ସ୍ବାଭିମାନ ଅଂଚଳର କୁନି ପିଲାଙ୍କ ଘୋଡାମାନଙ୍କ ସହ ଗାଧୁଆ, ସ୍କୁଲ ବନ୍ଦ ଘୋଡାଙ୍କ ସହ ସମୟ କାଟୁଛନ୍ତି ପିଲା

ମାଲକାନଗିରି: କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ ବନ୍ଦ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏବେ ସ୍କୁଲ ବନ୍ଦ ଥିବାରୁ ସହରି ପିଲା ଅନଲାଇନରେ ପାଠ ପଢୁଥିବା ବେଳେ ଦୁର୍ଗମ ସ୍ବାଭିମାନ ଅଂଚଳର ଆଦିବାସୀ ପିଲା ନିଜ ଘରେ ଥିବା ଘୋଡା ମାନଙ୍କ ସହ ଖେଳିବାରେ ବ୍ୟସ୍ତ। ଦେଖନ୍ତୁ ୧୦ ବର୍ଷରୁ ମଧ୍ୟ କମ୍ ବର୍ଷର ପିଲାମାନେ କିପରି ଘୋଡା ପିଠିରେ ବସି ଘୋଡାକୁ ନିଜର ଆୟତ୍ତରେ ରଖି ପାରୁଛନ୍ତି। ଏହି କୁନିକୁନି ପିଲାଙ୍କ ନିର୍ଦେଶମାନି ଘୋଡା ମଧ୍ୟ ଆଗକୁ ବଢୁଛି। ସ୍ବାଭିମାନ ଅଂଚଳର ଛୋଟଛୋଟ ପିଲାମାନେ କିପରି ଘୋଡା ସହ ସମୟ କାଟୁଛନ୍ତି ସେହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓ ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ସକାଳ ପାଇବା ମାତ୍ରେ ସ୍ବାଭିମାନ ଅଂଚଳର କୁନିକୁନି ପିଲାମାନେ ନିଜ ଘରେ ଥିବା ଘୋଡାକୁ ନେଇ ଗାଧୋଇବା ସହ ନିଜେ ମଧ୍ୟ ଗାଧୋଇଥାନ୍ତି। ପ୍ରଶାସନ ତରଫରୁ ସ୍ବାଭିମାନ ଅଂଚଳର ବିଭିନ୍ନ ସ୍ଥାନରେ ଚେକ୍‌ ଡ୍ୟାମ ଗୁଡିକ ନିର୍ମାଣ କରାଯାଇଥିବାରୁ ସେଠାରେ ଗଚ୍ଛିତ ହୋଇ ରହିଥିବା ପାଣିରେ ଘୋଡା ମାନଙ୍କୁ ଗାଧୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କୁନିକୁନି ପିଲାମାନେ ଲଙ୍ଗଳା ହୋଇ ଘୋଡା ପିଠିରେ ବସି ଘୋଡାକୁ ଚେକ୍‌ ଡ୍ୟାମ ଭିତରକୁ ଯିବାକୁ ନିର୍ଦେଶ ଦେଉଛନ୍ତି। ଘୋଡା ମଧ୍ୟ ପିଲାଙ୍କ ବୋଲ ମାନି ପାଣି ଭିତରେ ପଶୁଛି। ଜଣକ ପରେ ଜଣେ ପିଲା ନିଜ ଘୋଡାକୁ ପାଣି ଭିତରେ ଭର୍ତ୍ତି କରୁଥିବାର ଦୃଶ୍ୟ ଆଶ୍ଚର୍ଯ୍ୟ ଜନକ ଅଟେ।

ପିଲାମାନେ ନିଜେ ଗାଧୋଇବା ସହ ଘୋଡାକୁ ମଧ୍ୟ ସଫାସୁତରା କରୁଛନ୍ତି। ସ୍ବାଭିମାନ ଅଂଚଳରେ ରାସ୍ତା ଘାଟ ନଥିବାରୁ ପ୍ରତ୍ୟେକଙ୍କ ଘରେ ଗୋଟିଏ ଗୋଟିଏ ଘୋଡା ରହିଛି। ଏହି ଘୋଡା ଦ୍ବାରା ହିଁ ଲୋକେ ବିଭିନ୍ନ ସ୍ଥାନକୁ ଯିବା ସହ ପିଡିଏସ ଚାଉଳ ଏବଂ ଅତ୍ୟାବଶକୀୟ ଜିନିଷ ଆଣିଥାନ୍ତି। ଗତ କିଛିଦିନ ତଳେ କିପରି ସ୍ବାଭିମାନ ଅଂଚଳର ପିଲାମାନେ ଘୋଡା ଦୌଡ ପ୍ରତିଯୋଗିତା କରୁଥିଲେ ତାହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ। ସ୍କୁଲ ଖୋଲିବା ପର୍ଯ୍ୟନ୍ତ ପିଲାଙ୍କ ଏଭଳି ଘୋଡାଙ୍କ ସହ ଖେଳ ଜାରି ରହିବ ବୋଲି ଅଭିଭାବକ ମାନେ କହନ୍ତି।

ସମ୍ବନ୍ଧିତ ଖବର