ବଦଳିବ କି ହୀରାଖଣ୍ଡର ଭାଗ୍ୟ? ୨୧ ବର୍ଷର ଟ୍ରେନରେ ନାହିଁ ପ୍ରଥମ ଶ୍ରେଣୀ ଏସି କୋଚ୍

ରାୟଗଡ଼ା: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହୀରାଖଣ୍ଡ ଟ୍ରେନରେ ରାୟଗଡ଼ା ଗସ୍ତରେ ଆସୁଥିବାରୁ ୨୧ ବର୍ଷର ଏହି ଟ୍ରେନର ଭାଗ୍ୟ ବଦଳିବା ନେଇ ଆଶା ପ୍ରକାଶ ପାଇଛି। ଓଡ଼ିଶାର ସବୁଠୁ ବିପଦ ଓ ରୋମାଞ୍ଚପୂର୍ଣ୍ଣ ରେଳ ଲାଇନ ଦେଇ ଜଗଦଲପୁର-ଭୁବେନଶ୍ବର ମଧ୍ୟରେ ଯାତ୍ରା କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ୩ ରାଜ୍ୟର ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଛି। କିନ୍ତୁ ଆଜି ସୁଦ୍ଧା ଏହି ଟ୍ରେନରେ ପ୍ରଥମ ଶ୍ରେଣୀ ଏସି କୋଚ୍ କିମ୍ବା ଆବଶ୍ୟକୀୟ ସଂରକ୍ଷିତ ବଗି ନାହିଁ। ବହୁ ସମୟରେ ଯାତ୍ରୀଙ୍କୁ ଟିକେଟ୍ ମିଳୁନଥିବା ବେଳେ ଠିକ୍ ସମୟରେ ମଧ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚୁନଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ୧୯୯୮ ମସିହାରେ କୋରାପୁଟ-ରାୟଗଡ଼ା ମଧ୍ୟରେ ରେଳପଥ ନିର୍ମାଣ ଶେଷ ହେବା ପରେ ୧୯୯୯ରୁ କୋରାପୁଟ ଭୁବନେଶ୍ବର ମଧ୍ୟରେ ହୀରାଖଣ୍ଡ ଚଳାଚଳ ଆରମ୍ଭ ହୋଇଥିଲା।

୨୦୧୦ ମସିହାରେ ହୀରାଖଣ୍ଡ ଛତିଶଗଡ଼ର ଜଗଦଲପୁର ପର୍ଯ୍ୟନ୍ତ ସଂପ୍ରସାରଣ ହୋଇଥିଲା। ୧୭୬ କିମି ବିଶିଷ୍ଟ ରେଳ ଲାଇନରେ ୧୪ଟି ଷ୍ଟେସନ, ୩୭ଟି ସୁଡଙ୍ଗ, ୩୮୫ଟି ପୋଲ ଦେଇ ଟ୍ରେନ୍ କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟତ କରୁଛି। ଦୈନିକ ୭୮୬ କିମି ଯାତ୍ରା କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବାକୁ ୧୭ ଘଣ୍ଟା ୫୫ ମିନିଟ୍ ଲାଗୁଛି। ୩୯ଟି ଷ୍ଟେସନରେ ଟ୍ରେନ୍ ରହୁଥିବା ବେଳେ ଜଗଦଲପୁର-କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ୍ ଘଣ୍ଟାକୁ ୪୭ କିମି ଏବଂ ରାୟଗଡ଼ାରୁ ଭୁବନେଶ୍ବର ମଧ୍ୟରେ ଘଣ୍ଟା ପ୍ରତି ୮୯ କିମି ବେଗରେ ଯାତ୍ରା କରୁଛି। କୋରାପୁଟ-ରାୟଗଡ଼ା ରେଳପଥ ଅତି ରୋମାଞ୍ଚକର ହୋଇଥିବାରୁ ପର୍ଯ୍ୟଟକ ଓ ଯାତ୍ରୀଙ୍କ ମନ ମୋହିଥାଏ ସବୁଜ ବନାନି, ସୁଡ଼ଙ୍ଗ, ଝରଣା ଓ ଆଦିବାସୀ ଗାଁର ମନଲୋଭା ଚିତ୍ର। ଯାତ୍ରୀ ସେବା ସହ ପର୍ଯ୍ୟଟନ ସମ୍ଭାରର ଗୁରୁତ୍ବ ବଢ଼ାଉଥିବା ଏହି ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ନାହିଁ ଅତ୍ୟାଧୁନିକ ସେବା।

୩ ରାଜ୍ୟର ବହୁ ଯାତ୍ରୀଙ୍କ ସମେତ ଲୋକ ପ୍ରତିନିଧି, ଶିଳ୍ପପତି ଏହି ଟ୍ରେନ୍ ଉପରେ ନିର୍ଭର କରୁଥିବା ସତ୍ତ୍ବେ ଗୋଟିଏ ବି ପ୍ରଥମ ଶ୍ରେଣୀର ଏସି କୋଚ୍ ନାହିଁ। ଦ୍ବିତୀୟ ଶ୍ରେଣୀର ଗୋଟିଏ ମାତ୍ର ଏସି କୋଚ ଥିବା ବେଳେ ୩ଟି ତୃତୀୟ ଶ୍ରେଣୀର ଏସି କୋଚ୍ ରହିଛି। ସେହିପରି ୧୨ଟି ସଂରକ୍ଷିତ ବଗି ଥିବା ବେଳେ ଆଉ ୩ରୁ ୪ଟି ବଗି ବଢ଼ିବାର ଆବଶ୍ୟକତା ରହିଛି। ବାରମ୍ବାର ଦାବି ପରେ ବି ରେଳ ବିଭାଗ କୋଚ୍ ସଂଖ୍ୟା ବଢ଼ାଉନଥିବା ବେଳେ ଟ୍ରେନରେ ପେଣ୍ଟ୍ରି କାରର ମଧ୍ୟ ସୁବିଧା ନାହିଁ। ଅନ୍ୟପକ୍ଷରେ ବହୁ ସଂରକ୍ଷିତ ବଗି ଗୁଡ଼ିକ ପୁରୁଣା ହୋଇଯାଇଥିଲେ ମଧ୍ୟ ପରିବର୍ତ୍ତନ କରାଯାଉନି। ତୃତୀୟ ଶ୍ରେଣୀ ଏସି କୋଚ ଠିକ୍ ଭାବେ ସଫେଇ ହେଉନଥିବାର ଅଭିଯୋଗ ମଧ୍ୟ ଉଠିଛି। ଏପରି ଅନେକ ସମସ୍ୟା ଦେଇ ହୀରାଖଣ୍ଡ ଚଳାଚଳ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଏହି ଟ୍ରେନରେ ଗସ୍ତ କରିବାର ଥିବାରୁ ରେଳ ବିଭାଗ ଏଥି ପ୍ରତି ସଚେତନ ହୋଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇପାରେ।

ସମ୍ବନ୍ଧିତ ଖବର