ସ୍ୱାଭିମାନ ଅଞ୍ଚଳରୁ ଏବେ ବାହାରୁଛି ଇତିହାସ!

ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାର ନିର୍ମାଣ ବେଳେ ପାଣି ଭିତରେ ଲୀନ ହୋଇଯାଇଛି ଅନେକ ପାହାଡ ଜଙ୍ଗଲ ଓ ଆଦିବାସୀଙ୍କ ଗାଁ । ହେଲେ ଚଳିତ ବର୍ଷ ଜଳ ଭଣ୍ଡାରର ପାଣି ପୁରା କମିଯିବା ପରେ ଦେଖିବାକୁ ମିଳିଛି ଏକ ପୁରାତନ ଭଗ୍ନ ଶିବ ମନ୍ଦିର । କେଉଁ ପ୍ରାଚୀନ କାଳରେ ଏହି ମନ୍ଦିର ନିର୍ମାଣ ହୋଇଛି ତାହା କେହି ଜାଣି ନାହାନ୍ତି । ହେଲେ ଦୀର୍ଘ ବର୍ଷ ପରେ ଏହି ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳରେ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ଵାଭିମାନ ଅଞ୍ଚଳର ଗାଁ ଗାଁ କୁ ରାସ୍ତା ଘାଟ ପହଁଚିଛି ଆଉ ସ୍ୱାଭିମାନ ଅଞ୍ଚଳର ପୁରାତନ ଇତିହାସ ଏବେ ଲୋକ ଲୋଚନକୁ ଆସିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ଅନେକ ପୁରାତନ ମନ୍ଦିର ଓ ପ୍ରାଚୀନ କାଳର ମୂର୍ତ୍ତି ଥିବା ମନ୍ଦିର ରହିଛି । ଏହି କିଛିଦିନ ହେବ ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଡ଼ମଗୁଡା ଗ୍ରାମଠାରେ ଏକ ପ୍ରାଚୀନ ଶିବ ମନ୍ଦିର ବାହାରିବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ମନ୍ଦିର ବର୍ଷ ବର୍ଷ ଧରି ପାଣି ଭିତରେ ଜଳ ମଗ୍ନ ହୋଇ ରହିଥିଲା । ବାଲିମେଳା ଜଳ ଭଣ୍ଡାରର ଜଳସ୍ତର ପୁରା କମି ଯିବାରୁ ଏବେ ଏହି ମନ୍ଦିର ସମସ୍ତେ ଦେଖିବାକୁ ପାଇଛନ୍ତି । ହେଲେ କେବେ ଓ କେଉଁ ରାଜାଙ୍କ ଅମଳରେ ଏହି ମନ୍ଦିର ସ୍ଥାପନ ହୋଇଥିଲା ତାହା କେହି ମଧ୍ୟ ଜାଣି ନାହାନ୍ତି । ଗ୍ରାମରେ ବାସ କରନ୍ତି ମାତ୍ର ଦଶଟି ପରିବାର । ଯେଉଁମାନେ ଜଳଭଣ୍ଡାର ନିର୍ମାଣ ପରେ ବିସ୍ଥାପିତ ହୋଇ ଏଠାରେ ରହି ଆସୁଛନ୍ତି । ଏଠାରେ ଚାଷ କାମ କରୁଥିବା ସମୟରେ ଏକ ପାଞ୍ଚ ଫୁଟର ଗଣେଶ ମୂର୍ତ୍ତି ଲୋକ ମାନେ ପାଇଥିଲେ । ଏହା ପରେ ଆଖ ପାଖରୁ ଏମିତି ଅନେକ ଛୋଟ ବଡ ଗରୁଡ, ଗଣେଶ ମୂର୍ତ୍ତି ବାହାରିଛି । ଶିବଙ୍କ ବିରାଟ ପଥର ଚଉରା ଜଳଭଣ୍ଡାର ଭିତରେ ଥିବା ଏକ ପାହାଡ ଉପରେ ରହିଛି । ଏହା ସହ ବାଲିମେଳା ଜଳ ଭଣ୍ଡାରରେ ଏକ ଶିବ ଲିଙ୍ଗ ପୋତି ହୋଇ ରହିଥିବା ଲୋକମାନେ କୁହନ୍ତି ।

ତେବେ କାଳି ଦାସଙ୍କ ମେଘଦୂତ କାବ୍ୟରେ ବର୍ଣ୍ଣିତ ମାଲ୍ୟବନ୍ତଗିରି ଯାହା ଆଜି ମାଲକାନଗିରି ବୋଲି କୁହାଯାଉଛି । ଏହି ଅଞ୍ଚଳର ଇତିହାସ ପ୍ରାକ ଐତିହାସିକ କାଳରୁ ଏଠି ଅନେକ ପ୍ରାଚୀନ କୀର୍ତି ରାଜି ଅଣ ଆବିଷ୍କୃତ ହୋଇ ରହିଅଛି ବୋଲି ଗବେଷକ ଓ ସାହିତ୍ୟିକ ଡ଼ ଦେବାଶିଷ ପାତ୍ର ମତ ଦିଅନ୍ତି। ଗବେଷଣା କହୁଛି ଜୟପୁର ରାଜା ମଲିକ ମର୍ଦନ ସିଂଦେଓ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଲାଗି ଚିତ୍ରକୋଣ୍ଡା ଆସିଥିଲେ । ରାଜା ସେହି ସମୟରେ ଏହି ବିରାଟ ଶିବ ମନ୍ଦିର ସ୍ଥାପନ କରିଥିଲେ । ଯାହା ଥିଲା ରାଜ୍ୟର ବୃହତ ଦ୍ୱିତୀୟ ଶିବ ମନ୍ଦିର । ୧୯୬୧ ମସିହାରେ ବାଲିମେଳା ଜଳଭଣ୍ଡାର ନିର୍ମାଣ ବେଳେ ଏହା ପାଣି ଭିତରେ ବୁଡି ଯାଇଛି । ଯାହାର ଭଗ୍ନ ଅଂଶ ଏବେ ପାଣି ଶୁଖିବା ପରେ ଦେଖିବାକୁ ମିଳୁଛି । କିନ୍ତୁ ଜଣେ ବିଶେଷଜ୍ଞଙ୍କ ମତରେ ଚତୁର୍ଦ୍ଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ସମୟରେ ଏହି ଚିତ୍ରକୋଣ୍ଡା ଅଞ୍ଚଳରେ ମତମୟ ସମ୍ପ୍ରଦାୟ ତରଫରୁ ନିଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରାଯାଇଥିଲା । କିନ୍ତୁ ପଞ୍ଚଦଶ ଶତାବ୍ଦୀରେ ନନ୍ଦପୁର ରାଜାଙ୍କ ସମୟରେ ମାଲକାନଗିରି ଜିଲ୍ଲାର ଉଡାଡି ଅଞ୍ଚଳରେ ନନ୍ଦପୁର ରାଜା ବଲୋଭ ନାରାୟଣ ମନ୍ଦିର ପ୍ରତିଷ୍ଠା କରିବା ପରେ ଶୈବ ସମ୍ପ୍ରଦାୟ ଏଠାରେ ପ୍ରତିହତ ହେଉଥିବା ଜଣା ପଡ଼ିଛି। ଏହି ସବୁ ପ୍ରାଚୀନ ମୂର୍ତ୍ତିର ରକ୍ଷଣ ବେକ୍ଷଣ କରିବା ସହ ସେଠାରେ ପ୍ରଶାସନ ଏକ ମନ୍ଦିର ସ୍ଥାପନ କରୁ ବୋଲି ସ୍ୱାଭିମାନ ଅଞ୍ଚଳର ଲୋକେ ଗୁହାରି କରିଛନ୍ତି ।

ସମ୍ବନ୍ଧିତ ଖବର