ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ବର୍ତ୍ତମାନ ବିଭିନ୍ନ ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ଓ କଂକ୍ରିଟ ବିଲଡିଂ ଠିଆ ହେବା ଫଳରେ ବିଭିନ୍ନ ମୂଲ୍ୟବାନ ଫଳ ଓ ଔଷଧୀୟ ଗଛର ବିଲୋପ ହେବାକୁ ଲାଗିଲାଣି | ମାତ୍ର ଉକ୍ତ କ୍ଷତିର ଭରଣା କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ମୂଲ୍ୟବାନ ଔଷଧୀୟ ଗଛ ସହିତ ଫଳଗଛର ରୋପଣ ପରି ପଦକ୍ଷେପ ହାତକୁ ନେଇଛନ୍ତି | ମାତ୍ର ଉକ୍ତ ଯୋଜନାଗୁଡିକର ସଫଳ ରୂପାୟନ ସରକାରୀ ବାବୁମାନଙ୍କ ଖାମଖିଆଲି ନୀତି ଫଳରେ ବାଟବଣା ହେଉଥିବାର ସାଧାରଣରେ ଅଭିଯୋଗ ହୁଏ | ଉଦ୍ୟାନ କୃଷି ବିଭାଗ ଦ୍ୱାରା ରାଇରଙ୍ଗପୁର ବ୍ଲକର ବିଭିନ୍ନ ଗ୍ରାମରେ ବହୁ ମୂଲ୍ୟବାନ ଆମ୍ବ ଗଛ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରୋପଣ କରାଯାଇଅଛି | ମାତ୍ର ଉକ୍ତ ବୃକ୍ଷରୋପଣ ଯୋଜନାର ସଫଳ ରୂପାୟନ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଶୁଣ୍ଢଳ ଗ୍ରାମରେ ହୋଇଥିବା କାର୍ଯ୍ୟକୁ ଦେଖିଲେ ଜାଣିହୁଏ |

Advertisment

ଅର୍ଦ୍ଧଲିଖିତ ସୂଚନା ଫଳକ ତଥ୍ୟ ଆଧାରରେ ବଡମଉଦା ପଂଚାୟତ ଅଧିନସ୍ଥ ଶୁଣ୍ଢଳ ଗ୍ରାମର ନାଗେଶ୍ୱର ପାଟବନ୍ଧା ଓ ଅନ୍ୟ ଜଣଙ୍କର ଆମ୍ବ ବଗିଚା ଯାହାର କ୍ଷେତ୍ରଫଳ୨ ହେକ୍ଟର ଏବଂ ଅଟକଳ ମୂଲ୍ୟ ୨ ଲକ୍ଷ ୫୯ ହଜାର ୭ଶହ ଟଙ୍କା | ଅଣ କୁଶଳୀ ଶ୍ରମିକ ଅଂଶ ୧ଲକ୍ଷ ୯୧ହଜାର ୯ ଶହ ୭୦ ଟଙ୍କା | ସୂଚନା ଫଳକର ଅର୍ଦ୍ଧଲିଖିତ ବିବରଣୀ ହିଁ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରେ | ୨ହେକ୍ଟର ଭଳି ବିଶାଳ ସ୍ଥାନରେ ଆମ୍ବ ଚାରା ରୋପଣ କରିବାବେଳେ ବିଭାଗୀୟ ଅଧିକାରୀମାନେ ପ୍ରଥମେ ଗଛଗୁଡିକର ସୁରକ୍ଷାକୁ ଧ୍ୟାନ ଦେଇ ବାଡ଼ ବୁଝିବା କଥା ମାତ୍ର ଏହା ନ କରି ତରବରିଆ ଭାବେ ଆମ୍ବ ଚାରାରୋପଣ କରାଗଲା ଏବଂ ଚାରାରୋପଣର ପରଦିନ ଛେଳି ଗୋରୁଗାଇମାନଙ୍କ ଦ୍ୱାରା ସବୁ ଚାରା ନଷ୍ଟ ହୋଇଗଲା | ଏହିପରି ଅବସ୍ଥା ବ୍ଲକର ଅନ୍ୟାନ୍ୟ ସ୍ଥାନରେ ବୋଲି ସାଧାରଣରେ ଅଭିଯୋଗ ହୁଏ | ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବାର ପରିବେଶବିଦମାନେ ଉଦବେଗ ପ୍ରକାଶ କରିଛନ୍ତି |

ଏ ସମ୍ବନ୍ଧରେ ରାଇରଙ୍ଗପୁର ସ୍ଥିତ ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ସହିତ ଯୋଗାଯୋଗ କରିବାରୁ ଆମ୍ବଚାରାଗୁଡିକ ନଷ୍ଟ ହେବାର ଖବର ପାଇଛନ୍ତି ବାଡ଼ ନିର୍ମାଣରେ ବିଳମ୍ବ ହୋଇଥିବାର ସ୍ୱୀକାର କରି ଏହାର ଭରଣା ତୁରନ୍ତ କରାଯିବାର ପ୍ରକାଶ କରିଛନ୍ତି | ତେବେ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ଯେ ଆମ୍ବ ଚାରାରୋପଣ ଓ ଛେଳି ଦ୍ୱାରା ବିନାଶ ପରେ ପୁନଶ୍ଚ ଭରଣା ସରକାରୀ ଅର୍ଥର ଅପଚୟ ନୁହେଁ କି? ବ୍ଲକର ସମସ୍ତ ଅଂଚଳର ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |