ହୋମିଓପ୍ୟାଥି ମେଡିକାଲ୍‌ରେ ଅଧା ରଙ୍ଗ ମାରି ପୂରା କୋଠାର ବିଲ୍

‘ମୁକ୍ତା’ ଯୋଜନାରେ ଆଖିବୁଜା ଦୁର୍ନୀତି

ଜଗତସିଂହପୁର: ୨୦୨୧-୨୨ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ଆସିଥିବା ଅର୍ଥରୁ ପୌରାଞ୍ଚଳ ହୋମିଓପ୍ୟାଥି ମେଡିକାଲ କୋଠା ରଙ୍ଗ ବାବଦକୁ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ପୂରା କୋଠାକୁ ରଙ୍ଗ କରା ଯାଇଥିବା ଦର୍ଶାଇ ବିଲ୍‌ ଉଠାଯାଇଥିବା ବେଳେ କୋଠାର ଅଧା ରଂଗ ହୋଇଛି। କାମ ପୂରା ଥୁକ୍‌ ପାଲିସ୍‌। ପୌରପରିଷଦର ନାକ ନିଶ ତଳେ ଏପରି ଏକ ଦୁର୍ନୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି କୋଠାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରଙ୍ଗ ମରାଯାଇଛି। ପ୍ରାୟ ଦୁଇ ମହଲାର ଏହି କୋଠାର ବାକି ତିନି ପାର୍ଶ୍ବ ଅଧା ରଙ୍ଗ ମରାଯାଇଛି। ଏପରିକି ଏହି ରଙ୍ଗ ମରାଯିବାର ପ୍ରାୟ ଦେଢ଼ ବର୍ଷ ପୂରିନି ସେଥିରୁ କେତେକ ସ୍ଥାନରେ ଶିଉଳି ଲାଗିଲାଣି। ବିଶେଷ କରି ସମ୍ମୁଖ ପୋର୍ଟିକୋ ବାମ ପାର୍ଶ୍ବରେ ଏହି ଶିଉଳି ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ବିଲ୍ ଦିଆଯିବା ପୂର୍ବରୁ କାମ ଯାଞ୍ଚ କରାଯାଇଥିଲା ନା ନାହିଁ?

ଯଦି ଯାଞ୍ଚ କରାଯାଇଥିଲା ଏହା କେମିତି ଆଖିରୁ ଖସିଗଲା? ସେତେବେଳେ ନିର୍ବାଚିତ ପାରିଷଦ ନ ଥିଲା। ପୌର ପ୍ରଶାସକଙ୍କ ହାତରେ ଦାୟିତ୍ବ ଥିବାରୁ ଏବେ ପ୍ରଶାସନର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ବର୍ଷାଜଳ ଅମଳ ପ୍ରକଳ୍ପ ମଧ୍ୟ ଦୁର୍ନୀତିର ଆଉ ଏକ ଉତ୍ସ ବୋଲି ଅଭିଯୋଗ ହେଉଛି। ଜଗତସିଂହପୁର ପୌରାଞ୍ଚଳରେ ସହରକୁ ଅଧିକ ସୁନ୍ଦର କରିବାକୁ ସହ କୋଭିଡ୍ ସମୟରେ ଗରିବ ଶ୍ରମିକ, କାମ ପାଉ ନ ଥିବା ଓ ଅନ୍ୟ ସ୍ଥାନରୁ ଆସି ଆଶ୍ରୟ ନେଇଥିବା ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମୁକ୍ତା(ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ)। ସ୍ବୟଂ ସହାୟକ ଗୋଷ୍ଠୀକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ସେମାନଙ୍କୁ କାର୍ଯ୍ୟାଦେଶ ଦେଇ କାମ ଆରମ୍ଭ ହୋଇଥିଲା ଏହି ଯୋଜନା। ଏଥିରେ ସହରର ବିଭିନ୍ନ ଉନ୍ନୟନମୂଳକ କାମ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହି ‘ମୁକ୍ତା’ ଏବେ ଦୁର୍ନୀତିର ଉତ୍ସ ପାଲଟିଛି। ଏକାଧିକ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ିଛି। ଏମିତିକି ଛୋଟ ଛୋଟ କାମ ମଧ୍ୟ ବାଦ୍ ପଡ଼ିନାହିଁ। ତେଣୁ ଦୁର୍ନୀତିର ତଦନ୍ତ କରାଗଲେ ବହୁ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର