ଯାଜପୁରସଦର/ଧର୍ମଶାଳା : ନିର୍ବାଚନ ମୈଦାନରେ ଉଚ୍ଚଶିକ୍ଷିତା ଯୁବତୀ। ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଖର ପଞ୍ଚାୟତ ବିରିବାଟି ଗ୍ରାମର ସ୍ମୃତିରେଖା ବେହେରା। କେଦାରନାଥ ବେହେରା ଓ କଳ୍ପନା ବେହେରାଙ୍କ ୨୩ ବର୍ଷୀୟା କନ୍ୟା ସ୍ମୃତିରେଖା ଗତବର୍ଷ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଏମ୍ଏସ୍ସି ପାସ୍ କରିଛନ୍ତି।
ସ୍ମୃତିରେଖା ମାଟ୍ରିକରେ ୭୫ ପ୍ରତିଶତ, ଯୁକ୍ତ ଦୁଇରେ ୭୦ ପ୍ରତିଶତ, ଯୁକ୍ତ ତିନିରେ ୬୮ ପ୍ରତିଶତ ଓ ନିକଟରେ ଏମଏସସି ମାଇକ୍ରୋ ବାୟୋଲୋଜିରେ ୭୧ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ବିଜେଡିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ୧୩ ନଂ ଜୋନରୁ ନିର୍ବାଚନକୁ ଓହ୍ଲାଇବା ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଥମେ ସେ ଗାର୍ଲସ ୱିଙ୍ଗରେ ଯୋଗଦେଇ ଜୋନ୍ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଶିକ୍ଷିତ ଯୁବପିଢ଼ି ରାଜନୀତିକୁ ଆସିବା ଜରୁରୀ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ଶିକ୍ଷାର ପ୍ରସାର ହୋଇଥିବା ବେଳେ ରାଜନୀତିରେ ବି ଶିକ୍ଷିତ ଯୁବକଯୁବତୀ ନିଜର ସ୍ଥାନ ଜାହିର କରିବାକୁ ସେ ଆହ୍ବାନ ଦେଇଛନ୍ତି।