ହୋମିଓପ୍ୟାଥିକ୍‌ ଚିକିତ୍ସାଳୟ ଗୃହ ଉଦ୍‌ଘାଟନକୁ ତିନିମାସ ବିତିଲାଣି

ଖୋଲୁନି ନୂଆ ଘର, ବିପଦସଙ୍କୁଳ ଅବସ୍ଥାରେ ରୋଗୀସେବା

ମାହାଙ୍ଗା: ସ୍ବାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଔଷଧ, ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ମଧ୍ୟ ନିର୍ମାଣ ହେଉଛି। ହେଲେ, ନୂତନ ଗୃହ ଉଦ୍‌ଘାଟନର ବହୁଦିନ ପରେ ବି ତାଲା ପଡ଼ି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିବା ଏବଂ ପୂର୍ବଭଳି ବିପଦସଙ୍କୁଳ ଗୃହରେ ରୋଗୀସେବା ହେବା ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶଥାଉ କି, କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ପାଇକରାପୁର ପଞ୍ଚାୟତ ଚମ୍ପତିପୁରରେ ୧୯୭୯ ମସିହାରେ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ ସ୍ଥାପନ କରାଯାଇଥିଲା। ଏହି ଚିକତ୍ସାଳୟ ଉପରେ ପାଇକରାପୁର ପଞ୍ଚାୟତ ସମେତ ରାହାଣିଆ, ଲଳିତଗିରି, ପୋଡ଼ାମରାଇ, ହଳଦିଆ ଆଦି ପଞ୍ଚାୟତର ଶତାଧିକ ଲୋକ ନିର୍ଭର କରୁଛନ୍ତି। ବିଶେଷ କରି, ମହିଳା ଓ ଶିଶୁମାନେ ସ୍ବାସ୍ଥ୍ୟସେବା ପାଇଁ ଏହି ଚିକିତ୍ସାଳୟକୁ ଆସିଥା’ନ୍ତି। ତେବେ ବହୁ ପୁରାତନ ଚିକିତ୍ସାଳୟ ଗୃହ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଥିଲା। ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ନୂତନ ଚିକିତ୍ସାଳୟ ଗୃହ ନିର୍ମାଣ କରାଯାଇଛି।

ଗତ ଏପ୍ରିଲ୍‌ ୯ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ଉଦ୍‌ଘାଟନକୁ ତିନିମାସ ବିତି ଗଲାଣି। ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ଗୃହ ହୋମିଓପ୍ୟାଥିକ୍‌ ବିଭାଗକୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ପୂର୍ବଭଳି ବିପଦସଙ୍କୁଳ ଗୃହରେ ରୋଗୀସେବା ହେଉଥିବା ଅଭିଯୋଗ ହେଉଛି। ଆଗକୁ ଲଗାଣ ବର୍ଷା ହେଲେ ଏହି ଗୃହରେ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ ଅଧିକ ସମସ୍ୟା ସୃଷ୍ଟି ହେବ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ନୂତନ ଗୃହକୁ ହୋମିଓପ୍ୟାଥିକ୍‌ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କୁ ପଚାରିବାରୁ ନୂତନ ଗୃହ ହୋମିଓପ୍ୟାଥିକ୍‌ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଚମ୍ପତିପୁର ହୋମିଓପ୍ୟାଥିକ୍‌ ଡାକ୍ତର ନିବେଦିତା ବିଶ୍ବାଳଙ୍କୁ ଯୋଗାଯୋଗ କରିବାରୁ ଏହି ଗୃହ ହସ୍ତାନ୍ତର ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଶ୍ରୀ ସାହୁ ଗୃହ ହସ୍ତାନ୍ତର କରାଯାଇଛି ବୋଲି କହୁଥିଲା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ବାଳ ଏହାକୁ ଅସ୍ବୀକାର କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତି ନେଇ ରୋଗୀମାନେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହୋଇଛି। ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଗୃହ ହସ୍ତାନ୍ତର ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର