ରାୟଗଡ଼ା: ଜର୍ମାନ୍ ଜ୍ଞାନକୌଶଳରେ ନିର୍ମିତ ଲିଙ୍କେ-ହୋଫମାନ୍-ବୁସ (ଏଲଏଚବି) କୋଚ୍ ସହ ଆଜିଠୁ ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ହୀରାଖଣ୍ଡ ଏକ୍ସପ୍ରେସ୍। ଆସନ୍ତାକାଲି (ଶନିବାର)ରୁ ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ହୀରାଖଣ୍ଡ ଭାୟା କୋରାପୁଟ-ରାୟଗଡ଼ା-ବିଜୟନଗରମ୍-ବ୍ରହ୍ମପୁର ଦେଇ ଗଡ଼ିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅବିଭକ୍ତ କୋରାପୁଟ ଗସ୍ତ ପରେ ହୀରାଖଣ୍ଡର ରୂପ ରେଖ ବଦଳିଛି।

Advertisment

ଆଜି ଭୁବନେଶ୍ବର ଷ୍ଟେସନରେ ନୂତନ କୋଚକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ନୂଆ ଦିଲ୍ଲୀସ୍ଥିତ ରେଳ ଭବନରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଷ୍ଟେସନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର କୁମାର ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଟ୍ରେନର ଶୁଭାରମ୍ଭ କରିଥିଲେ। ବହୁ ଦିନରୁ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀ ସୁବିଧା ଉଚ୍ଚମାନର କରିବା ନେଇ ଦାବି ହୋଇ ଆସୁଥିଲା।

୨୧ ବର୍ଷର ପୁରୁଣା ଏହି ଟ୍ରେନରେ ପ୍ରଥମ ଶ୍ରେଣୀ ଏସି କୋଚ୍ ସଂଯୋଗ ସହ ବଗି ସଂଖ୍ୟା ବଢ଼ାଇବା, ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳ ବିଭାଗକୁ ପତ୍ର ଲେଖା ଯାଇଥିଲା। କିନ୍ତୁ ରେଳ ବିଭାଗ ଏଥି ପ୍ରତି କର୍ଣ୍ଣପାତ କରୁନଥିଲା। ଅଗଷ୍ଟ ୨୦ରେ କେନ୍ଦ୍ର ରେଳ ମନ୍ତ୍ରୀ ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେବାକୁ ହୀରାଖଣ୍ଡ ଟ୍ରେନରେ ଆସିଥିଲେ। କ୍ୟାବିନେଟ୍ ପାହ୍ୟାର କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଥମ ଥର ପାଇଁ ଟ୍ରେନ୍ ଯୋଗେ ଯାତ୍ରା କରିବା କଥା ସଭିଁଙ୍କ ମନକୁ ଛୁଇଁଥିବା ବେଳେ ହୀରାଖଣ୍ଡର ରୂପରେଖ ବଦଳିବା ନେଇ ମଧ୍ୟ ସଭିଁଏ ଆଶାବାଦୀ ଥିଲେ। ମନ୍ତ୍ରୀ ରାୟଗଡ଼ା ପହଞ୍ଚିବା ପରେ ବହୁ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଫଳସ୍ବରୂପ ପ୍ରଥମ ପଦକ୍ଷେପରେ ହୀରାଖଣ୍ଡର ପୁରୁଣା ବଗିକୁ ହଟାଇ ୧୨ଟି ଏଲଏଚବି କୋଚ୍ ସଂଯୋଗ କରିବା ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।