ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସୌମୁମୀ ବର୍ଷାର ଦେଖା ନାହିଁ। କାଁ ଭାଁ କେମିତି ବର୍ଷା ହେଉଛି। ଯାହାକି ଚାଷ ପାଇଁ ସହାୟକ ହୋଇପାରୁ ନାହିଁ। ନଦୀ, ନାଳରେ ପାଣି ନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଏପରିକି କିଛି ଚାଷୀ ତଳି ପକାଇଥିବା ବେଳେ ପାଣି ଅଭାବରୁ ତାହା ପୋଡ଼ି ନଷ୍ଟ ହୋଇଗଲାଣି। ଏଣୁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଗଜାମରୁଡ଼ିର ଆଶଙ୍କା ଦେଖା ଦେଲାଣି। ଏଭଳି ସ୍ଥିତିରେ ଚାଷକୁ ବଞ୍ଚାଇବା ପାଇଁ ଜିଲ୍ଲାର କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥିତ କରିବାକୁ ଚାଷୀ ସଙ୍ଗଠନ ତରଫରୁ ଦାବି ହୋଇଛି।
ଗଞ୍ଜାମ ଜିଲ୍ଲାରେ ଜୁନ୍ ମାସରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। କିଛି ବ୍ଲକ୍ରେ ଗତମାସରେ କିଛିଟା ବର୍ଷା ହୋଇଥିଲା। ଏଣୁ ଚାଷୀ ବିଲରେ ତଳି ପକାଇଥିଲେ। ହେଲେ ବର୍ତ୍ତମାନ ବର୍ଷାର ଦେଖା ନାହିଁ। ଏଣୁ ଖରାର ତାତି ଯୋଗୁଁ ତଳି ନଷ୍ଟ ହୋଇଗଲାଣି ବୋଲି ଚାଷୀମାନେ କହିଛନ୍ତି। ଜିଲ୍ଲାର ଚାଷକୁ ବଞ୍ଚାଇବା ପାଇଁ କ୍ଷୁଦ୍ର ଓ ଉଠା ଜଳସେଚନ ଏକ ମାତ୍ର ବିକଳ୍ପ। ହେଲେ ଅଧିକାଂଶ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବାରୁ ଅକାମୀ ହୋଇ ପଡ଼ିଛି। ଏଣୁ ସେଗୁଡ଼ିକର ପୁନରୁଦ୍ଧାର କରି ଚାଷ ଜମିକୁ ପାଣି ଯୋଗାଇବାକୁ ଋଷିକୁଲ୍ୟା ରୟତ ମହାସଭା ତରଫରୁ ଦାବି କରାଯାଇଛି। ଏ ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ମହାସଂଘର ଉପଦେଷ୍ଟା ରବି ରଥ ଓ ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି। ସେହିପରି ଚାଷୀଙ୍କୁ ରିହାତି ମୂଲ୍ୟରେ ବିହନ ଓ ଜୈବିକ ସାର ଯୋଗାଣ କରିବାକୁ ଦାବି କରାଯାଇଛି। ଜିଲ୍ଲାର କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଚାଷୀ ସଂଗଠନକୁ ସାମିଲ କରି କୃଷି ଓ କୃଷକର ବିକାଶ ନିମନ୍ତେ ବିଧିବଦ୍ଧ ଯୋଜନା କରାଯାଉ। ଧାନ ଫସଲ ପାଇଁ ଜଳସେଚନ ସୁବିଧା ନିମନ୍ତେ ଜଳଭଣ୍ଡାର, ଉଠା ଜଳସେଚନର ପମ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ ସହିତ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପର ସ୍ଥିତିକୁ ନେଇ ବିଭାଗୀୟ ସଚିବ ଦ୍ବାରା ସମୀକ୍ଷା କରାଯାଉ। ସମସ୍ତ ଘରୋଇ ଏବଂ ସରକାରୀ ଉଠାଜଳସେଚନ ପମ୍ପଗୁଡ଼ିକରେ ବକେୟା ଥିବା ପୁରୁଣା ବିଦ୍ୟୁତ ବିଲ୍କୁ ଛାଡ଼ କରିବା ସଂଗେସଂଗେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରି ପାଣି ଯୋଗାଇ ତଳି ରକ୍ଷା କରିବାକୁ ଦାବି ହୋଇଛି।
ପୂର୍ବରୁ ଗ୍ରାମ୍ୟ କମିଟିର ଅନୁମୋଦନ କ୍ରମେ ଭାଗଚାଷୀଙ୍କ ନାମ ଧାନ ବିକିବା ପାଇଁ ପଞ୍ଜୀକରଣ କରାଯାଉଥିଲା। ଏଣୁ ଚଳିତ ବର୍ଷ ଗ୍ରାମ୍ୟ କମିଟିର ସୁପାରିସରେ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଭାଗଚାଷୀମାନେ ହିଁ ପ୍ରକୃତ ଚାଷୀ, ସେମାନଙ୍କ ଅବଦାନ ଯୋଗୁଁ ସରକାର କୃଷି କ୍ଷେତ୍ରରେ ପୁରସ୍କାର ପାଉଛନ୍ତି। ଏଣୁ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ମହାସଭା ତରଫରୁ ଦାବି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିବା ଶ୍ରୀ ରଥ କହିଛନ୍ତି।