ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ କେବେ ଦୌଡିବ ହୀରାଖଣ୍ଡ ଏକ୍ସପ୍ରେସ ?

ଜୟପୁର(ଶ୍ରୀକାନ୍ତ ସାହୁ): ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ ହୀରାଖଣ୍ଡ ଏକ୍ସପ୍ରେସ କେବେ ଦୌଡିବ। ପ୍ରତିଦିନ ଚଳାଚଳ କରୁଥିବା ତଥା କୋରାପୁଟର ଜୀବନରେଖା କୁହାଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ କେବେ ଛତିଶଗଡର ଜଗଦ୍ଦଲପୁରରୁ ଭୁବନେଶ୍ବରକୁ ଯିବ। ରାଜ୍ୟର ଅନ୍ୟ ଜିଲ୍ଲାରେ ରେଳ ଚଳାଚଳ ଧୀରେ ଧୀରେ ସ୍ବଭାବିକ ହେଉଥିବା ବେଳେ ଜିଲ୍ଲା ଦେଇ କେବେ ଚଳାଚଳ ହେବ ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଜିଲ୍ଲାରୁ ଏବେ କାଁ ଭାଁ ଘରୋଇ ବସ ରାଜଧାନୀ ଭୁବନେଶ୍ବରକୁ ଯାଉଥିବାବେଳେ ସରକାରୀ ବସ ଜୟପୁର ଡିପୋରେ ଅଟକି ରହିଛି। ଫଳରେ ଜୟପୁରରୁ ଭୁବନେଶ୍ବରକୁ ସାଧାରଣ ଯୋଗାଯୋଗ ସେବା ଏକ ପ୍ରକାର ବନ୍ଦ ରହିଛି। ଯେଉଁମାନେ ଜରୁରୀ କାର୍ଯ୍ୟରେ ଭୁବନେଶ୍ବରକୁ ଯାଉଛନ୍ତି ନିଜ ଯୋଗାଡରେ ଯାଉଥିବାବେଳେ କେବେ ଏହି ସେବା ଆରମ୍ଭ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

କରୋନା ପାଇଁ କୋରାପୁଟ, ରାୟଗଡା ଓ କଳାହାଣ୍ଡିକୁ ଯୋଡୁଥିବା ଏହି ଏକ୍ସପ୍ରେସ ବନ୍ଦ ରହିଥିଲା। ଏଥିଯୋଗୁଁ ଏହି ଜଲ୍ଲାଗୁଡିକରୁ ଭୁବନ‌େଶ୍ବର ଓ ଜଗଦ୍ଦଲପୁରକୁ ଯାଉଥିବା ଦିନ ମଜୁରିଆ ଓ କର୍ମଚାରୀଙ୍କର ଦୈନିଦିନ ଜୀବିକା ଉପରେ ଏକହାର ପ୍ରଭାବ ପଡିଛି। ଶ୍ରମିକମାନେ କାର୍ଯ୍ୟ କରିବାକୁ ଯାଇପାରୁ ନ ଥିବାରୁ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏହି ଏକ୍ସପ୍ରେସଟି ଭୁବେନଶ୍ବରରୁ ସନ୍ଧ୍ୟା ୭ଟା ୩୫ରେ ଛାଡି ତା ପରଦିନ ଜଗଦ୍ଦଲପୁରରେ ୧ଟା ୩୦ରେ ପହଞ୍ଚିଥାଏ। ଜଗଦ୍ଦଲପୁରରୁ ଏହା ୨ଟା ୩୦ରୁ ଛାଡି ତା’ପରଦିନ ଭୁବନ‌େଶ୍ବରରେ ସକାଳ ୮ଟା ୨୫ରେ ପହଞ୍ଚିଥାଏ।

ଏହି ଅପଡାଉନ ଏକ୍ସପ୍ରେସରେ ୩୭ଟି ଷ୍ଟପେଜ ରହିଥିବାବେଳେ ଏଥିରେ ଜଗଦ୍ଦଲପୁର, ଜୟପୁର, କୋରାପୁଟ, ରାୟଗଡା, ବିଜୟନଗରମ୍, ଶ୍ରୀକାକୁଲାମ ରୋଡ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ ଓ ଭୁବନେଶ୍ବର ରହିଛି। ଭୁବନେଶ୍ବରରୁ ଜଗଦ୍ଦଲପୁର, ଜଗଦ୍ଦଲପୁରରୁ ଭୁବନେଶ୍ବର ପ୍ରାୟ ୩୭ଟି ରହଣୀ ସ୍ଥାନରୁ ଶହ ଶହ ଯାତ୍ରୀ ଏହି ଏକ୍ସପ୍ରେସ ଉପରେ ଭରଷା କରୁଥିଲେ। ଏହି ଏକ୍ସପ୍ରେସ ଚାଲିବା ଦ୍ବାରା ଏକାଧିକ ସରକାରୀ କର୍ମଚାରୀ, କର୍ମଜୀବୀ, ମହିଳା ଓ ଶ୍ରମିକ ସୁବିଧା ପାଉଥିଲେ। କିଏ ଛତିଶଗଡରୁ ଜୟପୁର, କୋରାପୁଟ, ରାୟଗଡା ଯାଏ ଯାଉଥିବାବେଳେ କିଏ ଆନ୍ଦ୍ର ଓ ଭୁବନ‌େଶ୍ବର ଯାଇ କାମ ଶେଷ କରି ସେହିଦିନ ହିଁ ଫେରି ଫେରୁଥିଲେ। ରେଳ ମନ୍ତ୍ରଣାଳୟର ବନ୍ଦ ନିଷ୍ପତ୍ତି ପରେ ପ୍ରାୟ ୬ ମାସ ହେଲା ଏହି ଏକ୍ସପ୍ରେସ ଚଳାଚଳ କରୁନାହିଁ। ଅବିଭକ୍ତ କୋରାପୁଟକୁ ଯୋଡୁଥିବା ଏକମାତ୍ର ଏକ୍ସପ୍ରେସ ଚାଲୁ ନ ଥିବାରୁ ବିଭିନ୍ନନ କ୍ଷେତ୍ରରେ ନାହିଁ ନ ଥିବା ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ଖାଲି ଯାତ୍ରୀ କାହିଁକି ପ୍ରତିଦିନ ତିନିଟି ରାଜ୍ୟ ଦେଇ ଆସୁଥିବା ଚିଠି ପରିବହନ, ମାଲ ପରିବହନ ଓ ଜିନିଷପତ୍ରରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ତେବେ ଏହି ଏକ୍ସପ୍ରେସଟି ରାୟଗଡାରୁ ଭୁବନେଶ୍ବରକୁ ବିଜୟନଗର ଦେଇ ଚଳାଚଳ କରୁଥିଲେ। ପରେ ଏହାକୁ ୨୦୧୦ରେ କୋରାପୁଟକୁ ବର୍ଦ୍ଧିତ କରାଗଲା। ପରବର୍ତ୍ତୀ ସମୟରେ ଜଗଦ୍ଦଲପୁରକୁ ବର୍ଦ୍ଧିତ ହୋଇଥିଲା।

ଏହାସହ ୨୦୧୨ ଅଗଷ୍ଟ ୧୧ରେ ଜୁନାଗଡରୁ ଏକ ଲିଙ୍କ ଆସି ରାୟଗଡାରୁ ଭୁବନେଶ୍ବରକୁ ଏହି ଏକ୍ସପ୍ରେସ ସହ ଚଳାଚଳ କରୁଛି। ଏହା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ସନ୍ଧ୍ୟା ୬ଟା ୫୫ରେ ବାହାରି ନିର୍ଦ୍ଧାରିତ ସମୟରେ ରାୟଗଡାରେ ପହଞ୍ଚି ଥାଏ। ଏହି ଲିଙ୍କଟି ଡେପୁର ପିଏଚ, ଜି.ରାମଚନ୍ଦ୍ରପୁର, ଲାଞ୍ଜିଗଡ ରୋଡ, ଆମ୍ବଦୋଳା, ମୁନିଗୁଡା, ବିଷମକଟକ ଓ ଥେରୁବାଲି ସହ ରାୟଗଡାରେ ପହଞ୍ଚିଥାଏ। ପ୍ରତିଦିନ ଏହିଠାରୁ ମଧ୍ୟ ଶହ ଶହ ଯାତ୍ରୀ ଭୁବନେଶ୍ବରକୁ ଯାତାୟତ କରୁଥିଲେ। କିନ୍ତୁ ଜାନୁଆରୀ ମାସରେ ଏହା ରାୟଗଡାରୁ ସନ୍ଧ୍ୟା ୮ଟାରେ ଭୁବନ‌େଶ୍ବରକୁ ଚାଲୁଥିବାବେଳେ ଏହାସହ ସହଳ ଭୁବନେଶ୍ବରରେ ପହଞ୍ଚୁ ଥିବା ଜଣାପଡିଛି।

ତେବେ ଏହି ଏକ୍ସପ୍ରେସଟି ଚଳାଚଳ କରିବା ପାଇଁ ଏକାଧିକ ସମସ୍ୟା ରହିଛି। ଯେହେତୁ ଏହା ଛତିଶଗଡ, ଆନ୍ଧ୍ର ଓ ଓଡ଼ିଶା ଦେଇ ଚଳପ୍ରଚଳ କରିବ ଆନ୍ଧ୍ରର ପାଖାପାଖି ୧୨ଟି ଷ୍ଟ‌େସନ, ଛତିଶଗଡର ୩ଟି ସହ ଅନ୍ୟ ସବୁ ଓଡ଼ିଶା ଦେଇ ଚଳାଚଳ କରିବ। ତେବେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରେ କୌଣସି ଷ୍ଟ‌େସନ ରେଳ ରହିବ ନାହିଁ ବୋଲି ନିର୍ଦ୍ଦେଶନାମା ରହିବ ନାହିଁ ବୋଲି କହିଥିଲେ। ଏହି ଦୃଷ୍ଟିରୁ ଚଳାଚଳ ହୋଇପାରୁ ନ ଥିବା ଜଣାପଡିଛି।

ଏନେଇ ଜୟପୁର ଷ୍ଟ‌େସନ ଜନ୍ ଖୋଜୁର କହିଛନ୍ତି ଯେ ଅନ୍ୟ ଜିଲ୍ଲା ଗୁଡିକରେ ସେବା ଆରମ୍ଭ ହୋଇଥିବାବେଳେ ଇଷ୍ଟକୋଷ୍ଟରୁ ଯେବେ ନିର୍ଦ୍ଦେଶ ଆସିବ ସେବେଠୁ ଆରମ୍ଭ ହେବା ଆଶା କରାଯାଉଛି।ତେବେ ଏହା ତିନିଟି ରାଜ୍ୟ ଦେଇ ଆସୁଥିବାବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରାଯିବା ପରେ ଏହି ରୁଟରେ ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଯିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର