ଜେଏସକୋର ଆବେଦନକୁ ଖାରଜ କଲେ ହାଇକୋର୍ଟ, ସରକାରୀ ଖାତାକୁ ଫେରିବ ୫୦୬ ଏକର ଜମି

କମ୍ପାନି ଅଧୀନରେ ରହିବ ୨୦୧ ଏକର, ଫେରସ୍ତ ପ୍ରକ୍ରିୟା ଆରମ୍ଭ

ରାୟଗଡ଼ା: ବଳକା ଜମି ଫେରସ୍ତକୁ ନେଇ ରାୟଗଡ଼ାସ୍ଥିତ ଜୟପୁର ସୁଗାର କମ୍ପାନି (ଜେଏସକୋ) ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ ବର୍ଷ ଧରି ହାଇକୋର୍ଟରେ ଚାଲିଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି। କମ୍ପାନି ଆବେଦନକୁ ହାଇକୋର୍ଟ ଖାରଜ କରି ତୁରନ୍ତ ସରକାରୀ ଖାତାକୁ ୫୦୬ ଏକର ୬୯୦ ଡିସିମିଲି ଜମି ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି। କମ୍ପାନି ଅଧୀନରେ ୨୦୧ ଏକର ଜମି ରହିବା ସହ ସରକାରୀ ଖାତାକୁ ଫେରିବାକୁ ଥିବା ଜମି ଉପରେ ନିର୍ମାଣଧୀନ ଘର, ଜଳାଶୟ, ଗଛ ବାବଦ କ୍ଷତିପୂରଣ ରାଶି ଆକଳନ କରି ତୁରନ୍ତ କମ୍ପାନି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ୨୦୨୨ ମାର୍ଚ୍ଚ ୧୬ ତାରିଖରେ ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ପ୍ରକାଶ କରିବା ପରେ ଜିଲ୍ଲା ପ୍ରଶାସନ ଜମି ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ରାଜସ୍ବ, ଜଙ୍ଗଲ, ଜଳସେଚନ, ପୂର୍ତ୍ତ ବିଭାଗ ଅଧିକାରୀ ଯୋଗଦେଇ ଆଲୋଚନା କରିଛନ୍ତି। ସରକାରୀ ଖାତାକୁ ଫେରିବାକୁ ୫୦୬ ଏକର ଜମିରେ କମ୍ପାନି ବୃକ୍ଷରୋପଣ କରିବା ସହ ଏକ ପୋଖରୀ ନିର୍ମାଣ କରିଛି। ସେହିପରି କିଛି କୋଠା ଘର ରହିଥିବାରୁ ଏସବୁର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପୂର୍ତ୍ତ, ଜଙ୍ଗଲ, ଜଳସେଚନ ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବିଭାଗୀୟ ରିପୋର୍ଟ ଆସିବା ପରେ କମ୍ପାନି କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବୈଠକରେ ଆଲୋଚନା ହୋଇଛି। କମ୍ପାନି ଅଧୀନରେ ଅବ୍ୟବହୃତ ହୋଇ ପଡିଥିବା ୫୦୬ ଏକର ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ୨୦୧୪ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜେଏସକୋ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ମାମଲା ବିଚରାଧୀନ ଥିଲା। ଯାହାର ଚୂଡ଼ାନ୍ତ ଶୁଣାଣି କରି ଜିଲ୍ଲା ପ୍ରଶାସନ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ। ରାୟଗଡ଼ାରେ ଚିନିକଳ ପ୍ରତିଷ୍ଠା ଉଦ୍ଦେଶ୍ୟରେ ୧୯୩୬ ମସିହାରେ ୭୮୭ ଏକର ଜମି ଲିଜ୍ ସୂତ୍ରରେ ନେଇଥିଲେ ଜେଏସକୋ କର୍ତ୍ତୃପକ୍ଷ। ଚିନିକଳ କ୍ଷତି ସହିବା ପରେ ୧୯୫୮ରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି ସମସ୍ତ ଶିଳ୍ପ ପାଇଁ କମ୍ପାନିକୁ ୧୫୦ ଏକର ଜମିର ଆବଶ୍ୟକତା ଥିବା ବେଳେ ଅଧିକା ଜମି କମ୍ପାନି ରଖିଥିବା ଅଭିଯୋଗରେ ସରକାରଙ୍କ ପକ୍ଷରୁ କମ୍ପାନି ବିରୁଦ୍ଧରେ ୧୯୭୪ ମସିହାରେ ଓଏଲ୍ଆର୍ ଆକ୍ଟ ଆଧାରରେ ସିଲିଂ କେସ୍ ନଂ-୬୦/୭୪ ରେ ମାମଲା ରୁଜୁ ହୋଇଥିଲା।

୧୯୭୪ ମସିହାରେ ରାୟଗଡ଼ା ତହସିଲଦାରଙ୍କ କୋର୍ଟ ବଳକା ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ରାୟ ପ୍ରକାଶ କରିଥିଲେ। ୧୯୯୨ ମସିହାରେ ସୁପ୍ରିମକୋର୍ଟ ତଳକୋର୍ଟ (ତହସିଲଦାର) ରାୟକୁ କାୟମ ରଖିଥିବା ବେଳେ ୨୦୦୪ ମସିହାରେ ରାଜସ୍ବ ପରିଷଦ ବୋର୍ଡ ମଧ୍ୟ ମାମଲାର ଶୁଣାଣି କରି ସମାନ୍ ରାୟ ରଖିଥିଲେ। କିନ୍ତୁ ପ୍ରଶାସନ ପଦକ୍ଷେପ ନେବାରେ ବିଫଳ ଯୋଗୁ ଜମି ଫେରି ପାରିନଥିଲା। ୨୦୧୩ ମସିହାରେ ଫେରୋ ମାଙ୍ଗାନିଜ୍ ଶିଳ୍ପର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩ ଶହ ଏକର ଜମି ଆବଶ୍ୟକତା ଥିବା ଦର୍ଶାଇ କମ୍ପାନି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ବର୍ଜ୍ୟବସ୍ତୁ ପରିଚାଳନା ନାଁରେ ଜେଏସକୋ ବଳକା ଜମିକୁ ନିଜ ଅଧୀନରେ ରଖିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ପରେ ୨୦୧୪ରେ ରାୟଗଡ଼ା ତହସିଲଦାର ଓ ୨୦୧୫ ମସିହାରେ ଅତିରିକ୍ତ ଜିଲ୍ଲାପାଳ ମାମଲାର ବିଚାର କରି ବଳକା ୫୦୬ ଏକର ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ରାୟ ପ୍ରକାଶ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କୋର୍ଟ ରାୟକୁ କାର୍ଯ୍ୟକାରୀ କରିବାରେ ବିଫଳ ହେବାର ସୁଯୋଗ ନେଇ ତଳ‌କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଜେଏସକୋ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ୨୦୧୫ ମସିହାରେ ସମସ୍ତ ନିର୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ଜେଏସକୋ ଅଧୀନରୁ ବଳକା ଜମି ଫେରାଇ ଆଣିବା ପ୍ରକ୍ରିୟା ଠପ୍ ହୋଇ ପଡିଥିଲା।

ସମ୍ବନ୍ଧିତ ଖବର