ମାଲକାନଗିରିରେ ଆଦିବାସୀ କିଶୋରୀମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ‘ବିଡିଦିଦି’ର ସ୍ୱେଚ୍ଛାସେବୀ ଯୁବତୀ

ମାଲକାନଗିରି: ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବା ସହ ମାସିକ ଧର୍ମ ଓ ସେଥିରୁ କିପରି ନିଜକୁ ରକ୍ଷା କରିପାରିବେ ସେନେଇ ଗତ ୨ ବର୍ଷ ହେଲା ବଡିଦିଦିର ସ୍ୱେଚ୍ଛାସେବୀ ଆଦିବାସୀ ଯୁବତୀମାନେ କାର୍ଯ୍ୟ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀମାନେ ମାଲକାନଗିରି ଜିଲ୍ଲାର ବାଲିମେଳା ଅନ୍ତର୍ଗତ ମାଝିଗୁଡା ଗ୍ରାମରେ ପହଞ୍ଚି ମହିଳାମାନଙ୍କୁ ପ୍ରଥମେ ସଂଗଠିତ କରି ସେମାନଙ୍କର କାମ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ପରେ ସେଠାରୁ ନିକଟସ୍ଥ ଗ୍ରାମ ପୁରୁଣା ଚିତାପାରି, ତାଲକୋଟିଗୁଡା, ପାଡାଲପୁଟ ଓ ଡାବେଗୁଡା ଗ୍ରାମରେ ପହଞ୍ଚି କିଶୋରୀ ବାଳିକାମାନଙ୍କୁ ଏକତ୍ରିତ କରି ଏକ ସଚେତନତା ସଭାର ଆୟୋଜନ ମଧ୍ୟ କରିଥିଲେ।

ସେହି ସଭାରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଗୁଡ୍‌ ଡଟ୍‌ ଓ ବେଡ ଡଟ୍‌, ଦାଦନ ଶ୍ରମିକ, ଉଚ୍ଚ ଶିକ୍ଷାରେ ସରକାରଙ୍କ ସହଯୋଗ ନେଇ ଆଲୋଚନା କରାଯାଇଥିଲା। କାହିଁକି ଆମେ ଚିକିତ୍ସାଳୟ ଯାଇ ଚିକିତ୍ସା କରାଇବା ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଗାଁର ଜଣେ ବ୍ୟୟୋଜ୍ୟୋଷ୍ଠା ମହିଳା ତିଳତ୍ତମା କୁମ୍ଭାର ନିଜର କାମ ଉପରେ ସଭାରେ ବୁଝାଇଥିଲେ କିପରି ସେ ମାଟିରେ ବିଭିନ୍ନ ଜିନିଷ ତିଆରି କରୁଛନ୍ତି। ସେ ନିଜର ଦ୍ୱାରା ତିଆରି କରୁଥିବା ଜିନିଷ ସମସ୍ତଙ୍କୁ ଦେଖାଇଥିଲେ।

ଉପସ୍ଥିତ କିଶୋରୀ ବାଳିକାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ସମାଜସେବୀ ରାମକୃଷ୍ଣ ଚୌଧୁରୀ ପୁରସ୍କାର ପ୍ରଦାନ କରିଥିଲେ। ଆଦିବାସୀ ଗୀତର ତାଳେ ତାଳେ ସମସ୍ତେ ଝିଅ ହାତକୁ ହାତ ଧରି ନାଚିଥିଲେ। ବଡିଦିଦିମାନଙ୍କ ଏଭଳି ଅଭିନବ ପ୍ରୟାସ ସମସ୍ତ ଆଦିବାସୀ କିଶୋରୀମାନଙ୍କୁ ଏକ ନୂଆ ଆଶାର ଆଲୋକ ସଂଚାର କରିଛି ବୋଲି ସଂଯୋଜିକା ଚନ୍ଦ୍ରମା ମାଝି କହିଥିଲେ।

ପ୍ରକାଶ ଥାଉକି ବଡିଦିଦିର ସ୍ୱେଚ୍ଛାସେବୀ ଯୁବତୀମାନେ ନିଜ ଅର୍ଥରେ ବିଭିନ୍ନ ଗ୍ରାମ ବୁଲି କିଶୋରୀ ବାଳିକା ଏବଂ ମହିଳାମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଉଛନ୍ତି। ପ୍ରଶାସନ ଏବଂ ସରକାରଙ୍କ ତରଫରୁ ଏହି ସ୍ୱେଚ୍ଛାସେବୀମାନଙ୍କୁ ସହାୟତାର ହାତ ବଢାଗଲେ ଆଗକୁ ଆହୁରି କାମ ଜୋରସୋରରେ କରିବେ ବୋଲି କୁହାଯାଇଛି। ବିନତି ପଡିଆମି ସମସ୍ତଙ୍କ ଉଜ୍ୱଳ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର