ସୁନ୍ଦରଗଡ଼: ଆଉ ୬ ଦିନ ପରେ ହକି ବିଶ୍ବକପ୍। ଏଥିପାଇଁ ସାରା ସୁନ୍ଦରଗଡ଼ରେ ଜିଲ୍ଲା ଉଲ୍ଲସିତ। ଏହି ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଛି ବିବିଧ କ୍ରୀଡ଼ା ପ୍ରତିଯୋଗିତା। ଶନିବାର ନବନିର୍ମିତ ଭବାନୀଭବନ ଫୁଟବଲ ପଡ଼ିଆରେ ଆରମ୍ଭ ହୋଇଯାଇଛି ଜିଲ୍ଲାସ୍ତରୀୟ ପୁରୁଷ ଫୁଟବଲ୍। ମୁଖ୍ୟଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଜିଲ୍ଲାର ୧୭ଟି ବ୍ଲକ୍ ଓ ରାଉରକେଲା ମହାନଗର ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ ସଦର ବ୍ଲକ ଓ ବିଶ୍ରା ବ୍ଲକ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ସଦର ବ୍ଲକ୍ ୨-୧ ଗୋଲରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚ୍ ହେମଗିର ବ୍ଲକ୍ ଓ ଲେଫ୍ରିପଡ଼ା ବ୍ଲକ୍ ମଧ୍ୟରେ ହୋଇଥିବା ବେଳେ ହେମଗିର ୧-୦ରେ ବିଜୟୀ ହୋଇଥିଲା। ଏହା ପରେ ବିଜୟୀ ସଦର ବ୍ଲକ୍ ରାଜଗାଙ୍ଗପୁରକୁ ଭେଟିଥିଲା। ଯେଉଁଠି ରାଜଗାଙ୍ଗପୁର ଏକପାଖିଆ ୪-୦ ଗୋଲରେ ବିଜୟୀ ହୋଇ ହେମଗିରକୁ ସାମ୍ନାକୁ କରିଥିଲା। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଖେଳଟି ୧-୧ ଗୋଲରେ ଅମୀମାଂସିତ ରହିବାରୁ ପେନାଲଟି ସୁଟଆଉଟ ମରାଯାଇଥିଲା। ସେଥିରେ ହେମଗିର ଦଳ ୩-୧ରେ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି। ଖେଳକୁ ରେଫରି ହେମନ୍ତ ଦାସ, ସୁଶାନ୍ତ ଷଣ୍ଢ, ଅଶୋକ ପାଣ୍ଡବ, ମହମ୍ମଦ ସଫାରତ, କ୍ଷେତ୍ରମଣି ଦେହୁରୀ ପ୍ରମୁଖ ପରିଚାଳନା କରିଥିବା ବେଟଳେ ମଞ୍ଚ ସଞ୍ଚାଳନ କରିଥିଲେ ଓଡ଼ିଶା ରେଫରି ମୁଖ୍ୟ ଦୁର୍ଗାମାଧବ ନାଏକ। ରବିବାଳର ସକାଳ ୯ଟାରେ ପୁରୁଷ ବର୍ଗରେ ବଣାଇ-ଲାଠିକଟା ଏବଂ ସାଢ଼େ ୧୦ଟାରେ ଟାଙ୍ଗରପାଲି-କୋଇଡ଼ା ମୁହାଁମୁହିଁ ହେବେ। ସେହିପରି ଅପରାହ୍ନ ୩ଟା ୪୫ରେ ମହିଳା ବର୍ଗରେ ଲାଠିକଟା ଓ କୋଇଡ଼ା ମଧ୍ୟରେ ମ୍ୟାଚ୍ ଆୟୋଜିତ ହେବ।