ସୁନ୍ଦରଗଡ଼ରେ ଏମିତି ଚାଲିଛି ହାଇସ୍କୁଲ ରୂପାନ୍ତରଣ; ଛାତରୁ ପାଣି ଗଳୁଛି, ଟାଇଲ୍ସ ଫାଟିଲାଣି, ଫଟା କାନ୍ଥରେ ରଙ୍ଗ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ବିକାଶ ନିଗମ (ଓମବାଡସି) ପାଣ୍ଠିରେ ଜିଲ୍ଲାର ୨୭୭ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାମ ଚାଲିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୮୨ଟି ମଧ୍ୟରୁ ୬୭ଟି ବିଦ୍ୟାଳୟ ରୂପାନ୍ତରଣ ଶେଷ ହୋଇଯାଇଛି। ଏଥିପାଇଁ ସ୍କୁଲ ପିଛା ୬୦ ଲକ୍ଷରୁ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବହୁ ବିଦ୍ୟାଳୟ ଉପରେ ଚକାଚକ, ଭିତର ଫଟା ଥିବା ଦେଖାଯାଇଛି। ବିଦ୍ୟାଳୟର ପୁରୁଣା କାନ୍ଥ, ପାଚେରିରେ ଆଖି ଝଲସା ରଙ୍ଗ ଓ ପୂର୍ବର ସିମେଣ୍ଟ ଚଟାଣରେ ଟାଇଲ୍ସ ଲଗାଇ ଭିତରର ଫଟାକୁ ଲୁଚାଇଦେବାକୁ ଚେଷ୍ଟା କରାଯାଇଛି। କିନ୍ତୁ କାମର କିଛି ଦିନ ମଧ୍ୟରେ ସେ ଫଟା ଅଂଶ ପଦାକୁ ଫୁଟି ବାହାରିଛି।

ଅନ୍ୟପଟେ ବହୁ ସ୍ଥାନରେ ବ୍ୟବହୃତ ନିମ୍ନମାନର ନିର୍ମାଣ ସାମଗ୍ରୀ ଫାଟି ଯାଇଥିବା ଅଥବା ଦଦରା ହୋଇଯାଇଥିବା ଦେଖାଯାଇଛି। ନିର୍ଦ୍ଧାରିତ ମୂଲ୍ୟର ନାମୀ (ବ୍ରାଣ୍ଡେଡ୍‌) ସାମଗ୍ରୀ ବଦଳରେ ସାଧାରଣ କମ୍ପାନିର ଅତି ନିକୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏଠାରେ ସୁନ୍ଦରଗଡ଼ ଜିଲ୍ଲା ମହକୁମାସ୍ଥିତ ରୂପାନ୍ତରିତ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ଓ ରୂପାନ୍ତରଣ କାମ ଚାଲିଥିବା ପୁଲିସ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଦାହରଣ ନିଆଯାଇପାରେ। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ରୂପାନ୍ତରିତ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ଭିତରେ ବହୁ ସ୍ଥାନରେ ଫଟା କାନ୍ଥକୁ ମରାମତି ନକରି ତା ଉପରେ ରଙ୍ଗ ମାରି ଦିଆଯାଇଛି। ଟାଇଲ୍‌ ଲଗା ଛାତର ଖାଇ ଯାଇଥିବା ପୁରୁଣା କାଠରେ ରଙ୍ଗ ଲଗାଇ ଯେନତେନ ପ୍ରକାରେ କାମ ସାରି ଦିଆଯାଇଛି। ସେହିପରି ଚଟାଣ ଓ ବେସିନରେ ଲଗାଯାଇଥିବା ଏକାଧିକ ଟାଇଲ୍ସ ଫାଟି ଯାଇଥିବା ଦେଖାଯାଇଛି।

ମୁଖ୍ୟ ଫାଟକରେ ନାମକୁ ମାତ୍ର କାଓ କେଚର ଲଗାଯାଇଥିବା ବେଳେ ତାକୁ ଅନାୟସରେ ଡେଇଁ ବୁଲା ଗୋରୁ, କୁକୁର ପଶି ଆସୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ପୋତି ହୋଇଯାଇଥିବା ବେଳେ ତାକୁ ସେମିତି ଛାଡ଼ି ଦିଆଯାଇଛି। ବିଦ୍ୟାଳୟର କିଛି ପକ୍କା ଛାତକୁ ଗ୍ରିଡିଂ କରାଯାଇଥିଲେ ମଧ୍ୟ ଠିକ୍‌ କାମ ହୋଇ ନଥିବାରୁ ସାମାନ୍ୟ ବର୍ଷାରେ ପାଣି ଗଳୁଥିବା ଦେଖାଯାଇଛି। ଅନ୍ୟପଟେ ବିଦ୍ୟାଳୟରେ ନିମ୍ନମାନର ଉପକରଣ ଲଗାଇ ଚଢ଼ା ବିଲ୍‌ କରାଯାଇଥିବା ଅଭିଯୋଗ ହୋଇଛି। ସ୍ମାର୍ଟ ଶ୍ରେଣୀକକ୍ଷରେ ସ୍ମାର୍ଟ ବ୍ୟାଞ୍ଚ, ଡେକ୍ସ ଦିଆଯିବାକୁ ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ ଅନେକ କକ୍ଷରେ ପୁରୁଣା ଲୁହା ବ୍ୟାଞ୍ଚ, ଡେକ୍ସରେ ପିଲା ପାଠ ପଢ଼ୁଛନ୍ତି। ସେହିପରି ନିର୍ମାଣାଧୀନ ପୁଲିସ ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ଟାଇଲ୍ସ କାମ ଆରମ୍ଭ ହୋଇଛି।

ତେବେ ସେଠାରୁ ମୂଳରୁ ଫଟା ଟାଇଲ୍ସ ଲଗାଇଥିବା ଦେଖାଯାଇଛି। ଉଚ୍ଚ ବିଦ୍ୟାଳୟ ପଛ ପଟ ପୂରା କାନ୍ଥ ଦଦରା ହୋଇ ଯାଇଥିବା ବେଳେ ତାର ସମ୍ପୂର୍ଣ୍ଣ ପଲସ୍ତରା କରିବା ପରିବର୍ତ୍ତେ ଠାଏ ଠାଏ ପୁରୁଣା ପଲସ୍ତରାକୁ ହଟାଇ ଠିକାଦାର ନାମକୁ ମାତ୍ର ମରାମତି କରିଦେବାକୁ ବସିଛି। ତେବେ ଜିଲ୍ଲାପାଳ ଓ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଆଖି ଆଗରେ ଥିବା ଜିଲ୍ଲା ସଦର ମହକୁମାସ୍ଥିତ ବିଦ୍ୟାଳଳୟର ରୂପାନ୍ତରଣ ଚିତ୍ର ଯଦି ଏମିତି ରଙ୍ଗମରା, ଜିଲ୍ଲାର ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କେମିତି ଥିବ ତାହା ସହଜେ ଅନୁମେୟ। ଏହା ମଧ୍ୟରେ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟର କାମର ମାନକୁ ଦେଖି ପୁରାତନ ଛାତ୍ରଛାତ୍ରୀ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠାଇବା ସହ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ତା’ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର