କେବେ ବିକଶିତ ହେବ କୋରାପୁଟ ହକି ଭିତ୍ତିଭୂମି, ଜିଲ୍ଲା ପୁଲିସ ଅକ୍ତିଆରରେ ହକି ଷ୍ଟାଡିୟମ

କୋରାପୁଟ: କୋରାପୁଟ ଜିଲ୍ଲାରେ ହକି ଭୂତ୍ତିଭୂମି ରହିଛି କିନ୍ତୁ ବିକଶିତ ହୋଇପାରୁନି। ପ୍ରଶାସନିକ ଓ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେତୁ ଏବେ ଡମ୍ପି ୟାର୍ଡ ପାଲଟିଛି ‌ହକି ପାଇଁ ଉଦ୍ଦିଷ୍ଟ ପଡିଆ। ଏବେ କୋରାପୁଟ ପୁଲିସ ପକ୍ଷରୁ ଏହିଠାରେ ଜବତ ହୋଇଥିବା ଗାଡିକୁ ରଖାଯାଇଥିବାବେଳେ କିଛି ଘରୋଇ ଲୋକ ଜିନିଷପତ୍ର ରଖୁଥିବା ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡା ବିଭାଗ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା କରି ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି କରିସାରିଥିବାବେଳେ ସୁନ୍ଦରଗଡ ସହ ଅନ୍ୟ ଜିଲ୍ଲା ମଧ୍ୟ ପଛରେ ପଡିନି। ଏହି ଜିଲ୍ଲାଗୁଡିକରେ ଭିତ୍ତିଭୂମିକୁ ବିକଶିତ କରାଯାଉଥିବାବେଳେ କିନ୍ତୁ କୋରାପୁଟ ଛାତି ଉପରେ ରହିଥିବା ହକି ପଡିଆ ଏବେ ଅନ୍ୟ ଜିନିଷ ପାଇଁ ବ୍ୟବହାର ହେଉଛି। ଯେଉଁ କାର୍ଯ୍ୟ ପାଇଁ ଏହି ସ୍ଥାନକୁ ବଛା ଯାଇଥିଲା ତାହା ଏବେ ବାଟ ହୁଡିଛି।

କୋରାପୁଟ ସହର ବସଷ୍ଟାଣ୍ଡକୁ ଲାଗି ରହିଛି ପ୍ରାୟ ଗୋଟିଏ ଏକରରୁ ଅଧିକ ଖାଲି ପଡିଆ।ଏହି ପଡିଆ ୫୦ ବର୍ଷ ହେବ ହକି ଷ୍ଟାଡିୟମ ଭାବେ ବେଶ ପରିଚିତ। ଏହାକୁ ପୁଲିସ ରିଜର୍ଭ ଅଫିସ ଭାବେ କରାଯିବାକୁ ଯୋଜନା ରହିଥିଲା କିନ୍ତୁ ବିରୋଧ ହେବାରୁ ଏହା ବନ୍ଦ ରହିଛି। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲା ପୁଲିସ ପକ୍ଷରୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ଧରାପଡୁଥିବା ଗାଡିକୁ ଏହିଠାରେ ରଖାଯାଉଛି। ଏହି ଜମି ସ୍ଥାନୀୟ ପୌରସଂସ୍ଥାର ସମ୍ପତ୍ତି  ଥିଲା। ଏହାପରେ ଜିଲା ପୁଲିସ ଏହାକୁ ନିଜ ଅକ୍ତିଆରକୁ ନେଇ ଏହିଠାରେ ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଚାହୁଁଥିଲା। କିନ୍ତୁ ବିରୋଧ ହେବାରୁ ଏହାକୁ ସ୍ଥଗିତ ରଖିଥିଲା। ଯଦିଓ ଏହି ଗ୍ରାଉଣ୍ଡକୁ ହକି ଗ୍ରାଉଣ୍ଡ ନାମରେ ନାମିତ କରାଯାଇଛି, ସେଠାରେ ଫୁଟବଲ ଏବଂ ଭଲିବଲ ମଧ୍ୟ ଖେଳାଯାଉଥିଲା। ଦିନ ଥିଲା କୋରାପୁଟ ଜିଲ୍ଲାରୁ ହେମା ରାଓଙ୍କ ପରି ବହୁ ଖେଳାଳି ଏହି ପଡିଆରେ ପୁ୍‌ଟବଲ ଓ ହକି ଖେଳି ଦେଶରେ ନିଜର ନାମ କରିଥିଲେ।

ଜିଲ୍ଲାରେ ପ୍ରତିଭାଙ୍କର ଅଭାବ ନ ଥିବାବେଳେ ସେମାନଙ୍କୁ ଟ୍ରେନିଂ କରିବାକୁ ନାହିଁ ଭଲ ଜାଗାଟିଏ। ଏହି ଜାଗାଟି ଏବେ ପୁଲିସ ଅକ୍ତିୟାରରେ ରହିଥିବାବେଳେ ଏହାକୁ ବ୍ୟବହାର ପାଇଁ ଘରୋଇ ଲୋକ ବ୍ୟବହାର କରିବାକୁ ନେଇ ନାନା ପ୍ରଶ୍ନଉଠିଛି। ଯେଉଁଥି ପାଇଁ ଏହି ଷ୍ଟାଡିୟମ ନାମିତ ହୋଇଥିଲା ତାହା ଏବେ ସାଧିତ ହୋଇପାରୁନି। ଏନେଇ ପି.ମନମ୍ମଥ ରାଓ କହିଛନ୍ତି ପିଲାଟି ଦିନରୁ ଏହାକୁ ହକି ପଡିଆ ଭାବେ ବ୍ୟବହାର କରାଯାଉଥିଲା। ୫ ବର୍ଷ ହେବ ଏହାକୁ ପୁଲିସ ଡମ୍ପିୟାର୍ଡ ଭାବେ ବ୍ୟବହାର କରୁଛି। ଏହିଠାରେ ପୂର୍ବରୁ ସବୁ ଖେଳ ହେଉଥିଲା କିନ୍ତୁ ଏହାକୁ ପୁଲିସ ବନ୍ଦ କରି ବିକଶିତ କରିବାକୁ ଦେଉ ନାହାନ୍ତି। ଆଉ କିଛି ଘରୋଇ ଲୋକଙ୍କୁ ବ୍ୟବହାର କରିବାକୁ ସୁଯୋଗ ଦେଉଉନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର