ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ, ବାଲିମେଳା ଏନଏସି ଅଧ୍ୟକ୍ଷ ପାଇଁ ଲଢିବେ ଡାକ୍ତର ସନ୍ତୋଷ

ମାଲକାନଗିରି: ପୌର ପରିଷଦର ନିର୍ବାଚନ ନେଇ ବିଗୁଲ ବାଜିବା ପରେ ମାଲକାନଗିରି ପୌର ପରିଷଦ ଏବଂ ବାଲିମେଳା ଏନଏସିରେ ଏବେ ଅଧ୍ୟକ୍ଷ ପଦବୀ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ, ସମାଜସେବୀ, ବର୍ଷିୟାନ ବ୍ୟକ୍ତିମାନେ ଲଢିବା ପାଇଁ ଅଣ୍ଟା ଭିଡିଲେଣି। ଏହି ଦୌଡରେ କିଛି ଉଚ୍ଚ ଶିକ୍ଷିତ ଯୁବକମାନେ ମଧ୍ୟ ଆଗକୁ ଆସୁଛନ୍ତି। ସେଭଳି ଜଣେ ଉଚ୍ଚ ଶିକ୍ଷତ ଯୁବକ ଡଃ. ସନ୍ତୋଷ କୁମାର ଦାସ। ବାଲିମେଳା ଅଞ୍ଚଳର ବାସିନ୍ଦା ଡଃ. ସନ୍ତୋଷ ପିଏଚଡି, ଏମଏସସି, ଏମଏସଡବ୍ଲୁ, ଏମ୍‌ଫିଲ ଭଳି ଶିକ୍ଷା ଗ୍ରହଣ କରିବା ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରି ସାରିଛନ୍ତି। ତେବେ ସମାଜସେବା କ୍ଷେତ୍ରରେ ପିଲାଟି ଦିନରୁ ନିଶା ରହିଥିବାରୁ ସେ ଏବେ ନିଜର ଭାଗ୍ୟ ବଦଳାଇବା ପାଇଁ ଏବେ ଲୋକଙ୍କ ସେବା କରିବା ପାଇଁ ବାଲିମେଳା ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ଲଢେଇ କରିବେ ବୋଲି ଜଣାପଡିଛି।

ତେବେ ସେ ଏବେ ସ୍ବାଧୀନ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ପ୍ରକାଶ କରିଛନ୍ତି। କିନ୍ତୁ କୌଣସି ଦଳ ଯଦି ତାଙ୍କୁ ଟିକଟ ଦିଏ ତେବେ ସେ ଚିନ୍ତା କରିବେ ବୋଲି ମଧ୍ୟ କହିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ହୋଇ ଭର ଦରମାରେ ଚାକିରି କରିପାରିଥାନ୍ତେ ଡଃ. ସନ୍ତୋଷ। କିନ୍ତୁ ରାଜନୀତି ଏବଂ ସମାଜସେବା ତାଙ୍କୁ ପୁଣି ନିଜ ମାଟିକୁ ଟାଣି ଆଣିଛି। ଏଥର ସେ ଏହି ସୁଯୋଗକୁ ହାତଛଡା କରିବେ ନାହିଁ ବୋଲି କହିଛନ୍ତି। ଲୋକେ ଚାହିଁଲେ ସେ ଏହି ନିର୍ବାଚନରେ ନିଶ୍ଚିତ ଜିତିବେ ଏବଂ ଲୋକଙ୍କୁ ସେବା କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି। ଡଃ. ସନ୍ତୋଷଙ୍କ ଏହି ପଦକ୍ଷେପକୁ ବାଲିମେଳା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି ମାଟିର ସନ୍ତାନ ହେବା ସହ ଏତେ ଉଚ୍ଚ ଶିକ୍ଷିତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବାରୁ ତାଙ୍କୁ ସ୍ବାଗତ କରାଯାଇଛି। ତେବେ ଡଃ. ସନ୍ତୋଷଙ୍କ ରାଜନୀତିରେ ପାଦ ଥାପିବା କେତେ ଦୂର ସଫଳ ହେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର