ରାୟଗଡା: ରାଜ୍ୟ ସରକାରଙ୍କର ମାଳ ମାଳ ଯୋଜନା ଆଜି ବି ରାୟଗଡା ଜିଲ୍ଲାର ଦୁର୍ଗମ ଅଂଚଳରେ ବସବାସ କରୁଥିବା ଗାଁଗୁଡିକରେ ପହଞ୍ଚିପାରିଲା ନାହିଁ। ଲୋକେ ସରକାରୀ ଯୋଜନା କଣ ଭୁଲିଗଲେଣି। ନିଜର ପରଂପରା,ସଂସ୍କୃତି ଓ ଜଳ,ଜମି ଓ ଜଂଗଲକୁ ନେଇ ଜୀବନ ଅତିବାହିତ କରୁଛନ୍ତି। କେବଳ ପ୍ରସାର ପ୍ରଚାରରେ ସୀମିତ ହୋଇଯାଇଛି ରାଜ୍ୟ ସରକାରଙ୍କର ଯୋଜନା।ଗାଁକୁ ନା ସଂଯୋଗ ହୋଇଛି ପକ୍କା ସଡ଼କ ନା ପଂହଁଚିଛି ନଳ ଯୋଗେ ସୁଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା।ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ପାଦ ପଡେନାହିଁ ଦୁର୍ଗମ ଅଂଚଳର ଗାଁଗୁଡିକରେ।ଏଭଳି ଏକ ଅଭିଶପ୍ତ ଗାଁହେଉଛି ରାୟଗଡା ସଦର ବ୍ଲକର ଦୁର୍ଗମ ତାଡ଼ମା ପଞ୍ଚlୟତର ହିର୍ଷାମୁଁହି ଗ୍ରାମ।ଏହି ଗ୍ରାମରେ ପ୍ରାୟ ୪୦ ପରିବାରର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ନିମନ୍ତେ ଆଜିବି ସରକାରୀ ଯୋଜନା ଅପହଞ୍ଚ।ଗାଁକୁ ପକ୍କା ସଡକ ନଥିବା କାରଣରୁ ଆମ୍ବୁଲାନ୍ସ ପଂହଁଚି ପାରୁନାହିଁ।ଯାହାଫଳରେ ଗର୍ଭବତୀ ମା‘ଙ୍କ ଠାରୁ ଆରମ୍ଭ କରି ସାଧରଣ ରୋଗୀଙ୍କୁ ମଧ୍ୟ ୪ କିଲୋମିଟର ବୋହି ନେବାକୁ ପଡୁଛି ଆମ୍ବୁଲେନସ ପର୍ଯ୍ୟନ୍ତ।ଏହା ବ୍ୟତୀତ ଗାଁ ଦାଣ୍ଡରେ ଦୁଇ ଦୁଇଟି ନଳ କୂପ ଥାଇ ମଧ୍ୟ ଦୁଇଟି ଯାକ ନଳ କୂପ ଅଚଳ ହୋଇ ପଡିଛି।ଲୋକେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ଝରଣା ପାଣି ଆଣି ବ୍ୟବହାର କରୁଛନ୍ତି।ସେହି ପାଣି ହିଁ ବର୍ଷ ତମାମ ଲୋକେ ବ୍ୟବହାର କରିଆସୁଥିବା କହନ୍ତି।
/sambad/media/post_attachments/wp-content/uploads/2023/12/Rgda-Harsimui-village-story-1-1024x576.jpg)
ଏହି ପାଣି ପିଇବା ଦ୍ବାରା ନାନା ରୋଗ ବ୍ୟାଧିର ଶିକାର ହେଉଛନ୍ତି।ଗାଁରେ ଅଙ୍ଗନବାଡି କିମ୍ବା ସ୍କୁଲ ନଥିବାରୁ ପିଲାମାନେ ପ୍ରାୟ ଦୁଇ କିଲୋମିଟର ପାଦରେ ଚାଲି ସ୍କୁଲ ଓ ଅଙ୍ଗନବାଡି ଯିବାକୁ ପଡୁଥିବା ଗ୍ରାମବାସୀ କହନ୍ତି।ହର୍ଷିମୁହିଁ ଗାଁ ନିକଟରେ ରହିଥିବା ଗଡବା ଅଂଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ଅଙ୍ଗନବାଡିରେ ରନ୍ଧା ଖାଦ୍ୟ ସାତ ସପନ ପାଲଟିଛି।ଗାଁକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଗାଁକୁ ଆଜି ପର୍ଯନ୍ତ ମୋବାଇଲ ସେବା ମିଳିପାରି ନାହିଁ ବୋଲି ଗ୍ରାମର ସୁନ୍ଦର ରାଓ କାଡ୍ରlକା ଏବଂ ସନି କଣ୍ଡାଗରୀ ପ୍ରକାଶ କରିଛନ୍ତି।ପାହାଡ଼ ଜଙ୍ଗଲ ଘେରା ଏହି ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କର ସବୁ ଯୋଜନା ଫେଲ ମାରିଛି।ଏହି ଅଭିଯୋଗ ଆଣିଛନ୍ତି ଏଠାରେ ବସ ବାସ କରୁଥିବା ମଣିଷ।ଏଠାରେ ଅଧିକାରୀ ଏବଂ ନେତା ମନ୍ତ୍ରୀ କେବଳ ନିର୍ବାଚନ ସମୟରେ ଆସନ୍ତି, ହେଲେ ଅସୁବିଧା ସମୟରେ କାହାର ବି ଦେଖା ମିଳେନି ବୋଲି କହିଛନ୍ତି ଗ୍ରାମବାସୀ।
ତେଣୁ ଆଗକୁ ନିର୍ବାଚନ ଅଛି, ଆଗେ କାମ ତାପରେ ଭୋଟ ମିଳିବ, ନଚେତ ଭୋଟ ବର୍ଜନ ନିମନ୍ତେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।ଏହି ଗ୍ରାମରେ ମାଳ ମାଳ ସମସ୍ୟା ରହିଥିଲେ ମଧ୍ୟ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ଥକି ଗଲେଣି।ରାୟଗଡା ଜିଲ୍ଲାରେ ଏହା ଗୋଟିଏ ଗ୍ରାମ ନୁହେଁ ବରଂ ଜିଲ୍ଲାର ପାହାଡ ଉପରେ ଏବଂ ପାହାଡ ତଳେ ରହିଥିବା ଗାଁଗୁଡିକର ଅବସ୍ଥା ଏକାପରି। ଏହି ହର୍ଷିମୁହିଁ ଗ୍ରାମଟି ପାହାଡ ତଳେ ରହିଥିବାରୁ ପାହାଡ ପାଣି ଗାଁରେ ପଶି ଗାଁକୁ ଧୋଇ ଦେଉଛି।ତୁରନ୍ତ ପାହାଡ ତଳେ ଆଡି ବନ୍ଧ ନିର୍ମାଣ କରାନଗଲେ ଲୋକେ ବର୍ଷା ଦିନେ ନାହିଁ ନଥିବା ହଇରାଣ ହେଉଥିବେ। ଏହି ଗାଁର ସମସ୍ୟା ଦେଖିବା ପାଇଁ ଥରେ ସରକାରୀ ବାବୁଙ୍କ ପାଦ ପଡୁ ବୋଲି ଲୋକେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-Harsimui-village-story-3.jpg)