ଗରିବଙ୍କ ଘର ଭାଙ୍ଗିଲା ଦନ୍ତା; ଧାନ-ଚାଉଳ ଖାଇଲା, ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅଧିନ ତିମିଗାଁରେ ହାତୀ ଆତଙ୍କ ଦେଖାଯାଇଛି। ଦନ୍ତା ହାତୀ ଗାଁରେ ୩ ଜଣ ଗରିବ ଲୋକଙ୍କ ଘର ଭାଙ୍ଗିଛି। ହାତୀ ଧାନ-ଚାଉଳ ଖାଇବା ସହିତ ଅନ୍ୟ ଜିନିଷ କ୍ଷୟକ୍ଷତି କରିଥିବା ଜଣାଯାଇଛି। ହାତୀ ଉତ୍ପାତ ଯୋଗୁଁ ତିମି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ସେମାନେ ସରକାରୀ ସହାୟତା ଦାବି କରିଛନ୍ତି।

ସୂଚନା ଅନୁସାରେ ପାଲଲହଡ଼ା ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି। ପ୍ରାୟ ୭ରୁ ୮ ଦିନ ତଳେ ୬ ଜଣିଆ ହାତୀପଲ ପାଲଲହଡ଼ା ଟାଉନ ବିହନ ଉତ୍ପାଦନ କାର୍ଯ୍ୟାଳୟ ଏବଂ ସ୍କୁଲସାହିରେ ପଶି ରାତିସାରା ଉତ୍ପାତ କରିଥିଲେ। ସେହିପରି ୪ରୁ ୫ ଦିନ ପୂର୍ବରୁ ଯମରଡିହ ଗ୍ରାମର ନରେନ୍ଦ୍ର ବେହେରା ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ଗତକାଲି ମଧ୍ୟ ରାତିରେ ପାଲଲହଡ଼ା ବ୍ଲକ୍ ସିଗଡ଼ ପଞ୍ଚାୟତର ତିମି ଗାଁରେ ପଶି ଏକ ଦନ୍ତା ହାତୀ ଘର ଭାଙ୍ଗି ଦେଇଥିଲା। କୁଞ୍ଜ ପ୍ରଧାନ, ଗୀତା ପ୍ରଧାନ ଏବଂ ଦୁର୍ଜନ ପ୍ରଧାନଙ୍କ ଘର ଭାଙ୍ଗି ନଷ୍ଟଭ୍ରଷ୍ଟ କରିଦେବା ସହ ଘର ଭିତରେ ଥିବା ଧାନ ଚାଉଳ ଖାଇ ଗଲା। ଏହି ୩ ଅନୁସୂଚିତ ଜନଜାତି ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏସମ୍ପର୍କରେ ପାଲଲହଡ଼ା ଫରେଷ୍ଟର ଭୀମସେନ ଶତପଥୀ କହିଛନ୍ତି, ଯମରଡିହ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏବଂ ଲୋକଙ୍କୁ ଆକ୍ରମଣ କରି ମାରି ଦେଇଥିବା ଏହି ଦନ୍ତା ହାତୀଟି ତିମି ଗାଁରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବା ସହ ଗରିବ ଲୋକଙ୍କ ଘର ଭାଙ୍ଗି ଦେଇଛି। ଆମେ  ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଛୁ। ପ୍ରଜାଙ୍କ କ୍ଷତି ଆକଳନ କରାଯାଇଛି। ସମସ୍ତ କାଗଜ ପତ୍ର ଅଣାଯାଇଛି। ସେମାନଙ୍କୁ ବନ ବିଭାଗ ପକ୍ଷରୁ ସମସ୍ତ ସହାୟତା ମିଳିବ।

ସମ୍ବନ୍ଧିତ ଖବର