ରାଉରକେଲା: ଆଉ ମାତ୍ର ଦୁଇ ସପ୍ତାହପରେ ପୁଣି ଦୁଲୁକିବ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ। ପୁନର୍ବାର ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ ଜିଲ୍ଲାବାସୀ। କାରଣ, ମାର୍ଚ୍ଚ ୧୦ ତାରିଖରୁ ଏଠାରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଆରମ୍ଭ ହେବ। ଏଠାରେ ଭାରତ ସମେତ ବିଶ୍ବବିଜେତା ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପର ବିରୋଧରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିବେ। ଏହି ପ୍ରୋ-ଲିଗ୍‌ ପାଇଁ ସଂପ୍ରତି ଭାରତୀୟ ହକି ଦଳର ଜାତୀୟ ଶିବିର ବାଙ୍ଗାଲୋରେ ପରିଚାଳିତ ହେଉଛି। ଖୁବ୍‌ ଶୀଘ୍ର ଦଳ ଚୟନ କରାଯିବାର ସମ୍ଭାବନା ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ତିନି ଦଳ ରାଉରକେଲାରେ ପହଞ୍ଚିବେ। ତେବେ ଭାରତୀୟ ଦଳ ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଉରକେଲାରେ ପହଞ୍ଚିବବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଦଳ ମାର୍ଚ୍ଚ ୪ ତାରିଖରେ ବାଙ୍ଗାଲୋରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବ। ଭୁବନେଶ୍ବରରେ ୪ ତାରିଖ ବିଶ୍ରାମ ନେବ। ପରଦିନ, ଅର୍ଥାତ୍‌ ୫ ତାରିଖ ଅପରାହ୍ନରେ ଭୁବନେଶ୍ବରରୁ ବିମାନରେ ବାହାରି ରାଉରକେଲାରେ ପହଞ୍ଚିବ। ତେବେ ଭାରତୀୟ ଦଳର ଗସ୍ତ ସୂଚୀ ନେଇ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନାହିଁ। ଦଳ ଘୋଷଣାପରେ ବିଧିବଦ୍ଧଭାବେ ଗସ୍ତସୂଚୀ ଜାରି କରାଯିବ।

Advertisment

ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ଉପଭୋଗ କରିବାକୁ ଚାତକ ପରି ଚାହିଁ ବସିଛନ୍ତି ହକିପ୍ରେମୀ। ଏବେଠାରୁ ଖଟିରେ ଆରମ୍ଭ ହୋଇଗଲାଣି ହକି ଚର୍ଚ୍ଚା। ଗତ ବିଶ୍ବକପ୍‌ ବେଳେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ନିଜ ଦଳକୁ ସମର୍ଥନ କରିବାକୁ ହକିପ୍ରେମୀ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଏଠାରେ ମାର୍ଚ୍ଚ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ, ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍‌ ସନ୍ଧ୍ୟା ୭ଟା ୧୦ରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ମ୍ୟାଚ୍‌ ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବାବେଳେ ୧୧ ତାରିଖରେ ଅଷ୍ଟ୍ରେଲିଆ ଓ ଜର୍ମାନୀ, ୧୨ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ ତାରିଖରେ ଭାରତ ଓ ଜର୍ମାନୀ, ୧୪ରେ ଜର୍ମନୀ ଓ ଅଷ୍ଟ୍ରେଲିଆ ଏବଂ ୧୫ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।
ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ବକପ୍‌ର ଶେଷ ମ୍ୟାଚ୍‌ ଜାନୁଆରି ୨୮ ତାରିଖରେ ଖେଳାଯାଇଥିଲା। ଏହାପରେ ଷ୍ଟାଡିୟମ ଓ ଅଭ୍ୟାସ ପଡ଼ିଆରେ ଯୁବ ହକି ଖେଳାଳିଙ୍କ ଅଭ୍ୟାସ ଜାରି ରଖିଛନ୍ତି। ପ୍ରତ୍ୟହ ସକାଳେ କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ଓ କନିଷ୍ଠ ଖେଳାଳି ମୁଖ୍ୟ ପିଚ୍‌ରେ ଅଭ୍ୟାସ କରୁଛନ୍ତି। ସକାଳ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଉଭୟ ବାଳକ ବର୍ଗର ଖେଳାଳି ଅଭ୍ୟାସ କରୁଛନ୍ତି। ଅପରପକ୍ଷରେ ସକାଳ ୭ଟାରୁ ୯ ଟା ଯାଏ କ୍ରୀଡ଼ା ଛାତ୍ରାବାସରେ ନୂତନଭାବେ ଯୋଗଦେଇଥିବା ଖେଳାଳି ଓ ଉପକନିଷ୍ଠ ଖେଳାଳି ଦ୍ବିତୀୟ ପଡ଼ିଆ(ଅଭ୍ୟାସ ପିଚ୍‌)ରେ ଅଭ୍ୟାସ କରୁଛନ୍ତି। ଏମାନଙ୍କୁ ଛାତ୍ରାବାସରୁ ନେବାଆଣିବାରେ ବଲେରୋ ନିୟୋଜିତ କରାଯାଉଛି। ତେବେ ବାଳିକା ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ଖେଳାଳି ଛାତ୍ରାବାସ ପରିସରସ୍ଥ ଆଷ୍ଟ୍ରୋଟର୍ଫ‌୍ ପଡ଼ିଆରେ ଅଭ୍ୟାସ ନେଉଛନ୍ତି।