ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡ଼ା ଗ୍ରାମ ନିକଟସ୍ଥ ହନୁମାନ ମନ୍ଦିର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ ମିନି ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଗୁହରକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ଜଣେ ବୃଦ୍ଧା ଓ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଣ୍ଟାବାହାଳ (ରତାଖଣ୍ଡି) ଗ୍ରାମର ଧୀରେନ୍ଦ୍ର ସାହୁ (୩୦)। ସେ ଦେବଗଡ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଗୃହରକ୍ଷୀ ଭାବରେ କାର୍ଯ୍ୟରତ। ସକାଳେ ଏକ ଭୋଜିଭାତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ବଡ଼ ବାପା ନାଥ ସାହୁ(୬୦) ଓ ଝିଅ ସ୍ନେହାରାଣୀ ସାହୁ (୬)ଙ୍କୁ ସାଙ୍ଗରେ ନେଇ ଧୀରେନ୍ଦ୍ର ନିଜ ଗ୍ରାମକୁ ବାଇକ ( ଓଡି-୨୮ଏ-୪୬୨୬) ଯୋଗେ ଆସିଥିଲେ। ଫେରିବା ବେଳେ ଏହି ଦର୍ଘଟଣା ଘଟିଥିଲା। ବାଇକ୍‌ ସହ ସମସ୍ତେ ଛିଟିକି ପଡିଥିଲେ।

Advertisment

ଘଟଣାସ୍ଥଳରେ ଧୀରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଜନସାଧାରଣ ଗୁରୁତର ନାଥ ଓ ଝିଅ ସ୍ନେହାରାଣୀଙ୍କୁ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍‌ସ ଯୋଗେ  ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଖବର ପାଇ ରିଆମାଳ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଗାଡ଼ି ଦୁଇଟିକୁ ଜବତ କରିଛି। ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।