ରାୟଗଡା: ରାୟଗଡା ସଦର ବ୍ଲକର ବ୍ଲକର ଜମିଡିପେଣ୍ଟା ପଞ୍ଚାୟତର ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି କେସଡା ଗ୍ରାମ।ଏହି ଗ୍ରାମଟି ପାହାଡ ତଳେ ରହିଛି। ଗ୍ରାମର ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏହି ଗ୍ରାମରେ ପ୍ରାୟ ୧୮୦ ଘର ରହିଛି। ସରକାରୀ ସୁବିଧା ଆଜି ବି ଅପହଞ୍ଚ ହୋଇ ରହିଛି। ଅନ୍ୟଦିଗରେ ଦାଉ ସାଧୁଛି ପାହାଡିଆ ପାଣି। ବର୍ଷା ଦିନେ କେସଡା ଗ୍ରାମର ଲୋକେ ବହୁ ହଇରାଣ ହୁଅନ୍ତି। ପାହାଡିଆ ପାଣି ଅନବରତ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ଘରେ ପାଣି ପଶୁଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଗାଁରେ ଥିବା ପକ୍କା ଘରର କୌଣସି ଅସୁବିଧା ହେଉନଥିବା ବେଳେ କୁଡିଆ ଘର ଭାଙ୍ଗୁଥିବା ଗ୍ରାମବାସୀ କହନ୍ତି।ଲଗାଣବର୍ଷା ଏବେ ଜିଲ୍ଲାରେ ଲାଗି ରହିଥିବାରୁ ଦୁର୍ଗମ ଅଞ୍ଚଳର ପାହାଡ ତଳେ ରହିଥିବା ଗ୍ରାମଗୁଡିକର ଲୋକେ ବହୁହିନସ୍ତା ହେଉଛନ୍ତି। କେବଳ କେସଡା ଗ୍ରାମ ନୁହେଁ, ବରଂ ବହୁ ଗ୍ରାମର ଅବସ୍ଥା ଏବେ ବେହାଲ। ପାହାଡ ତଳେ ସୁରକ୍ଷା କାନ୍ଥ ନିର୍ମାଣ ନେଇ ସରକାର ଏବଂ ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିଲେ ମଧ୍ୟ ପିଇବା ପାଣିର କୌଣସି ସୁବିଧା ନାହିଁ। ସରକାରଙ୍କ ତରଫରୁ ଏକ ସୋଲାର ପମ୍ପ ଲଗା ଯାଇଥିଲେ ମଧ୍ୟ ତାହା ଏବେ ଖରାପ ହୋଇ ପଡି ରହିଛି।

Advertisment

publive-image Sambad

ଲୋକେ ଝରଣା ପାଣି ଉପରେ ବର୍ଷ ତମାମ ନିର୍ଭର କରୁଥିବା କହନ୍ତି। ଗ୍ରାମରେ ସ୍କୁଲ କିମ୍ବା ଅଙ୍ଗନବାଡି ନଥିବାରୁ ପିଲାମାନେ ନିରକ୍ଷର। ଗ୍ରାମର ସମସ୍ତେ ତେଲୁଗୁ ଭାଷାରେ କଥାବାର୍ତ୍ତା ହେବାକୁ ଭଲ ପାଆନ୍ତି।ସୀମାନ୍ତ ଆନ୍ଧ୍ରର ଛାପ ଏହି ଗ୍ରାମରେ ପଡିଛି। ଲୋକେ କୌଣସି କାମ ପାଇଁ ରାୟଗଡା ବ୍ଲକ ସଦର ମହକୁମାକୁ ନଆସି ଆନ୍ଧ୍ର ଯିବାକୁ ପସନ୍ଦ କରନ୍ତି। ପାହାଡ ତଳେ ସୁରକ୍ଷା କାନ୍ଥ କରିବା ନେଇ କିଛିମାସ ତଳେ ଗ୍ରାମବାସୀଙ୍କୁ ପଥର ଫୁଟାଇବା ପାଇଁ କେହି ନିର୍ଦେଶ ଦେଇଥିବାରୁ ଗ୍ରାମବାସୀ ପଥର ଫୁଟାଇଥିଲେ ମଧ୍ୟ କେହି ମଧ୍ୟ ସେମାନଙ୍କୁ ସହଯୋଗ କରିବାକୁ ଆସୁନଥିବା କହିଥିଲେ। ପ୍ରତିବର୍ଷ ଏଭଳି ସେମାନେ ବର୍ଷା ଦିନେ ବହୁ ହଇରାଣ ହେଉଥିବା କହିଥିଲେ। ଗାଁକୁ ପକ୍କା ରାସ୍ତା ନଥିବାରୁ ବର୍ଷା ଦିନେ ଯିବା ଆସିବା କରିବା ବହୁ କଷ୍ଟ ହେଉଛି। ରାୟଗଡା ବ୍ଲକ ଠାରୁ ଏହା ପ୍ରାୟ ୩୦ କିଲୋମିଟର ହେବ। ସରକାରୀ ବାବୁଙ୍କ ପାଦ କେବେ ମଧ୍ୟ ଏହି ଅପହଞ୍ଚ ଗ୍ରାମରେ ପଡି ନାହିଁ।ଯାହାଫଳରେ ଲୋକେ ଅତି ଦୟନୀୟ ଭାବେ ରହୁଛନ୍ତି। ନିର୍ବାଚନ ହେଲେ କିନ୍ତୁ ମାଳ ମାଳ ନେତା ଗାଁକୁ ଚାଲି ଚାଲି ଆସି ଲୋକଙ୍କୁ ଭୋଟ ମାଗିବା ସହ ରାସ୍ତା ଏବଂ ପାହାଡ ତଳେ ପ୍ରୋଟେକ୍ସନ ବାଲ କରିବା ନେଇ ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଆଗାମୀ ନିର୍ବାଚନରେ କିନ୍ତୁ ଏହାର ଫଳ ଭୋଗିବେ ବୋଲି ଚେତାବନୀ ଦେଇଛନ୍ତି।