ସିଡିଏମଓଙ୍କ କାର୍ଯ୍ୟାଳୟରେ ହାଇଡ୍ରାମା : ଡାକ୍ତରଙ୍କୁ ମୁଣ୍ଡିଆ ମାରି ଓ ହାତ ଯୋଡ଼ି ଅନଶନରୁ ଉଠାଇଲେ ସିଡିଏମଓ

ନବରଙ୍ଗପୁର  : ସିଡିଏମଓଙ୍କ ଦୁର୍ବବ୍ୟହାର ଓ ମାନସିକ ନିର୍ଯାତନା ଅଭିଯୋଗ କରି ଅନଶନ ରେ ବସିଥିବା ଡାକ୍ତରଙ୍କୁ ହାତ ଜୋଡି ଓ ମୁଣ୍ଡିଆ ମାରି ଅନଶନ ରୁ ଉଠାଇଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ। ଏପରି ଏକ ନୁଆ କୌତୁହଳ ପୁର୍ଣ୍ଣ ଓ ହାଇ ଭୋଲଟେଜ୍ ଡ୍ରାମା  ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ନରବଙ୍ଗପୁର ଜିଲ୍ଲା  ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସଚିକାନ୍ତ ଲେଙ୍କାଙ୍କୁ ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଆଜି ଡା.ଶ୍ରୀ ଲେଙ୍କା ସିଡିଏମଓ ଙ୍କ ଚାମ୍ବର  ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ  । ଡାକ୍ତର ଶ୍ରୀ ଲେଙ୍କା କହିଛନ୍ତି ତାଙ୍କୁ ସିଡିଏମଓ ବାରମ୍ବାର ମାନସିକ ନିର୍ଯାତନା ଦେଇ ଆସିଥିବା ବେଳେ ଆଜି ତାଙ୍କୁ କୁକର ସହ ତୁଳନା କରିଛନ୍ତି । ସେଥି ପାଇଁ ସେ ସମସ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅନଶନ ରେ ବସିବେ। ସେ ୨୦୧୬ ମସିହାରୁ ତେନ୍ତୁଳିଖୁଣ୍ଟି ସିଏଚସିରେ କାର୍ଯ୍ୟ କରୁଛନ୍ତି । ୨୦୧୯ ନଭେମ୍ବର ମାସରେ ତାଙ୍କୁ  ଡେଙ୍ଗୁ ଜ୍ୱର ହୋଇଥିବାରୁ ମାସକ ପାଇଁ ଛୁଟିରେ ରହିଥିଲେ । ଯେଉଁ ସମୟରେ ଛୁଟିରେ ରହିଥିଲେ ସେହି ଇଏଲ ୨ ବର୍ଷ ହୋଇଗଲା ମଞ୍ଜୁରୀ ହୋଇନାହିଁ । ଯାହା ଫଳରେ ତାଙ୍କୁ ୨ ବର୍ଷ ହେବ ବର୍ଦ୍ଧିତ ଦରମା ମିଳୁନାହିଁ।  ସେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଯୋଗଦେବା ପରେ ତାଙ୍କୁ ଗ୍ରୁପ୍ କ୍ବାର୍ଟରରେ ରଖାଯାଇଥିଲା। ୨୦୧୮ ମସିହା ରେ ବିବାହ କରିବା ପରେ ତାଙ୍କୁ ଆଜି ପର୍ଯ୍ୟନ୍ତ କ୍ବାର୍ଟର ଦିଆଗଲା ନାହିଁ। ଅପରପକ୍ଷେ ଏନଆରଏଚଏମ୍ କର୍ମଚାରୀଙ୍କୁ କ୍ବାର୍ଟର ଦିଆଯାଇଛି। ଯାହା ଫଳରେ ସେ ନବରଙ୍ଗପୁର ରେ ଭଡା ଘରେ ରହି ଆସୁଛନ୍ତି।  କେବଳ ସେ ନୁହନ୍ତି ମେଡିକାଲ ଅଧିକାରୀ ବି ନବରଙ୍ଗପୁରରେ ରହି ଯାଆସ କରୁଛନ୍ତି। ତଥାପି ସେ ଦିନରାତି ଡ୍ୟୁଟି କରୁଛନ୍ତି। ତେବେ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ୯ ମାସ ହେବ କେବିକେ ଆଲାଉନସ୍ ମିଳୁପାରୁ ନାହିଁ। ଯଦି ତାଙ୍କୁ ମିଳୁନାହିଁ ତେବେ ନବରଙ୍ଗପୁର ସହର ରେ ରହି ଯାଆସ କରୁଥିବା ଅନ୍ୟ ଡାକ୍ତର ମାନଙ୍କୁ କିପରି ଭାବେ ଦିଆଯାଉଛି। ତେନ୍ତୁଳିଖୁଣ୍ଟି ସିଏଚସିର ମେଡିକାଲ ଅଧିକାରୀ  ଓ ତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବାରୁ ତାଙ୍କୁ ବାରମ୍ବାର ଡେପୁଟେସନ କରି ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି । ଏ ମଧ୍ୟରେ ତାଙ୍କୁ ଚନ୍ଦାହାଣ୍ଡି, ଉମରକୋଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ କରିଛନ୍ତି। ସେ ପିଲାଛୁଆଙ୍କୁ ଧରି କିପରି ଭାବେ ବାରମ୍ବାର ବିଭିନ୍ନ ଡାକ୍ତରଖାନାକୁ କାମ କରିବାକୁ ଯିବେ।  ଗତ ସମବାର ଦିନ ସେ ସିଡିଏମଓଙ୍କ ନିକଟକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ସେହି ଦିନ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିବା ପାଇଁ କହିଥିଲେ। ସିଡିଏମଓ ହେଉଛନ୍ତି ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ। ତେବେ ସେ ଆଉ କାହା ନିକଟରେ ଅଭିଯୋଗ କରିବେ। ଆଜି ପୁଣି ଯେତେବେଳେ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଆସିଲେ ସେତେବେଳେ ସେ କାନ ରେ ହେଡ୍ ଫୋନ୍ ଦେଇଥିଲେ। ସେ ତାବଙ୍କ କଥା କିଛି ଶୁଣିଲେ ନାହିଁ। ଶେଷରେ ସେ ଚାଲିଯିବା ପାହିଁ କହିଲେ। ସେ ରୁମ୍ ରୁ ଆସିବା ପରେ କିଛି କର୍ମଚାରୀଙ୍କୁ ‘ ସେ ଆସି କଣ ଭୁକୁଥିଲା ’ ବୋଲି ପଚାରିଥିଲେ। ତେବେ ସେଡ ଜଣେ ଡାକ୍ତର। ତାଙ୍କୁ ଗୋଟିଏ କୁକୁର ସହିତ ତୁଳନା କରି ଦୁର୍ବବ୍ୟହାର କରିଥିବା ଏବଂ ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଇଥିବାରୁ ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସିଥିବାର ପ୍ରକାଶ କରିଥିଲେ। ସେ କହିଥିଲେ କେବିକେ ଜିଲ୍ଲାକୁ ଡାକ୍ତର ମାନେ ଆସିବା ପାଇଁ ଅନିଛା ପ୍ରକାଶ କରୁଥିବା ବେଳେ ତାଙ୍କ ଭଳି ଡାକ୍ତର ମାନେ ଅନ୍ୟ ସହଯୋଗୀ ମାନଙ୍କୁ ଉତ୍ସାହିତ କରୁଛନ୍ତି। ଯଦି ଏପରି ସିଡିଏମଓ ଜିଲ୍ଲାରେ ରହିବେ ତେବେ କେବିକେ ଜିଲ୍ଲା ଗୁଡିକରେ କେହି ଡାକ୍ତର ରହିବେ ନାହିଁ ବୋଲି କହିଥିଲେ। ସିଡିଏମଓ ହେବା ମଧ୍ୟରେ କେତେଥର ତେନ୍ତୁଳିଖୁଣ୍ଟି ଗ୍ରସ୍ଥ କରିଥିବା ପଚାରିଥିଲେ। ସେ କହିବା ବେଳେ କାନ୍ଦି ପକାଇଥିଲେ।

ଏହି ଖବର ପ୍ରସାରିତ ହେବା ମାତ୍ରେ ବିଜେପି ଯୁବ ନେତା କାହ୍ନୁ ଦାସ ,  ଗୌରୀଶଙ୍କର ମାଝୀ , ମହିଳା ମୋର୍ଚ୍ଚା ସଭାପତି ସର୍ମିଷ୍ଟା ଦେଓ ଓ ସହଯୋଗୀ ମାନେ ଆସି ତୁରନ୍ତ ଏହି ସମସ୍ୟାରେ ସମାଧାନ କରିବା ପାଇଁ ସିଡିଏମଓଙ୍କୁ ତାଗିଦ କରିବା ସହ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କ ହସ୍ତକ୍ଷେପ ଲଢ଼ିଥିଲେ। ଜିଲ୍ଲାପାଳ ଆଜି ଜିଲ୍ଲା ଗ୍ରସ୍ତରେ ଥିବାରୁ ସେ ଅତିରିକ୍ତ ଜିଲ୍ଲାପାଳ ଭାଷ୍କର ରଇତଙ୍କୁ ପଠାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ରଇତ ହସ୍ତକ୍ଷେପ କରି ଉଭୟ ଧରଣାରତ ଡକ୍ଟର  ଓ ସିଡିଏମଓ ଙ୍କ ସହିତ ଆଲୋଚନା କରି ମାମଲା କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ଏଭଳି ସମୟରେ ସିଡିଏମଓ ଡା.ଶୋଭାରଣୀ ମିଶ୍ର ଙ୍କ ଡ୍ରାମା ଦେଖିବାକୁ ମିଳିଥିଲା । ସେ ନିଜେ ଭୁଲ କରିଥିବା ସ୍ୱୀକାର କରିବା ସହିତ ଧାରଣାରତ ଡକ୍ଟର ଙ୍କୁ ହାତ ଯୋଡି  କ୍ଷମା ପ୍ରାର୍ଥନା କରିବା ସହିତ ମୁଣ୍ଡିଆ ମାରିଥିଲେ ଏପରିକି ବିଜେପି କର୍ମକର୍ତ୍ତାଙ୍କୁ ବି ମୁଣ୍ଡିଆ ମାରିବା ପଛାଇନଥିଲେ ।  ଯାହା ବର୍ତ୍ତମାନ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଅତିରିକ୍ତ ଜିଳ୍ଲାପାଳ ଡାକ୍ତରଙ୍କ ସମସ୍ତ ଫାଇଲ ମାଗି ଜିଲ୍ଲାପାଳଙ୍କ ଦ୍ବାରା ସମସ୍ତ ସମାଧାନ କରାଯିବ ବୋଲି ପ୍ରତିଶୁତି ଦେବା ପରେ ଡାକ୍ତର ଶ୍ରୀ ଲେଙ୍କା ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର