ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅନର୍ଗତ ବୈତରଣୀ ନଦୀରୁ ବାହାରିଥିବା ହାଇଲେବୁଲ କେନାଲ ଏବେ ଶୁଖିଲା ପଡ଼ିଛି। ଏହି କେନାଲ ପାଶ୍ୱବର୍ତି ଚାଷ ଜମିକୁ ପାଣି ମାଡୁ ନଥିବାରୁ ଚାଷ କାମ ଠପ ହୋଇଯାଇଛି। ଓଡିଶା ସରକାର ପ୍ରତିବର୍ଷ କୃଷି କ୍ଷେତ୍ରରେ ବଜେଟ ଉପସ୍ଥାପନ କରି ଆସୁଥିଲାବେଳେ ଏବର୍ଷ ୨୦୨୩-୨୪ ପାଇଁ ମଧ୍ୟ କୃଷି ବଜେଟ ଉପସ୍ଥାପନାରେ ୨୪୮୨୯ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଗତବର୍ଷ ଠାରୁ ୨୧% ବଢାଇ କୃଷକଙ୍କୁ ସୁନେଲି ସ୍ବପ୍ନ ଦେଖାଇଛନ୍ତି। କୃଷକର ଧାନ ସଂଗ୍ରହ ବାବଦର ହେଉ କି କାଳିଆ ଯୋଜନା ବାବଦକୁ ହେଉ କି କୃଷି କ୍ଷେତ୍ରର ଏସ୍ଏସଜି ହେଉ କିମ୍ବା କୃଷି ଫସଲର ପ୍ରୋତ୍ସାହନ ହେଉ ସାର ବିହନ ପାଇଁ ଅଥବା ସବସିଡ ଓ ରିହାତି ବାବଦକୁ କିମ୍ବା ଜଳସେଚନ ଓ ପ୍ରକଳ୍ପ ପାଇଁ ବଜେଟ ଆଗତ କରିଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାର ବୈତରଣୀ ନଦୀର ନୂଆ ନଈ କେନାଲ ପ୍ରକଳ୍ପ ଯୋଜନାରେ ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଚାଷ ଉତ୍ପାଦନ କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ ଯେଉଁ ଆଗ୍ରହକୁ ଦୃଷ୍ଟିରେ ରଖି କରାଯାଇଥିଲା, ତାହାର ବିକଳ ଚିତ୍ର ଚାଷୀଙ୍କୁ ହତାଶ କରିଛି। ନା ରହିଛି ଆଗ୍ରହ ନା ଅଛି ମନରେ ସରାଗ।
ଯେଉଁ କେନାଲଟି ଦିନେ ଚାଷୀଙ୍କ ଭାଗ୍ୟରେଖା ବଦଳାଇବାକୁ ସାହଯ୍ୟ କରୁଥିଲା ଆଜି ସେ କେନାଲରେ ପାଣି ଆସୁନି। ନଦୀକୂଳରୁ ସୃଷ୍ଟି କରାଯାଇଥିବା କେନାଲ ମୁହଁର ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି। କେନାଲ ଶୁଖି ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି। ଖରିଫ ଫସଲ ଉତ୍ପାଦନ ପାଇଁ ଅଦରକାରୀ ହୋଇ ଥିଲାବଳେ ଗୋରୁଗାଈଙ୍କ ପାଇଁ ଗ୍ରୀଷ୍ମ ଦିନରେ ପାଣି ମୁନ୍ଦାଏ ପିଇବା ପାଇଁ ନାହିଁ। ଖରତିଆ ଚାଷ ଏଠାରେ ଆଉ ହେଉ ନାହିଁ। କେନାଲ ଶୁଖିଲା ପଡ଼ିଥିବା ବେଳେ ଏଇ କେନାଲ ନିକଟ ବର୍ତ୍ତି ଅଞ୍ଚଳ ଜଗନ୍ନାଥ ପ୍ରସାଦ, ନେଉଳିଆ, ମଞ୍ଜୁରୀ, ସାତପଡ଼ା, ବାୟାବନାପୁର, ସରସଦା, ପାଇଁ ମହୁରା, ନଗୁଆ, କେଣ୍ଡୁଆପଦା, ଦାଗରପଡା, ପାଟୁଲି, ପିରିପୁର ଆଦି ଅଞ୍ଚଳର ଚାଷୀଙ୍କ ପାଇଁ ଏହି କେନାଲରୁ ଜଳସେଚନର ସୁବିଧା ମିଳୁନି। ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଜିଲ୍ଲାର ୧ ଲକ୍ଷ ୭୧ ହଜାର କୃଷି ଉପଯୋଗୀ ଜମି ମଧ୍ୟରୁ ଏକ ଲକ୍ଷ ୩୦ ହଜର ହେକ୍ଟର ଜମିକୁ ଜଳସେଚନର ସୁବିଧା କରାଯାଇଛି ବୋଲି କହୁଛନ୍ତି। ବାସ୍ତବରେ ଜିଲ୍ଲାରେ ଚାଷ ଜମିକୁ କେତେ ଜଳ ସେଚିତ କରାଯାଉଛି। ତାହାର ଚିତ୍ର ଭଣ୍ଡାରିପୋଖରୀ ହାଇଲେବୁଲ କେନାଲ ଶୁଖିଲା ପଡ଼ିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି।