ଖବର ପ୍ରକାଶନ ପରେ ସନ୍ତୋଷଙ୍କ ଉପରେ ପଡ଼ିଲା ସରକାରଙ୍କ ନଜର, ଦୂର ହେବ ହକି ଖେଳାଳି ସନ୍ତୋଷଙ୍କ ଦାଦନ ଯନ୍ତ୍ରଣା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହକିଗଡ଼ ଲୁଲକିଡିହିର ଜାତୀୟ ହକି ଖେଳାଳି ସନ୍ତୋଷ ମାଝୀ ପେଟ ପାଇଁ ପଡ଼ିଆ ଛାଡ଼ି ଗୋଆ ସମୁଦ୍ରରେ ମାଛଧରା ଜୀବିକାକୁ ଆପଣେଇଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ୟ ବ୍ୟାପି ହଇଚଇ ଖେଳାଇ ଦେଇଥିଲା। ଯେଉଁ ସମୟରେ ସୁଦୂର ଟୋକିଓରେ ଚମକ ଦେଖାଇ ଫେରିଥିବା ସୁନ୍ଦରଗଡ଼ର ୪ ଆଲିମ୍ପିଆନଙ୍କୁ ନେଇ ସାରା ଓଡ଼ିଶା ଉଲ୍ଲସିତ ଥିଲା ଓ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଉଥିଲେ, ଠିକ୍ ସେହି ସମୟରେ ସନ୍ତୋଷଙ୍କ ଏ ବିଡ଼ମ୍ବିତ ଯାତ୍ରା ଖବର ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ତେବେ ଖବର ପ୍ରକାଶନ ପରେ ରାଜ୍ୟ ସରକାରଙ୍କ ନଜର ସନ୍ତୋଷଙ୍କ ଉପରେ ପଡ଼ିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କ୍ରୀଡ଼ା ବିଭାଗ ସନ୍ତୋଷଙ୍କ ହକି ଯାତ୍ରା ଓ ଦାଦନ ଯନ୍ତ୍ରଣା ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରି ପଠାଇଛି। ରିପୋର୍ଟ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି। ଅଲିମ୍ପିଆନଙ୍କ ଗାଁ ଲୁଲକିଡିହିରେ ଜନ୍ମ ନେଇଥିବା ସନ୍ତୋଷ ପିଲା ଦିନ ହକି ପ୍ରତି ସମର୍ପିତ ଥିଲେ। ସନ୍ତୋଷଙ୍କ ଭିତରେ ହକିର ଏକ ସମ୍ଭାବନା ଥିବା ଦେଖି ସୁନ୍ଦରଗଡ଼ସ୍ଥିତ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷ (ସାଇ) ଛାତ୍ରାବାସ ଅଧିକାରୀ ତାଙ୍କୁ ଚୟନ କରି ନେଇ ଆସିଥିଲେ। ସେଠାରେ ସେ ସବ୍ ଜୁନିୟରରୁ ଜୁନିୟର ଓ ସିନିୟରକୁ ଉନ୍ନୀତ ହୋଇ ଜାତୀୟ (ବି)ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ।

୨୦୧୫ ବେଳକୁ ସେ ଦୁଇ ଥର ସେ ଜାତୀୟ ଦଳରେ ହକି ଖେଳି ବହୁ ପଦକ ଓ ପ୍ରମାଣପତ୍ର ପାଇଥିଲେ। ସନ୍ତୋଷ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ, ଇଗ୍ନେସ, ପ୍ରବୋଧଙ୍କ ପରି ଦକ୍ଷ ହୋଇ ଅଲିମ୍ପିକ୍ସ ପଡ଼ିଆକୁ ପହଞ୍ଚିବେ ବୋଲି ସ୍ବପ୍ନ ଦେଖିଥିଲେ, ପରିଶ୍ରମ କରୁଥିଲେ। କିନ୍ତୁ ବିଡ଼ମ୍ବନା ଦୁଇ ଥର ଜାତୀୟ ଦଳରେ ଖେଳିବା ପରେ ତାଙ୍କୁ ଆଉ ସୁଯୋଗ ମିଳି ନଥିଲା। ପରେ ପରେ ସୁନ୍ଦରଗଡ଼ ସାଇରୁ ବାଳକ ଛାତ୍ରାବାସକୁ ହଟାଇ ଦିଆଯାଇଥିଲା। ଏହା ପରେ ତାଙ୍କ ବିଡ଼ମ୍ବିତ ଯାତ୍ରା ଆରମ୍ଭ ହୋଇଥିଲା। ପେଟ ଓ ପରିବାର ଚିନ୍ତା ତାଙ୍କୁ ହକି ପଡ଼ିଆର ଦାଦନମୁହାଁ କରିଥିଲା। ନିଜ ସଫଳତାର ପଦକ ଓ ପ୍ରମାଣପତ୍ରକୁ ବାକ୍ସରେ ସାଇତି ସେ ଚାଲିଗଲେ ଗୋଆ। ସେଠାରେ ଗଭୀର ସମୁଦ୍ର ଭିତରେ ଡଙ୍ଗାରେ ବସି ମାଛ ଧରିଲେ। ସେଥିରୁ ଯାହା ରୋଜଗାର ମିଳିଲା ପେଟ, ପରିବାର ଚଳିଲେ। ପ୍ରତିବର୍ଷ ଚାଷ କାମ ପରେ ଗୋଆ ବାହାରି ପଡ଼ୁଥିଲେ ସନ୍ତୋଷ। ଏବେ ସରକାରଙ୍କ ନଜର ପଡ଼ିବା ପରେ ସନ୍ତୋଷଙ୍କ ଏ ବିଡ଼ମ୍ବିତ ଯାତ୍ରାର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର