ପିଲାଦିନର ହକି ପଡ଼ିଆରେ ଅମିତ, ବୀରେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା, ହକି ଅନ୍ତୁଡ଼ିଶାଳ ସଉନାମୁରା ସ୍ବାଗତମୟ

ସୁନ୍ଦରଗଡ଼/ବାଲିଶଙ୍କରା/ସବଡେଗା: ଆଜି ମଧ୍ୟାହ୍ନ ୧୨ଟାକରେ ହକି ଗୌରବ ଅମିତ ରୋହିଦାସ ନିଜ ଜନ୍ମମାଟି ହକି ଅନ୍ତୁଡ଼ିଶାଳ ସଉନାମୁରାକୁ ପହଞ୍ଚିଥିଲେ। ଅମିତଙ୍କ ପାଇଁ ସାରା ଗାଁ ସ୍ବାଗତମୟ ହୋଇପଡ଼ିଥିଲା। ପ୍ରଥମେ ଗାଁ ମୁଣ୍ଡରେ ଘର ଲୋକେ ଆଦିବାସୀ ପରମ୍ପରାରେ ସୁନାପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ। ଏହା ପରେ ଅପରାହ୍ନରେ ଅମିତଙ୍କ ପିଲାଦିନର ଗାଁ ହକି ପଡ଼ିଆରେ ଏକ ସଦୃଶ୍ୟ ମଞ୍ଚରେ ତାଙ୍କୁ ଓ ଭାରତୀୟ ପୁରୁଷ ହକିର ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କୁ ଗାଁ ଲୋକେ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ସଉନାମୁରା ମାଟିରେ ଜନ୍ମ ନେଇଥିବା ହକିର ଜୀବନ୍ତ କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲୀପ ତିର୍କୀ, ଭାରତୀୟ ମହିଳା ହକିର ପୂର୍ବତନ ଅଧିନାୟକ ସୁଭଦ୍ରା ପ୍ରଧାନ, ଅନ୍ୟତମ ଅନ୍ତର୍ଜାତୀୟ ହକି ଖେଳାଳି ଦୀପସାନ ତିର୍କୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ହକି ତାରକା ବୀରେନ୍ଦ୍ର ଲାକ୍ରା ଆଦିବାସୀ ସାଦ୍ରି ଭାଷାରେ ନିଜ ହକି ସଂଘର୍ଷ ଓ ସଫଳତା ସମ୍ପର୍କରେ କହିବା ସହ ଗାଁ ଲୋକଙ୍କ ପ୍ରଚୁର ଭଲପାଇବା ପାଇଁ ଅଭିଭୂତ ହୋଇପଡ଼ିଥିବା ପ୍ରକାଶ କରିଥିଲେ। ପଦ୍ମଶ୍ରୀ ଡ. ଦିଲୀପ ତିର୍କୀ ନିଜ ଅଭିଭାଷଣରେ ‘ପିଲାଦିନେ ସେ ଓ ଅମିତ, ଦୀପସାନ, ସୁଭଦ୍ରା ହକି ଅଭ୍ୟାସ କରୁଥିବା ବାଲିମାଟିର ପଡ଼ିଆରେ ଆଜି ତମାମ ଜୀବନର ବିଶାଳ ସ୍ବପ୍ନ ଅଲିମ୍ପିକ୍ ପଦକ ଧରି ଠିଆ ହେବା ଠାରୁ ବଳି ଗୌରବର ମୁହୂର୍ତ୍ତ ଆଉ କିଛି ନାହିଁ’ ବୋଲି କହିଥିଲେ।

ସେହିପରି ଭାରତୀୟ ମହିଳା ହକିର ପୂର୍ବତନ ଅଧିନାୟକ ସୁଭଦ୍ରା ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ‘ଦିଲୀପ ତିର୍କୀ ତାଙ୍କ ପ୍ରେରଣା, ମୁଁ ସଉନାମୁରା ସ୍କୁଲରେ ପଢ଼ିଲା ବେଳେ ଦିଲୀପ ଅଲିମ୍ପିକ୍ ଖେଳୁଥିଲେ। ସେତେବେଳେ ଗାଁରେ ଟିଭି ନଥିଲା, ରେଡିଓରେ ହକିର ଧାରା ବିବରଣୀ ଶୁଣିଥିଲି, ଉଦଘୋଷକ ଦିଲୀପଙ୍କ ନାଁ କହୁଥିଲେ। ଯାହା ମୋ ମନରେ ପୁଲକ ଭରିଥିଲା, ମୁଁ ବି ଦିଲୀପଙ୍କ ଭଳି ଖେଳିବି ବୋଲି ପଣ କରିଥିଲି ଓ ସଫଳ ହେଲି। ସଉନାମୁରାରେ ଆଉ ଜଣେ ସୁଭଦ୍ରା ପ୍ରଧାନଙ୍କ ଜନ୍ମ ହେଉ’ ବୋଲି ସେ କହିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଆଥଲେଟିକ୍ କୋଚ୍ ସୁସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ହକି ଖେଳାଳିମାନଙ୍କୁ ଏନଟିପିସି ଡୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶନିବାର ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନର ସ୍ବାଗତ, ସମ୍ବର୍ଦ୍ଧନା ପରେ ଅମିତ ସୁନ୍ଦରଗଡ଼ ପ୍ରଦିକ୍ଷଣ ଗୃହରେ ରାତ୍ରୀଯାପନ କରି ଆଜି ସଉନାମୁରା ଆସିଥିଲେ। ରାସ୍ତାରେ ସବଡେଗା, ତଳସରା ଛକରେ ତାଙ୍କୁ ଲୋକେ ସ୍ବାଗତ କରିଥିଲେ। ତଳସରା ଛକରେ ବିଧାୟକ ଭବାନୀଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନ୍ରୟନ ପରିଷଦ ବିନୟ କୁମାର ଟପ୍ପୋ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର