ରାଉରକେଲା: ଇସ୍ପାତ ସହରରେ ଚୋରି, ଛିନ୍ତାଇ ନିୟମିତ ବ୍ୟବଧାନରେ ଘଟୁଛି। ଏମିତିକି ଏଠାରେ ନକଲି ନୋଟ୍ କାରଖାନାଠାରୁ ଆରମ୍ଭକରି ଜମ୍ତରା ଗ୍ୟାଙ୍ଗ୍ର ସଂପୃକ୍ତି ବି ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ବହୁମାତ୍ରାରେ ହାଇଟେକ୍ ଠକ ମାତିଥିବା ଅଭିଯୋଗ ହେଲାଣି। ବିଭିନ୍ନ ସମୟରେ ଏନେଇ ସାଇବର୍ ଥାନାରେ ଅଭିଯୋଗ ହେଉଛି, କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ସମ୍ଭବ ହେଉନି।
ବିଗତ ଦିନରେ ଏକାଧିକ ହାଇଟେକ୍ ଠକେଇ ଦେଖିବାକୁ ମିଳିଥିଲା। ଦିନକ ପୂର୍ବେ ୟୁଟ୍ୟୁବ୍ ମାଧ୍ୟମରେ ଅନୈତିକଭାବେ ପଶୁପକ୍ଷୀ ବେପାର ଚଲାଇଥିବା ଜଣେ ଅଭିଯୁକ୍ତକୁ ବନ ବିଭାଗ କାବୁ କରିଥିଲା। ବିଶ୍ରା ଥାନା ଅନ୍ତର୍ଗତ ଉଡ଼ୁଶୁ ଗ୍ରାମର ସରୋଜ କୁମାର ବଡ଼ାଇକ(୩୨) ୨୦୨୩ ମାର୍ଚ୍ଚ ୧୮ ତାରିଖରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲେ। ସେଥିରେ ବିଭିନ୍ନ ପ୍ରଜାତିର କୁକୁର ସମେତ ପଶୁପକ୍ଷୀର ଭିଡିଓ ଅପଲୋଡ୍ କରିଥିଲେ। ଏମିତିକି ତାଙ୍କର ଦୁଇଟି ମୋବାଇଲ୍ ନମ୍ବର(୬୩୭୧୯୨୯୯୯୩ ଓ ୯୯୩୭୨୨୪୦୦୯) ଉଲ୍ଲେଖ କରି ଗ୍ରାହକଙ୍କୁ ଅବଗତ କରିଥିଲେ। ଉକ୍ତ ଭିଡିଓଦେଖି ଗ୍ରାହକମାନେ ଯୋଗାଯୋଗ କରି ବିଭିନ୍ନ ପଶୁପକ୍ଷୀ କିଣୁଥିଲେ। ସମସ୍ତ ପ୍ରକ୍ରିୟା ୟୁଟ୍ୟୁବ୍ ମାଧ୍ୟମରେ ହେଉଥିବାରୁ ଏନେଇ କେହି ଟେର୍ ବି ପାଇପାରୁନଥିଲେ। କିଛି ଦିନ ପୂର୍ବେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଅଧ୍ୟକ୍ଷଙ୍କ ନାଁରେ ଠକିବାକୁ ଜାଲ ବିଛାଇଥିଲେ ହାଇଟେକ୍ ଠକ। ଏହି ଘଟଣାରେ ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ୍କୁ ବ୍ୟବହାର କରିଥିଲେ ଠକଦଳ।
ୟୁଟ୍ୟୁବ୍ରେ ପକ୍ଷୀ ବେପାର, ହ୍ବାଟ୍ସଆପ୍ ଅପଡେଟ୍ ନାଁରେ ଠକେଇ
ସେଲ୍ ଅଧ୍ୟକ୍ଷ ନାଁ ନେଇ ଠକୁଛନ୍ତି
ସେଲ୍ ଅଧ୍ୟକ୍ଷଙ୍କ ଫଟୋ ଓ ସ୍ବତନ୍ତ୍ର ଉପହାର ଉଲ୍ଳେଖଥିବା ପୋଷ୍ଟ୍ ଭାଇରାଲ୍ ହୋଇଥିଲା। ସେଥିରେ ଦିଆଯାଇଥିବା ଲିଙ୍କ୍କୁ କ୍ଲିକ୍ କରି କେତୋଟି ପ୍ରଶ୍ନର ଠିକ୍ ଉତ୍ତର ଦେଇ ବୁହୁମୂଲ୍ୟ ଉପହାର ଜିତିବାକୁ କୁହାଯାଇଥିଲା। ସେଲ୍ ଅଧ୍ୟକ୍ଷଙ୍କ ଫଟୋ ଥିବାରୁ ସତ ଭାବି କିଛି ସେଲ୍ କର୍ମଚାରୀ ଠକାମିର ଶିକାର ହୋଇଥିଲେ। ଏମିତିକି ପାର୍ସଲ୍ ବାହାନାରେ ଠକିଥିଲେ ସାଇବର ଠକ। ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍କୁ ବାର୍ତ୍ତା ପଠାଇଥିଲେ। ସେଥିରେ ଉଲ୍ଲେଖ ଥିଲା, ଆପଣଙ୍କ ନାଁରେ ପାର୍ସଲ ଆସିଛି, ପାର୍ସଲରେ ମୂଲ୍ୟବାନ ଜିନିଷ ଅଛି। କୌଣସି କଷ୍ଟମ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଅନଲାଇନ ପେମେଣ୍ଟ କଲେ, ଜିନିଷକୁ ଆପଣଙ୍କ ଠିକଣାରେ ପହଞ୍ଚାଇଦେବୁ ବୋଲି କହିଥିଲେ।
ପରବର୍ତ୍ତୀ ସମୟରେ କଷ୍ଟମ୍ ଫି’ ବାବଦକୁ ଲକ୍ଷାଧିକ ଟଙ୍କା ଠକିନେଇଥିଲେ। ସେହିଭଳି ମାଟ୍ରିମୋନିଆଲ୍ ସାଇଟ୍ରେ ବି ଜଣେ ଯୁବକ ଠକାମିର ଶିକାର ହୋଇଥିଲେ। ଜଣେ ଯୁବତୀଙ୍କ ସହ ଯୋଡ଼ିହେବା ପ୍ରଲୋଭନରେ ଯୁବକଜଣକ ସବିଶେଷ ତଥ୍ୟ ସଂଗ୍ରହ ନ କରି ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଂଗେ ସଂଗେ ପ୍ରକାଶ କରିଦେଇଥିଲେ। ପରେ ଫି’ ଡିପୋଜିଟ୍ ନାଁରେ ଏଟିଏମ୍ ପିନ୍ ନମ୍ବର ମାଗି ଟଙ୍କା ଉଠାଇ ନେଇଥିଲେ। ଏତଦ୍ବ୍ୟତୀତ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ ଆସୁଥିବା ଲିଙ୍କ୍ରେ କ୍ଲିକ୍ କରି ଠକ ଦଳର ଜାଲରେ ଫସିଯାଉଛନ୍ତି। ଏତିକିରେ ସୀମିତ ରହିନି ହାଇଟେକ୍ ଠକେଇ; ବରଂ ନକଲି ଅନଲାଇଟ୍ ହୋଟେଲ ବୁକିଂ ସିଷ୍ଟମ୍ ଆପଣେଇ ଠକଦଳ ଲୁଟୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଛେଣ୍ଡ୍ ଅଞ୍ଚଳର ଜଣେ ଯୁବକ ସାଙ୍ଗମାନଙ୍କ ସହ ପୁରୀ ଯିବାକୁ ଏକ ନକଲି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ରୁମ୍ ବୁକ୍ କରିଥିଲେ। କେବଳ ଲୋକଙ୍କୁ ଠକିବା ପାଇଁ ଠକଦଳ ଉକ୍ତ ୱେବସାଇଟ୍କୁ ତିଆରି କରିଥିଲେ। ଏଭଳି ଏକାଧିକ ହାଇଟେକ୍ର ନଜିର ରହିଛି। ଲୋକେ ନିୟମିତଭାବେ ଠକାମିର ଶିକାର ହେଉଛନ୍ତି; କିନ୍ତୁ ସେମାନଙ୍କ ଟଙ୍କା ଫେରିପାଇବା କିମ୍ବା ଠକଦଳକୁ ଗିରଫ ହେବା ଦିବାସ୍ବପ୍ନ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/5-21.jpg)