇଥିଲା। ହେଲେ ୫୨ ଜଣ ଲୋକଙ୍କ ଜବରଦଖଲ ଅଂଶରୁ ଉଚ୍ଛେଦ ହୋଇ ପାରିନଥିଲା। ଉଭୟ ପାର୍ଶ୍ବ ରାସ୍ତାରେ ଜବରଦଖଲକାରୀଙ୍କ ଘର, ଚା‘ ପାନ, ଜଳଖିଆ ଦୋକାନ ଘର, ଠାକୁର ମଣ୍ଡପ, ଗୁହାଳ ଘର ଭଳି ବେଆଇନ ନିର୍ମାଣ କାର୍ଯ୍ୟ ରହିଯାଇଥିଲା। ସେସବୁକୁ ଭଙ୍ଗାଯାଇ ରାସ୍ତା ଚଉଡ଼ା କରିବାକୁ କୋର୍ଟ ନିଜ ରାୟରେ କହିଛନ୍ତି ।