ଆପ୍ୟାୟିତ ହେଉଛନ୍ତି, କାର୍ଯ୍ୟାନୁଷ୍ଠାନ ନେବେ କେମିତି?

ହିଲ୍‌ ଭିୟୁ ଗେ‌ଷ୍ଟ୍‌ ହାଉସ୍‌ ପାଲଟିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଘର

ରାଉରକେଲା: ଆର୍‌ଏସ୍‌ପି କର୍ମଚାରୀଙ୍କ ସୁବିଧା ପାଇଁ ଇସ୍ପାତ ସହରରେ ଗେଷ୍ଟ୍‌ ହାଉସ୍‌, ଟ୍ରାନ୍‌ଜିଟ୍‌ ଗେଷ୍ଟ୍‌ ହାଉସ୍‌ ନିର୍ମାଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ସ୍ବଳ୍ପ ମୂଲ୍ୟରେ ଆର୍‌ଏସ୍‌ପି କର୍ମଚାରୀ, ଅଧିକାରୀ ଏହାର ସେବା ନେବେ। ବିଭିନ୍ନ ଗେଷ୍ଟ୍‌ ହାଉସ୍‌, ଟ୍ରାନ୍‌ଜିଟ୍‌ ହାଉସ୍‌ ମଧ୍ୟରୁ ଅନ୍ୟତମ ହେଉଛି ସେକ୍ଟର-୪ ସ୍ଥିତ ହିଲ୍‌ ଭିୟୁ ଗେଷ୍ଟ୍‌ ହାଉସ୍‌। ତେବେ ଏହି ଗେଷ୍ଟ୍‌ ହାଉସ୍‌ରେ ଏବେ ରାଜ୍ୟ ପ୍ରଦୂଷଣ ବୋର୍ଡ, ଆଞ୍ଚଳିକ ଅଧିକାରୀଙ୍କ ପାଇଁ ବର୍ଷ ବର୍ଷ ଧରି ରୁମ୍‌ ସଂରକ୍ଷିତ ରହୁଛି। ଏହି ଅଧିକାରୀମାନେ ସେମାନଙ୍କୁ ମିଳିଥିବା ସରକାରୀ ବାସଭବନରେ ନ ରହି ବିଳାସମୟ ଜୀବନ ବଞ୍ଚିବାକୁ ସ୍ବଳ୍ପ ମୂଲ୍ୟରେ ‌ହିଲ୍‌ ଭିୟୁରେ ରହୁଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଅଧିକାରୀଙ୍କ ପାଇଁ ସବୁଦିନ ପାଇଁ ରୁମ୍‌ ବୁକ୍‌ ହୋଇ ରହୁଥିବା ଦେଖିବାକୁ ମିଳୁଛି। ଏସ୍‌ପିସିବି ପୂର୍ବତନ ଆଞ୍ଚଳିକ ଅଧିକାରୀ ଡ. ମୁକେଶ ମହାଲିଙ୍ଗ ରାଉରକେଲା ଦାୟିତ୍ବରେ ରହିବା ପର୍ଯ୍ୟନ୍ତ; ପ୍ରାୟ ୩/୪ ବର୍ଷ ଧରି ଏହି ଗେଷ୍ଟ ହାଉସ୍‌ରେ ରହିଥିଲେ। ଏହାପରେ ଯୋଗଦେଇଥିବା ହେମେନ୍ଦ୍ର ନାଏକ ମଧ୍ୟ ଏହି ସେବାକୁ ହାତଛଡ଼ା କରିନଥିଲେ। ଏବେକାର ଆଞ୍ଚଳିକ ଅଧିକାରୀ ଡ. ପି.କେ. ମହାପାତ୍ର ଏହି ଗେଷ୍ଟ୍‌ ହାଉସ୍‌ରେ ରହୁଛନ୍ତି। ଶ୍ରୀ ମହାପାତ୍ର ଗତ ବର୍ଷେ ହେଲା ଏହି ଗେଷ୍ଟ୍‌ ହାଉସ୍‌ରେ ରହୁଥିବାବେଳେ ଏବେ ଆଉ ଏକ ବର୍ଷ ରହିବାକୁ ଇଚ୍ଛା ଜାହିର କରିଛନ୍ତି।

ଆଞ୍ଚଳିକ ଅଧିକାରୀ ଗତ ୮ ତାରିଖରେ ଆର୍‌ଏସ୍‌ପି ଏନ୍‌ଭାରମେଣ୍ଟାଲ୍‌ ଇଞ୍ଜିନିଅରିଂ ବିଭାଗର ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ରିହାତି ମୂଲ୍ୟରେ ଆଉ ଏକ ବର୍ଷ ରହିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଗୋଟିଏ ବର୍ଷ ରହିବାପରେ ଆଉ ଏକ ବର୍ଷ ରହିବା ମସୁଧା କିନ୍ତୁ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଆର୍‌ଏସ୍‌ପିର ପରିବେଶ ସଂକ୍ରାନ୍ତୀୟ ତ୍ରୁଟି ବିଚ୍ୟୁତିକୁ ଅବଲୋକନ କରିବା, ତର୍ଜମା କରିବା ତଥା ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଦି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ।

ଏଣୁ ଅନୈତିକ ଫାଇଦା ନେବାକୁ ଆର୍‌ଏସ୍‌ପି ପକ୍ଷରୁ ଆଞ୍ଚଳିକ ଅଧିକାରୀଙ୍କୁ ଆପ୍ୟାୟିତ କରିବା ଉଦ୍ଦେଶ୍ୟରେ ଗେଷ୍ଟ୍‌ ହାଉସ୍‌ରେ ବର୍ଷବର୍ଷ ଧରି ରହଣୀ ବ୍ୟବସ୍ଥା କରାଯାଉଥିବା ମତ ପାଉଛି। ଅପରପକ୍ଷରେ, ଆଞ୍ଚଳିକ ଅଧିକାରୀ ମଧ୍ୟ ନିଜ ପଦବିର ଦୁରୂପଯୋଗ କରି ଆପ୍ୟାୟିତ ହୋଇଚାଲିଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଏହି ଅଧିକାରୀ ଜଣକ ଆର୍‌ଏସ୍‌ପିଠାରୁ ଆପ୍ୟାୟିତ ହେଉଥିବାରୁ ନିୟମ ଉଲ୍ଲଂଘନକଲେ ଆର୍‌ଏସ୍‌ପି ବିରୋଧରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତ? ନୈତିକତା ଦୃଷ୍ଟିରୁ ସ୍ବଚ୍ଛ ଭାବମୂର୍ତ୍ତି ବଜାୟ ରଖିବା ପରିବର୍ତ୍ତେ ଅନ୍ୟ ଦ୍ବାରା ଆପ୍ୟାୟିତ ହେବା, ଅଧିକାରୀଙ୍କ କାର୍ଯ୍ୟ ପ୍ରତି ନିଷ୍ଠାପରତା ପ୍ରତି ବିରାଟ ପ୍ରଶ୍ନଚିହ୍ନ।

ସମ୍ବନ୍ଧିତ ଖବର