ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡିରେ ଜଣେ ହୋମଗାର୍ଡ ମାସଯାକ ଡ୍ୟୁଟି ନ କରିବାରୁ ଆବସେଣ୍ଟ ପକେଇ ଦେଇଥିବା ନେଇ ସମ୍ପୃକ୍ତ ହୋମଗାର୍ଡ ଫାଣ୍ଡି ଅଧିକାରୀଙ୍କୁ ପିଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଫାଣ୍ଡି ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୯ ମସିହୋ ନଭେମ୍ବର ୨୩ ରେ ଏଏସଆଇ ଦିଗାମ୍ବର ସାହୁ ଗୁଣପୁର ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଥିଲେ । ସେହି ଦିନ ଠାରୁ  ବେଚ ନଂ ୧୦୨ ହୋମଗାର୍ଡ ଚୈତନ୍ୟ ପ୍ରଧାନୀ ଫାଣ୍ଡିକୁ କେବେ କେମିତି ଡ୍ୟୁଟିକୁ ଆସିଥାନ୍ତି । ଅଧିକାରୀଙ୍କୁ ଡ଼ରାଇ ଧମକାଇ ପୁରା ମାସିକର ବିଲ କରି ନେଇ ଥାନ୍ତି । ଏନେଇ ଫାଣ୍ଡି ଅଧିକାରୀ ଉପରୋକ୍ତ ଅଧିକାରୀଙ୍କୁ ଆଗରୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି ।
ଗତ ଜୁଲାଇ ମାସରେ  ହୋମଗାର୍ଡ ଜଣକ ମାତ୍ର ଦୁଇ ତିନି ଦିନ ଡ୍ୟୁଟି ଆସିଥିବା ବେଳେ ଫାଣ୍ଡି ଅଧିକାରୀ ୧୫ ଦିନ ଆସିଥିବା ଓ ୧୬ ଦିନର ଅନୁପସ୍ଥିତ ଦେଖାଇ ବିଲ ତିଆରି କରି ଥୁଆମୂଳ ରାମପୁର ଥାନା ଅଧିକାରୀଙ୍କ ପାଖକୁ ପଠାଇଥିଲେ । ଏହି ବିଲକୁ ଦେଖି ହୋମଗାର୍ଡ ଜଣଙ୍କ ଜୁଲାଇ ମାସରେ ସମ୍ପୂର୍ଣ୍ଣ ଅନୁପସ୍ଥିତ କରିଥିଲେ । ଗତକାଲି ସମ୍ପୃକ୍ତ ହୋମଗାର୍ଡ ଜଣଙ୍କ ମଦ ପିଇ କି ଆସି ଗୁଣପୁର ଫାଣ୍ଡିକୁ ଆସି ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଏକା ଥିବା ବେଳେ ଅସଭ୍ୟ ଭଷାରେ ଗାଳିଗୁଲଜ କରିବା ସହ ଏକ ଲୁହା ପାଇପରେ ନିର୍ଧୁମ ମାଡ଼ ମାରିଥିଲେ । ମାଡ଼ ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ହାଡ଼ ଭାଙ୍ଗି ଯାଇଥିବା ପ୍ରକାଶ କରିଛନ୍ତି ।
ଏନେଇ ଥୁଆମୂଳ ରାମପୁର ଥାନାରେ ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଅଭିଯୋଗ କରିବା ପରେ ସଂପୃକ୍ତ ହୋମଗାର୍ଡ ଚୈତନ୍ୟ ପ୍ରଧାନୀଙ୍କୁ ଥାନାରେ ଆଣି ଅଟକ ରଖିଛନ୍ତି । ଅନ୍ୟ ପକ୍ଷରେ ସମ୍ପୃକ୍ତ ହୋମଗାର୍ଡଙ୍କ ଭାଇ ଥୁଆମୂଳ ରାମପୁର ବ୍ଲକ ରେ ବ୍ଲକ ଉପାଧ୍ୟକ୍ଷ ଥିବା ଯୋଗୁଁ ହୋମଗାର୍ଡ ଜଣଙ୍କ  ଯେ କେହି ଅଧିକାରୀ ଆସିଲେ ମଧ୍ୟ ଫାଣ୍ଡିକୁ ନିଜ କବଜା ରେ ରଖି ଡ୍ୟୁଟି ଆସନ୍ତି ନାହିଁ । ମୁହଁ ଖୋଲିଲେ ଧମକ ଚମକ ଦେଉଥିବା ନେଇ କେହି ମଧ୍ୟ ସାହସ କରନ୍ତି ନାହିଁ । ତେଣୁ ତୁରନ୍ତ ହୋମଗାର୍ଡଙ୍କୁ ଚାକିରିରୁ ବରଖାସ୍ତ କରି ତାଙ୍କ ବିରୋଧରେରେ ଫୋୖଜିଦାରୀ ମାମଲା ରୁଜୁ କରିବାକୁ ସାଧାରଣରେ ଦାବି ହୋଇଛି ।