ହାଜତବନ୍ଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଗୃହରକ୍ଷୀ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉପକାରଗାରରେ ହାଜତ ବନ୍ଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଗୃହରକ୍ଷୀ ସୀମାଞ୍ଚଳ ଜାନୀ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ନବରଙ୍ଗପୁର ଉପକାରାଗାରରେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ଉପକାରାଗାରର ଅନୁରୋଧ କ୍ରମେ ୪ଜଣ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଛି। ତେବେ ସୀମାଞ୍ଚଳ ଜାନୀ ନାମକ ଜଣେ ଗୃହରକ୍ଷୀ ଉପାକାରଗାର ମଧ୍ୟରେ ହାଜତରେ ବନ୍ଦୀ ଭାବେ ରହିଥିବା ୨ଜଣଙ୍କୁ ଅର୍ଥ ନେଣଦେଣ ମାମଲାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ କରାଯାଇଛି।

ଏକ ଚିଟି ପାଟା ମାମଲାରେ ପ୍ରାୟ ୭୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନବରଙ୍ଗପୁର ସହରର ଗାଦବାଗୁଡା ଅଞ୍ଚଳର ଏ.ବାସୁଦେବ ରାଓ ନବରଙ୍ଗପୁର ଉପକାରାଗାରରେ ରହୁଛନ୍ତି। ପୂର୍ବରୁ ଏହି ସହରର ୨ଜଣ ତପନ ଗରଡା ଓ ସିରାଜ ଉପକାରାଗାର ହାଜତରେ ରହିଛନ୍ତି। ଏ.ବାସୁଦେବ ରାଓ ଜେଲକୁ ଗଲା ପରେ ସେମାନେ ୨ଲକ୍ଷ ଟଙ୍କା ବକେୟା ଅର୍ଥ ତୁରନ୍ତ ଦେବା ପାଇଁ ଦାବି କରିଥିଲେ। ପରେ ବାସୁଦେବ ତାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବା ପାଇଁ ରାଜି ହୋଇଥିଲେ। ଏଥିରେ କୁଆଡେ ଗୃହରକ୍ଷୀ ଶ୍ରୀ ଜାନି ମଧ୍ୟସ୍ଥି ସାଜିଥିଲେ। ଗୃହରକ୍ଷୀ ଶ୍ରୀଜାନି ବାସୁଦେବର ଭାଣିଜୀକୁ ଫୋନ୍‌ କରି ଟଙ୍କା ମାଗିବାରେ ସହାୟତା କରିବା ସହ ବାସୁଦେବର ଏକ ହାତ ଲେଖା ଚିଠି ବାସୁଦେବର ଭାଣିଜୀକୁ ନେଇ ଦେଇଥିଲେ।

ଏହି ଅର୍ଥ ନେଣଦେଣରେ ଗୃହରକ୍ଷୀ ସହଯୋଗ କରୁଥିବା ନେଇ ଉପକାଗାର ଅଧ୍ୟକ୍ଷକ ସନ୍ତୋଷ ପଟ୍ଟନାୟକଙ୍କୁ ବାସୁଦେବ ଓ ତାଙ୍କ ଭାଣିଜୀ ଅଭିଯୋଗ କରିଥିଲେ। ଉପକାରାଗାର ଅଧ୍ୟକ୍ଷକ ସେହି ଅଭିଯୋଗକୁ ନବରଙ୍ଗପୁର ଥାନାକୁ ପଠାଇ ଦେଇଥିଲେ। ନବରଙ୍ଗପୁର ଥାନା ପୁଲିସ ଏହି ମାମଲାରେ କେସ୍‌ ନଂ ୧୬୨/୧୯ରେ ମାମଲା ରୁଜୁ କରି ଗୃହରକ୍ଷୀ ସୀମାଞ୍ଚଳ ଜାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର