ଆଳି: କଟକ-ଚାନ୍ଦବାଲି ରାସ୍ତା ପାଲଟିଛି ମରଣଯନ୍ତା। ଗତ ୬ ମାସ ମଧ୍ୟରେ ଏହି ରାସ୍ତାରେ ୭ରୁ ଅଧିକ ଅମୂଲ୍ୟ ଜୀବନହାନି ସହିତ ୩୦ରୁ ଅଧିକ ଲୋକ ଦୁର୍ଘଟଣାରେ ଗୁରୁତର ହୋଇ ଅକର୍ମଣ୍ୟ ହୋଇପଡିଛନ୍ତି। ଏସବୁ ଦୁର୍ଘଟଣା ପାଇଁ ଦ୍ରୁତ ଓ ଲଗାମଛଡା ଗାଡି ଚାଳନାକୁ ହିଁ ଦାୟୀ କରାଯାଉଛି। ପୁଲିସ, ପ୍ରଶାସନ ଏହି ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକ ଉପରେ ରୋକ୍ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି। ଗତମାସ ୨୫ ତାରିଖରେ ଶବ ସଂସ୍କାର ସାରି ଏକ ଅଲଟୋ କାରରେ ଫେରୁଥିବା ବେଳେ କଟକ -ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁର ଛକ ଆକ୍ସିସ ବ୍ୟାଙ୍କ ଆଗରେ ଛିଡା ହୋଇଥିବା ଏକ ଆଇଚର ଗାଡିକୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର୍ ଭିତରେ ଥିବା ଜୟନଗର ସରପଞ୍ଚ ପ୍ରଦୀପ ଦାସଙ୍କର ମୃତ୍ୟୁ ଘଟିଥିଲା। କୋଇଲିପୁରର ନିରାକାର ବେହେରା, ଜ୍ୟୋତି ପ୍ରକାଶ ବେହେରା, କାର୍ତ୍ତିକ ସାହୁ ଓ ଡ୍ରାଇଭର ରାଜକିଶୋର ଲେଙ୍କା ଗୁରୁତର ଆହତ ହୋଇ ଏବେ ବି ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା ହିଁ ଦୁର୍ଘଟଣାର କାରଣ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଉକ୍ତ ରାସ୍ତାରେ ଲଗାତାର ଦୁର୍ଘଟଣାକୁ ନେଇ ସାଧାରଣରେ ଏକପ୍ରକାର ଆତଙ୍କ ଖେଳି ଯାଇଛି। ଲୋକେ ଡରୁଛନ୍ତି ରାସ୍ତାକୁ ବାହାରିବାକୁ। ଗତ ଜାନୁଆରୀ ୪ ତାରିଖରେ ଛପୋଲିଆ ପଏଣ୍ଟରେ ଏକ ଯାତ୍ରୀବାହୀ  ବସ୍ ହାଇୱା ଧକ୍କା ଯୋଗୁଁ ୩୬ ଯାତ୍ରା ଆହତ ହୋଇଥିଲେ। ଫେବ୍ରୁଆରି ୨୦ ତାରିଖ ସନ୍ଧ୍ୟାରେ ଏକ ବାଇକ ଓ ସାଇକଲ ମୁହାଁମୁହିଁ ଧକ୍କା ଯୋଗୁଁ ଧାନମଣ୍ଡଳ ଗ୍ରାମର ଅକ୍ଷୟ ସାହୁଙ୍କ ୧୮ ବର୍ଷର ପୁଅ ରାଜେଶ ଗୁରୁତର ଆହତ ହୋଇ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ସେହିଦିନ ବିଳମ୍ବିତ ରାତିରେ ବିଞ୍ଝାରପୁର ଥାନା କଣ୍ଟିତରା  ବିଶ୍ବଜିତ ବେହୁରିଆ (୨୮)ଙ୍କ ବାଇକକୁ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ଓ ସହଯାତ୍ରୀ ସନ୍ତୋଷ ବେହେରା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଫେବ୍ରୁଆରି ୨୫ ତାରିଖ ରାତିରେ ମଟର ସାଇକଲ ଚାଳକ ପାଟପୁରର ଦିଗମ୍ବର ଦାଶ(୫୭)ଙ୍କ ହାଇୱା ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ସେହି ନିର୍ଦିଷ୍ଟ ସ୍ଥାନରେ ଚଣ୍ଡିଆଗଡି ଗ୍ରାମର ଅଧ୍ୟାପକ ବିଜୟ ସାହୁ (୫୬)ଙ୍କ ୮ ତାରିଖରେ ହାଇୱା ଧକ୍କାରେ ମୃତ୍ୟୁ ସହିତ ପତ୍ନୀ ଓ ପୁଅ ଆହତ ହୋଇଥିଲେ। ଲଗାତର ଦୁର୍ଘଟଣା ପରେ ପୁଲିସ, ପ୍ରଶାସନ ସହିତ ବିଶେଷଜ୍ଞ ଟିମ୍ ଛପୋଲିଆ ପଏଣ୍ଟରେ ପହଞ୍ଚି କ୍ଷେତ୍ର ଅନୁଧ୍ୟାନ ପରେ କୌଣସି ନିର୍ଦ୍ଦିଷ୍ଟ କାରଣ ନ ପାଇ ଏଠାରେ ରମ୍ବଲର ନିର୍ମାଣ କରାଇଥିଲେ। ରମ୍ବଲର ନିର୍ମାଣ ପରେ ଦୁର୍ଘଟଣାର ସ୍ଥାନ ବଦଳି ଯାଇ ଏହି ରାସ୍ତାର ଗୋପିନାଥପୁର ଛକ ନିକଟସ୍ଥ ୫୪ ମାଇଲରେ ୧୭ ତାରିଖ ସକାଳେ ମଦନଗିରି ଗ୍ରାମର ସାଇକଲ ଆରୋହୀ ବୃଦ୍ଧ ପୂର୍ଣ୍ଣାନନ୍ଦ ସାମଲ(୭୧)ଙ୍କ ଅଟୋ ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ପରଦିନ ୧୮ ତାରିଖ ରାତିରେ ନିଶ୍ଚିତ କୋଇଲିର ମଟର ସାଇକଲ ଚାଳକ ପ୍ରଦ୍ୟୁମ୍ନ ସାହୁ(୨୪)ଙ୍କ ସେହି ସ୍ଥାନରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ଜଣେ ମୃତ, ୧ ଆହତ- ଆଜି ସନ୍ଧ୍ୟାରେ କଟକ-ଚାନ୍ଦବାଲି ରାସ୍ତାର ନିଆଳ କୋଳିଗଛ ଛକ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଳି ଥାନା ବଳଭଦ୍ରପୁର ଗ୍ରାମର ଶିକ୍ଷକ ରମାକାନ୍ତ ମିଶ୍ର କଟକ-ଚାନ୍ଦବାଲି ରାସ୍ତାରେ ସନ୍ଧ୍ୟାରେ ନିଆଳ ହାଟ ଅଭିମୁଖେ ସାଇକଲରେ ଆସୁଥିଲେ। ଏହି ସମୟରେ ବାଇକ୍‌ରେ ଆସୁଥିବା ପଦନପୁର ବସ୍ତିର ସେକ୍ ରିଆସତ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଧକ୍କା ଏତେ ଶକ୍ତ ଥିଲା ଯେ ଦୁହେଁ ରାସ୍ତା ଉପରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ରିଆସତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଲ୍ଲେଖ ଥାଉ କି, କଟକ-ଚାନ୍ଦବାଲି ରାସ୍ତାରେ ଗତ ୨୫ ତାରିଖରେ ଜୟନଗର ସରପଞ୍ଚ ପ୍ରଦୀପ ଦାସଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଥିବା ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସପ୍ତାହକ ମଧ୍ୟରେ ଏହି ସ୍ଥାନରେ ଆଜି ଦ୍ବିତୀୟ ଦୁର୍ଘଟଣା ଘଟିଛି।