ଉପଯୁକ୍ତ ତଦନ୍ତ ହେବ: ଶ୍ରମ ମନ୍ତ୍ରୀ
ଭିଜିଲାନ୍ସରେ ଏତଲା ଦେଲା ଜିଲ୍ଲା କଂଗ୍ରେସ
ଷ୍ଟାଚ୍ୟୁ ଢ଼ଳିପଡ଼ିବା ଘଟଣାକୁ ନ୍ଦ୍ରେକରି ସବୁ ସ୍ତରରେ ରାଉରକେଲା ପ୍ରଶାସନକୁ କଡ଼ା ସମାଲୋଚନା କରାଯିବା ସହ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ। କହିଛନ୍ତି, ବିରୋଧୀ ବିଭିନ୍ନ ଅଭିଯୋଗ ଆଣୁଛନ୍ତି। ବାସ୍ତବରେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର କାମ ହୋଇନି। ବିଶ୍ବସ୍ତରୀୟ ନିର୍ମାଣକାର୍ଯ୍ୟ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଷ୍ଟାଡିୟମ ସ୍ଥାନ ପାଇଛି। ଏହାସହ ବିଶ୍ବକପ୍ ସମୟରେ ମ୍ୟାଚ୍ ଖେଳିବାକୁ ଆସିଥିବା ବିଦେଶୀ ଦଳର ଖେଳାଳି, କୋଚ୍ ଏହି ଷ୍ଟାଡିୟମ ଓ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶ୍ବରେ ରାଉରକେଲାର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ପାଇଁ ସମସ୍ତେ ଉଦ୍ୟମ କରିଛନ୍ତି। ସେହି ଉଦ୍ୟମ ଭିତରେ ଯଦି କୌଣସି ଅଘଟଣ ଘଟିଛି; ତା’ର ପ୍ରକୃତ ଅନୁସନ୍ଧାନ କରାଯିବ। କିଭଳି ଏହି ଅଘଟଣ ଘଟିଲା ତା’ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାରଣ ଖୋଜି ବାହାର କରାଯିବବୋଲି କହିଛନ୍ତି। ଅପରପକ୍ଷରେ ବିଜେପି ଓ କଂଗ୍ରେସ ଆକ୍ରମଣକୁ ଶାଣିତ କରିଛନ୍ତି।
ଦୁଇ ଦିନ ପୂର୍ବେ ବିଜେପିର ଏକ ପ୍ରତିନିଧି ଦଳ ଆର୍ଏମ୍ସି କର୍ତ୍ତୃପକ୍ଷଙ୍କୁ ଭେଟି ଉପଯୁକ୍ତ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେହିଭଳି ଯୁବ କଂଗ୍ରେସ କର୍ମକର୍ତ୍ତା ଷ୍ଟାଚ୍ୟୁ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ରାଉରକେଲା ବିଧାୟକଙ୍କ କୁଶ ପୁତ୍ତଳିକା ପୋଡ଼ିଥିଲେ। ଏହି ଷ୍ଟାଚ୍ୟୁ ନିର୍ମାଣବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଲବାର ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। କର୍ମକର୍ତ୍ତା ଅଭିଯୋଗ କରିଥିଲେ, ହକି ବିଶ୍ବକପ୍ ପୂର୍ବରୁ ବିମାନବନ୍ଦର ରାସ୍ତାରେ ତଥା ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ପ୍ରାୟ ୩୦ ଲକ୍ଷ ଟଙ୍କା ବିନିମୟରେ ଏହି ଷ୍ଟାଚ୍ୟୁ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣର ମାତ୍ର ୬ ମାସ ଭିତରେ ଗତ ୧୧ ତାରିଖରେ ସାମାନ୍ୟ ପାଣିପବନରେ ଏହା ଭାଙ୍ଗିଗଲା। ଏତଦ୍ବ୍ୟତୀତ ଦୁଇ ମାସ ପୂର୍ବେ ଷ୍ଟାଡିୟମର ଗେଟ୍-୨ର ସମ୍ମୁଖ ରାସ୍ତା ଆପେଆପେ ଧସିଯାଇଥିଲା। ବାସ୍ତବରେ ହକି ବିଶ୍ବକପ ପୂର୍ବରୁ ଯେଉଁସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି; ସେଥିରେ ବ୍ୟାପକ ଦୁର୍ନୀତି ହୋଇଛି। ତରବରିଆଭାବେ ନିର୍ମାଣ କରାଯାଇଥିବାରୁ ପ୍ରକଳ୍ପର ଗୁଣବତ୍ତାକୁ ଧ୍ୟାନ ନଦେଇ ଠିକାଦାର ଅତ୍ୟନ୍ତ ନିମ୍ନମାନର କାମ କରି ସବୁ ଟଙ୍କା ହଡ଼ପ କରିନେଇଛନ୍ତି। ଏସବୁ ହେରଫେର୍ରେ ଠିକାଦାର, ଆର୍ଏମ୍ସି ଯନ୍ତ୍ରୀ, ଅଧିକାରୀ ସଂପୃକ୍ତ ଥିବା ସନ୍ଦେହ ହୁଏ। ଘଟଣାର ଉପଯୁକ୍ତ ତଦନ୍ତସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହି ପ୍ରସଙ୍ଗ ସାମାଜିକ ଗଣମାଧ୍ୟର ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଢ଼ଳିବାର ଠିକ୍ ପର ମୁହୂର୍ତ୍ତରେ ନିଆଯାଇଥିବା ଷ୍ଟାଚ୍ୟୁର ଫଟୋ ଓ ଦିନକପରେ ନିଆଯାଇଥିବା ଷ୍ଟାଚ୍ୟୁର ଫଟୋ ମଧ୍ୟରେ ବହୁ ପାର୍ଥକ୍ୟ ଥିବା ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ କହିବାନୁସାରେ, ପବନରେ ଭାଙ୍ଗିବା ପରେ ଷ୍ଟାଚ୍ୟୁର ଯେଉଁ ଫଟୋ ନିଆଯାଇଥିଲା; ସେଥିରେ ଗୋଟିଏ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ଅନ୍ୟ ଗୋଟି ଭାଙ୍ଗିବାସହ କେବଳ ଲାଖି ରହିଥିଲା। ସେତେବେଳେ କିନ୍ତୁ ଷ୍ଟାଚ୍ୟୁର ଗୋଡ଼ରେ କୌଣସି କଟର୍ କିମ୍ବା ଅନ୍ୟାନ୍ୟ ମେସିନରେ କଟାଯାଇଥିବାର ଚିହ୍ନବର୍ଣ୍ଣ ନଥିଲା। ତେବେ ଦିନକପରେ ଏବେ ଯେଉଁ ଫଟୋ ଭାଇରାଲ୍ ହେଉଛି, ସେଥିରେ ଗୋଡ଼ରେ ଲାଗିଥିବା ବିଭିନ୍ନ ଲୁହା କଟାଯାଇଥିବା ଭଳି ଦିଶୁଛି। ଏକାଧିକ ରଡ୍, ସ୍କ୍ରାପ୍ ବାହାରିଯାଇଛି। ଏଣୁ ସମ୍ଭବତଃ ଦୁର୍ବୃତ୍ତ କାଟିଦେଇଥିବା ଭଳି କାହାଣୀ ସୃଷ୍ଟି କରି ନିଜର ଅବହେଳା ଚପାଇବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ବେଗ ଧରିଛି। ଅପରପକ୍ଷରେ କିଛି ବ୍ୟକ୍ତି ଦୁର୍ବୃତ୍ତଙ୍କ ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି।