୯ ଫୁଟ ଉପରକୁ ଉଠୁଛି ୩ ମହଲା ଘର; ଦେଢ଼ମାସ ହେଲା ଲାଗିଛନ୍ତି ୧୮ କୁଶଳୀ ଶ୍ରମିକ

ଜ୍ୟାକ୍‌ ସପୋର୍ଟ ଜରିଆରେ ଉଠାଚାଲିଛି ଘର

ବାଲେଶ୍ବର: ସହରରେ ଦିନକୁଦିନ ରାସ୍ତାଘାଟ ଉଚ୍ଚା ହେଉଥିବା ବେଳେ ମାର୍କେଟ କମ୍ପ୍ଲେକ୍ସ, ସପିଂମଲ ଓ ଘରଗୁଡ଼ିକ ତଳିଆ ହୋଇଯାଉଛି। ଫଳରେ ଘରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ‌ଅସରାଏ ବର୍ଷାରେ ଘରେ ପାଣି ପଶୁଛି, ନାହିଁ ନଥିବା ଅସୁବିଧା ଉପୁଜୁଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ଏବଂ ଆସବାବପତ୍ର ବି ନଷ୍ଟ ହେଉଛି। ତେବେ ଏଣିକି ଆଉ ସେ ସମସ୍ୟା ଭୋଗିବାକୁ ପଡ଼ିବନି। ଯେଉଁମାନେ ଚାହିଁବେ ସେମାନଙ୍କ ‌ଘର ଓ ସପିଂମଲକୁ ଆଉ ନଭାଙ୍ଗି ଭୂପୃଷ୍ଠରୁ ଉପରକୁ ଉଠାଇପାରିବେ। ଆଜ୍ଞା ହଁ.. କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଏବଂ ଅସମ୍ଭବ ମନେ ହେଉଥିଲେ ମଧ୍ୟ ବାଲେଶ୍ବର ସହରରେ ପ୍ରଥମଥର ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି। ସହରର ସହଦେବଖୁଣ୍ଟା ଅଞ୍ଚଳରେ ଥିବା ଏକ ୩ ମହଲା‌ବିଶିଷ୍ଟ ଘରକୁ ୯ ଫୁଟ ଉପରକୁ ଉଠାଯାଉଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ସହଦେବଖୁଣ୍ଟା ଅଞ୍ଚଳର ବାସିନ୍ଦା ଚତୁର୍ଭୁଜ ଜେନାଙ୍କ ୩ ମହଲା ବିଶିଷ୍ଟ ଘର ରାସ୍ତାର ଉଚ୍ଚତା ଅନୁସାରେ ବହୁ ତଳେ ରହିଥିବାରୁ ଘର ଚାରିପଟୁ ଜଳ ନିଷ୍କାସନ ବଡ଼ ଅସୁବିଧା ହେଉଥିଲା। ଶ୍ରୀ ଜେନାଙ୍କ କହିବା ଅନୁସାରେ, ସେ ଯେବେ ଏଠାରେ ଘର କରିଥିଲେ ଆଖପାଖରେ ଆଦୌ ଘର ନଥିଲା। ରାସ୍ତା ମଧ୍ୟ ବହୁ ତଳେ ଥିଲା। କିନ୍ତୁ ଏବେ ସେଠାରେ ଅନେକ ଘର ଗଢ଼ିଉଠିଥିବା ବେଳେ ସହରରେ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବହୁ ସମସ୍ୟା ଦେଖାଯାଉଛି।

ତେବେ ସେ ଭୁବନେଶ୍ବରରେ ଏକ ଘର ଉଚ୍ଚକୁ ଉଠାଯାଉଥିବାର ଦେଖିବା ପରେ ବିହାରର ଏହି ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସମୁଦାୟ ୧୮ କୁଶଳୀ ଶ୍ରମିକଙ୍କୁ ନେଇ ଏହି କାମ ଚାଲିଥିବା ବେଳେ ତାଙ୍କ ପରିବାର ଲୋକ ଏବଂ ଘରର ସମସ୍ତ ଜିନିଷପତ୍ର ଘର ଭିତରେ ସୁରକ୍ଷିତ ରହିଛି। ୧ହଜ‌ାର ବର୍ଗଫୁଟର ଘରକୁ ଉପରକୁ ଉଠାଇବା ପାଇଁ ୨୨୫ଟି ଜ୍ୟାକ୍‌ ସପୋର୍ଟ ଲଗାଯାଇଛି। କାନ୍ଥ କଟା ହୋଇ ମାଟିକୁ ଧୀରେ ଧୀରେ ଜ୍ୟାକ୍‌ ସପୋର୍ଟ ଦ୍ବାରା ଉପରକୁ ଉଠାଯାଉଛି। ଦେଢ଼ମାସ ହେଲା ଏହି କାମ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୭ ଫୁଟ ଉପରକୁ ଉଠିସାରିଛି। ଆଉ ୨ ଫୁଟ ଉପରକୁ ଉଠାଇବା କାମ ଜାରି ରହିଛି। ୯ଫୁଟ୍‌ ଉପରକୁ ଉଠିବା ପାଇଁ ୨ ମାସ ସମୟ ଲାଗିବ ବୋଲି ସଂସ୍ଥାର ସୁପରଭାଇଜର ବବଲୁ କୁମାର ଯାଦବ କହିଛନ୍ତି। ଏଥିପାଇଁ ଘର ମାଲିକ ଶ୍ରୀ ଜେନା ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ଲାଗି ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକମାନେ ସେଠାରେ ଭିଡ଼ ଲଗାଉଥିବା ଦେଖା‌ଯାଇଛି।

ସମ୍ବନ୍ଧିତ ଖବର