ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ଫୁଲକଅଁଳେଇ ଗ୍ରାମର ଏକ ଘର ଉପରକୁ ହାଇୱା ମାଡ଼ିଯିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଞ୍ଜିଆଶୁଳାଠାରୁ ତୁରୁମୁଙ୍ଗା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଥିବା ଠିକାସଂସ୍ଥାର ଏକ ଚିପ୍‌ସ ବୋଝେଇ ହାଇୱା (ଓଡି-୦୪-ଏସ୍‌-୫୨୦୧) ତୁରୁମୁଙ୍ଗାରୁ ଫୁଲକଅଁଳେଇ ୱାର୍କସପ୍‌କୁ ଆସୁଥିଲା।

Advertisment

ରାସ୍ତାରେ ହାଇୱା‌ଟି ଭାରସାମ୍ୟ ହରାଇ ଫୁଲକଅଁଳେଇ ଗ୍ରାମର ସନ୍ତୋଷ ବେହେରାଙ୍କ ଘର ଉପରକୁ ମାଡ଼ିଯାଇଥିଲା। ରାସ୍ତାକଡ଼ ଡ୍ରେନ୍‌ରେ ଟ୍ରକ୍‌ଟି ଚଢ଼ି ଘର ଉପରେ ଓଲଟି ପଡ଼ିଥିଲା। ଫଳରେ ଘର କାନ୍ଥ ଭାଙ୍ଗିଯିବା ସହ ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ସନ୍ତୋଷଙ୍କ ଝିଆରୀ କାଜଲ ବେହେରା (୨୫) ଆହତ ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।